ବଢ଼ିଲା କରୋନା ସତର୍କତା : ସାମାଜିକ ଦୂରତ୍ୱ ପାଇଁ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି

କରୋନା ମୁକାବିଲା ପାଇଁ ସରକାରଙ୍କ ଦ୍ବାରା ଗଠିତ ସାମାଜିକ ଦୂରତା ରକ୍ଷା କମିଟି ଗତ ମଙ୍ଗଳବାର ନିର୍ଦ୍ଦେଶାବଳୀ ଜାରି କରିଥିଲା। କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ବିଶେଷଜ୍ଞ କମିଟି ଆଜି ସରକାରୀ ଚାକିରିଆ, କର୍ମଚାରୀ, ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଜେଲ୍‌ କର୍ମଚାରୀ ଓ କଏଦୀ, ମଦ ଦୋକାନ, ସାଲୁନ୍‌, ବିୟୁଟି ପାର୍ଲର୍‌ ଏବଂ ସ୍ପା (ମସାଜ୍‌ ସେଣ୍ଟର) ପାଇଁ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।ଏହାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ପଠାଇ ଦିଆଯାଇଛି। ଏହାସହିତ କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସମସ୍ତ ବିଭାଗର ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଜଣାଇଛନ୍ତି ଯେ, ସାମାଜିକ ଦୂରତା ରକ୍ଷା ନେଇ କୌଣସି ପ୍ରକାର ସମସ୍ୟା ଆସେ, ତା ହେଲେ ତତ୍କାଳ କମିଟିର ବିଚାର ପାଇଁ ସୁପାରିସ୍‌ କରିବେ।

ଜେଲ୍‌ରେ ଥିବା ଅନ୍ତେବାସୀ ଓ କର୍ମଚାରୀଙ୍କ ପାଇଁ ପରାମର୍ଶ

ଜେଲ୍‌ର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯିବ।
କରୋନା ସମ୍ପର୍କରେ ଅନ୍ତେବାସୀଙ୍କୁ ସତର୍କ କରାଇବା ପାଇଁ କାନ୍ଥରେ ପୋଷ୍ଟର ଲଗାଯିବ।
ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ।
ଜେଲ୍‌ରେ ହାତ ଧୋଇବା ପାଇଁ ସାବୁନ୍‌ ଓ ପାଣିର ପର୍ଯ୍ୟାପ୍ତ ସୁବିଧା ଉପଲବ୍ଧ କରାଯିବ।
ଫାଟକ ସମ୍ମୁଖରେ ହାତ ଧୋଇବା ପାଇଁ ସୁବିଧା କରାଯିବ।
ଜେଲ୍‌ରେ ଥିବା କଏଦୀମାନେ ଯେପରି ପ୍ରତିଦିନ ନିୟମିତ ବ୍ୟବଧାନରେ ହାତ ଧୋଇବେ ସେଥିପାଇଁ ସଚେତନ କରାଯିବ।
ଜେଲ୍‌ ପରିସରରେ ଥିବା ସମସ୍ତ କୋଠା, ଦୁଆର, ଝରକା, ଫାଟକ, ଲୁହା ଧାରଣା ସମେତ ବାରମ୍ବାର ହାତ ଲାଗୁଥିବା ସ୍ଥାନଗୁଡ଼ିକୁ ବିଶୋଧକରେ ପୋଛାଯିବ।
ଏଥିପାଇଁ ବିଶୋଧନ ଦ୍ରବ୍ୟ ଭାବରେ ୧% ବିଶିଷ୍ଟ ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ ଦ୍ରବଣ ବ୍ୟବହାର କରାଯିବ।
ସେହିପରି ଅନ୍ତେବାସୀଙ୍କୁ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ମଧ୍ୟ ସଫା ରଖାଯିବା ସହ ଗାଡ଼ିର ଭିତର ସୋଡିୟମ୍‌ ହାଇପୋକ୍ଲୋରାଇଟ୍‌ ଦ୍ରବଣରେ ନିୟମିତ ପୋଛାଯିବ।
ଅନ୍ତେବାସୀ, କର୍ମଚାରୀ ଓ ଅଧିକାରୀ ଯେପରି ପରସ୍ପର ୧ ମିଟର ଦୂରତା ରକ୍ଷାକରି କଥାବାର୍ତ୍ତା କରିବେ ସେଥିପ୍ରତି ଗୁରୁତ୍ବ ଦିଆଯିବ।
ଯଦି ଜଣେ କେହି ବି ଜେଲ୍‌ କର୍ମଚାରୀ କାଶ, ଥଣ୍ଡା ବା ଜ୍ବରରେ ଆକ୍ରାନ୍ତ ହୁଅନ୍ତି ତା ହେଲେ ତାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ।
ତତ୍‌କ୍ଷଣାତ ତାଙ୍କୁ ଘରକୁ ପଠାଯାଇ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯିବ।
କୌଣସି ବି ପରିସ୍ଥିତିରେ ୨୫ ଜଣଙ୍କରୁ ଅଧିକ ଅନ୍ତେବାସୀଙ୍କୁ ଏକାଠି କରାଯିବନି।
ସେମାନଙ୍କ ଭିତରେ ୧ ମିଟର ଦୂରତା ଯେପରି ରହିବା ସେଥିପ୍ରତି ଜେଲ୍‌ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ।
ଅନ୍ତେବାସୀଙ୍କୁ ଦେଖା କରିବାକୁ ଆସୁଥିବା ତାଙ୍କ ପରିବାର ଓ ବନ୍ଧୁଙ୍କ ପାଇଁ ଇ-ମୁଲାକାତ୍‌ର ବ୍ୟବସ୍ଥା କରାଯିବ।
ଆବଶ୍ୟକ ପଡ଼ିଲେ ଭିଡିଓ କଲ୍‌ ସୁବିଧା ଯୋଗାଇଦିଆଯିବ।
ଜେଲ୍‌ ଅନ୍ତେବାସୀଙ୍କୁ ଦେଖା କରିବାକୁ ଆସୁଥିବା ବ୍ୟକ୍ତିଙ୍କ ପରିଷ୍କାର ପରିଚ୍ଛନ୍ନତା ଓ ମାସ୍କ୍‌ ପିନ୍ଧି ଆସିବାକୁ ପରାମର୍ଶ ଦିଆଯିବ।
ଜେଲ୍‌ ଭିତରେ କୌଣସି ବି ସ୍ବେଚ୍ଛାସେବୀ ସଂଗଠନକୁ କିଛି ବି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବନି।
ବିଚାରାଧୀନ କଏଦୀ ଓ ନୂଆ ଅନ୍ତେବାସୀଙ୍କ ପାଇଁ ନିର୍ଦ୍ଦେଶନାମା
ବିଚାରାଧୀନ କଏଦୀ କିମ୍ବା ନୂଆ ଅନ୍ତେବାସୀ ଜେଲ୍‌କୁ ଆସିବା ପୂର୍ବରୁ ଭଲ କରି ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।
ଯଦି ତାର ଥଣ୍ଡା, କାଶ ବା ଜ୍ବର ଥିବ ତାହେଲେ ପ୍ରଥମେ ତାକୁ ୧୪ ଦିନ ସଙ୍ଗରୋଧ କରି ରଖିବାକୁ ପଡ଼ିବ।
ବିଚାରାଧୀନ କଏଦୀଙ୍କର ଭିଡିଓ କନଫରେନ୍‌ସିଂ ଜରିଆରେ ଶୁଣାଣି ପାଇଁ ଅନୁମତି ଦେବାକୁ ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରାଯିବ।
ଜେଲ୍‌ର ସଙ୍ଗରୋଧ ପାଇଁ କି ବ୍ୟବସ୍ଥା କରାଯିବ
ଜେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ଉତ୍ତମ ବାୟୁ ଚଳପ୍ରଚଳ କରୁଥିବା ଗୋଟିଏ ପୃଥକ ବଡ଼ କୋଠରୀ ଚିହ୍ନଟ କରିବେ।
ସେହି କୋଠରିରେ ଶୌଚ ହେବା ପାଇଁ ପାଇଖାନା ଓ ଗାଧୁଆଘର ସହିତ ପର୍ଯ୍ୟାପ୍ତ ପାଣିର ସୁବିଧା ଥିବ।
ଏପରି କୋଠରିରେ ଜ୍ବର ଓ କାଶ ହେଉଥିବା ଅନ୍ତେବାସୀଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ରଖାଯିବ।
ରୋଗାକ୍ରାନ୍ତ ହୋଇଥିବା ଅନ୍ତେବାସୀର ଦୈନଦିନ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟବସ୍ଥାର ଯତ୍ନ ନିଆଯିବ।
ଆବଶ୍ୟକ ପଡ଼ିଲେ ତାକୁ ମେଡିକାଲ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର