କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭତ୍ତା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାର ଆଜି ଦୈନିକ ଭତ୍ତା ଘୋଷଣା କରିଛନ୍ତି। ଡାକ୍ତର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲାବୋରେଟାରି ଟେକ୍‌ନିସିଆନ୍ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଦିନକୁ ୨ଶହ ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ‌ଭତ୍ତା ଘୋଷଣା ହୋଇଛି। ଏ ବାବଦ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ଅନୁସାରେ, ଡାକ୍ତରଙ୍କୁ ଦୈନିକ ୧ହଜାର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲାବୋରେଟାରି ଟେକ୍‌ନିସିଆନ୍‌ଙ୍କ ପାଇଁ ୫ଶହ ଟଙ୍କା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିନକୁ ୨ଶହ ଟଙ୍କା ଭତ୍ତା ମିଳିବ। ତେବେ ଯେତିକି ଦିନ ପର୍ଯ୍ୟନ୍ତ ସେମାନେ କରୋନା ଚିକିତ୍ସା ସହିତ ସକ୍ରିୟ ଭାବେ ଜଡ଼ିତ ଥିବେ ସେହିଦିନ ପାଇଁ ଏହି ଭତ୍ତା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ, କୋଭିଡ୍‌ ହେଲ୍‌ଥ ସେଣ୍ଟର ଓ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି।

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ମୁକାବିଲାରେ ନିୟୋଜିତ ହୋଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଖାଦ୍ୟ ଭତ୍ତା ବାବଦରେ ୨୪୦ ଟଙ୍କା ଘୋଷଣା ହୋଇଛି। ମାତ୍ର ଏହି ଅର୍ଥକୁ ପରବର୍ତୀ ସମୟରେ କୌଣସି ପ୍ରକାର ଦାବି କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ଏହାସହ କୋଭିଡ୍‌ ଡ୍ୟୁଟିରେ କାର୍ଯ୍ୟରତ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମଧ୍ୟ ୩ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର