ବଢ଼ିଲା କରୋନା ସତର୍କତା : ବୟସ୍କଙ୍କ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ

ଭୁବନେଶ୍ବର : ଛୋଟପିଲା କିମ୍ବା ଯୁବକ/ଯୁବତୀଙ୍କ ଅପେକ୍ଷା ବୟସ୍କ ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବି‌ଶେଷକରି ଯେଉଁ ବୟସ୍କ ବ୍ୟକ୍ତିମାନଙ୍କ ମଧୁମେହ, ହୃହରୋଗ, ଶ୍ବାସ,କର୍କଟ କିମ୍ବା କିଡ୍‌ନି ଜନିତ ସମସ୍ୟା ରହିଛି ସେମାନଙ୍କ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ ଦେବାର ସମୟ ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୨ ସୂତ୍ରୀ ସେବା ଯତ୍ନ ସଂପର୍କରେ ଉଲ୍ଲେଖ କରିଛନ୍ତି। ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୧୦ ପ୍ରତିଶତ ବୟସ୍କ ଲୋକ ରହିଥିବାରୁ ସେମାନଙ୍କ ପରିବାର ଲୋକ କିଭଳି ଯତ୍ନ ନେବେ ତାହା ସଂପର୍କରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି।

ଆଜି ଏ ସଂପର୍କରେ ସୂଚନା ଦେଇ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ, ଘରେ ସଙ୍ଗରୋଧ ହୋଇ ରହିବା ସମୟରେ ବୟସ୍କ ଲୋକମାନେ ମାନସିକ ଚାପର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ସେମାନଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ। ଯଥାସମ୍ଭବ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଘରେ ରହିଲେ ବି ନିଜ ଜେଜେବାପା/ଜେଜେମା’ଙ୍କ ମନ ବୁଝିବା ସହିତ ସେମାନଙ୍କ ଉପଯୁକ୍ତ ଯତ୍ନ ଓ ଧର୍ଯ୍ୟର ସହିତ ସେମାନଙ୍କ କଥା ଶୁଣିବା ଜରୁରୀ। ନିୟମିତ ବ୍ୟବଧାନରେ ଟିଭି କିମ୍ବା ଖବରକାଗଜରେ ପ୍ରକାଶ ପାଉଥିବା କରୋନା ସଂପର୍କିତ ଖବର ଉପରେ ଆଲୋଚନା କରିବା ଉଚିତ ନୁହେଁ। ସେମାନଙ୍କ ପୁରୁଣା ସ୍ମୃତି ସଂପର୍କରେ କଥା ହେବା, ତାଙ୍କ ମନ ପସନ୍ଦର ବହି ପଢ଼ିବାକୁ ଦେବା, ହ୍ବାଟସଆପରେ ଭିଡିଓ କଲିଂ ଜରିଆରେ ସେମାନଙ୍କ ସାଙ୍ଗମାନଙ୍କ ସହିତ କଥାବାର୍ତା କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେହିପରି ସାମାଜିକ ଦୂରତ୍ବ ବଜାୟ ରଖିବା ସତ୍ବେ ମଧ୍ୟ ସେମାନଙ୍କ ସହିତ ମିଳିମିଶି କାବ କରିବା, ସେମାନଙ୍କ ମନ ପସନ୍ଦର ରୋଷେଇ କରିବା, ଅନ୍ତତଃ ଥରଟିଏ ଘରେ ଏକାଠି ସମସ୍ତେ ମିଳିମିଶି ଖିଆପିଆ କରିବା, ତାଙ୍କ ସମୟର ଗୀତ କିମ୍ବା ସିନେମା ୟୁଟ୍ୟୁବରୁ ଶୁଣାନ୍ତୁ, ବୟସ୍କମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସେମାନଙ୍କ ନିତିଦିନିଆ ଔଷଧର ଦାୟିତ୍ବ ନିଜେ ନେବା ଦରକାର। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଘରେ ନାତି ନାତୁଣିମାନଙ୍କଠାରୁ ବୟସ୍କ ବ୍ୟକ୍ତିମାନଙ୍କୁ ଯଥାସମ୍ଭବ ଦୂରେଇ ରଖିବା ଜରୁରୀ। ଛୋଟ ପିଲାଙ୍କ ଉପରେ କରୋନା ସଂକ୍ରମଣର ବିଶେଷ ପ୍ରଭାବ ପଡ଼ୁ ନ ଥିବାରୁ ଛୋଟପିଲାଙ୍କ ସଂସ୍ପର୍ଶରେ ଆସିଲେ ବୟସ୍କ ବ୍ୟକ୍ତିମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ତେଣୁ ଏହା ଉପରେ ପରିବାର ଲୋକ ଧ୍ୟାନ ଦେବା ଦରକାର ବୋଲି ଶ୍ରୀ ବାଗଚୀ କହିଥିଲେ।

ସମ୍ବନ୍ଧିତ ଖବର