କେବଳ କରୋନା ନେଇଛି ୧୫ % ଜୀବନ, ମୃତକଙ୍କ ମଧ୍ୟରେ ୫୦% ମଧୁମେହ ରୋଗୀ, ୩୫%ଙ୍କର ରକ୍ତଚାପ ଥିଲା

୧୫% କର୍କଟ ଓ କିଡନି ‌ରୋଗୀ ଥିଲେ
୧୨ ଜିଲ୍ଲାକୁ ଛୁଇଁଲାଣି କରୋନା ମୃତ୍ୟୁ
ଦିନକରେ ୪୯୪ ପଜିଟିଭ୍, ୪୦୧ ରୋଗୀ ସୁସ୍ଥ
ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ପାର୍

ଭୁବନେଶ୍ୱର : ରାଜ୍ୟର ୧୨ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ରେକର୍ଡ ହୋଇଛି। ଯଦି ଅଣ-କୋଭିଡ୍‌ ମୃତ୍ୟୁକୁ ହିସାବକୁ ନିଆଯାଏ, ତାହା‌ଲେ ଏଭଳି ଜିଲ୍ଲା ସଂଖ୍ୟା ୧୬ ଛୁଇଁବ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ଖୋର୍ଧାରେ ୧୩ ଓ କଟକରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଏହାବାଦ୍ ପୁରୀରେ ୨, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଜପତି, ରାୟଗଡ଼ା, ଅନୁଗୁଳ, ବରଗଡ଼ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି। ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୭୯ କରୋନା ମୃତ୍ୟୁ ଘୋଷଣା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୫ ପ୍ରତିଶତ ‌ରୋଗୀ ଭୂତାଣୁ ଯୋଗୁଁ ପ୍ରାଣ ହରାଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ଅନ୍ୟ ୮୫ ପ୍ରତିଶତଙ୍କର ଯଦିଓ କରୋନାରେ ମୃତ୍ୟୁ ହୋଇଛି, ହେଲେ ସେମାନେ କୋ-ମର୍ବିଡିଟି ବା ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗରେ ଦୀର୍ଘ ଦିନ ହେବ ପୀଡ଼ିତ ଥିଲେ। ଆହୁରି ସ୍ପଷ୍ଟ ଭାବେ କହିବାକୁ ଗଲେ ୫୦ ପ୍ରତିଶତଙ୍କ ମଧୁମେହ, ୩୫ ପ୍ରତିଶତଙ୍କ ରକ୍ତଚାପ ଓ ବଳକା ୧୫ ପ୍ରତିଶତ ରୋଗୀଙ୍କ କର୍କଟ ଓ କିଡନି ‌ରୋଗ ଭଳି ସମସ୍ୟା ରହିଛି। ସେହିପରି କରୋନା ମୃତ୍ୟୁ ହୋଇଥିବା ଜିଲ୍ଲା ବାଦ୍ ଆହୁରି ୪ଟି ଜିଲ୍ଲାରେ ଅଣ କୋଭିଡ୍‌ ମୃତ୍ୟୁ ହୋଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ମତ ଅନୁସାରେ, ରାଜ୍ୟରେ ୫୦ ପ୍ରତିଶତ କରୋନା ମୃତକଙ୍କ ବୟସ ୬୦ବର୍ଷରୁ ଅଧିକ ରହିଛି। ସର୍ବାଧିକ ବୟସର ଏ ପର୍ଯ୍ୟନ୍ତ ୮୮ବର୍ଷର ମହିଳା ଭଦ୍ରକ ଜିଲ୍ଲାର କରୋନାରେ ପ୍ରାଣ ହରାଇଥିବା ବେଳେ ଦେଢ଼ ବର୍ଷର ଶିଶୁ ଏକ ବିରଳ ରୋଗର ଶିକାର ହୋଇ ପ୍ରାଣ ହରାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ୨ଜଣ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ୫୧ ବର୍ଷର ଜଣେ ମେଦବହୁଳତାର ଶିକାର ଥିବା ବେଳେ ୩୪ ବର୍ଷର ଯୁବକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଛି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି।

ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪୬ଜଣ ଥିବା ବେଳେ ଖୋର୍ଧାରେ ୬୪ଜଣ ରହିଛନ୍ତି। କଟକ ୩୮, ବାଲେଶ୍ବର ୨୧, ନୟାଗଡ଼ ୧୬, ମୟୂରଭଞ୍ଜ ୧୪, କେନ୍ଦ୍ରାପଡ଼ା ୧୧, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୦ଜଣ ଲେଖାଏଁ, ନୂଆପଡ଼ା ୯, ପୁରୀ ଓ ଭଦ୍ରକରୁ ୭ଜଣ ଲେଖାଏଁ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସମ୍ବଲପୁରରୁ ୪ଜଣ ଲେଖାଏଁ, ବଲାଙ୍ଗୀର ୩, ବୌଦ୍ଧ, କଳାହାଣ୍ଡିରୁ ୨ଜଣ ଲେଖାଏ, ଅନୁଗୁଳ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୯୨ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ୪୮୬୭, ଖୋର୍ଧା ୧୫୯୪, କଟକ ୧୧୧୪, ଯାଜପୁର ୯୩୪, ସୁନ୍ଦରଗଡ଼ ୭୫୦ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ୫ ଜିଲ୍ଲାର ରହିଛନ୍ତି। ରାଜ୍ୟର ୨୬ଟି ଜିଲ୍ଲାରୁ ଏବେ ଶହେରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି।

Swarajya

ଅପରପକ୍ଷରେ ଆଜି ୪୦୧ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏଥିରେ ସର୍ବାଧିକ ଯାଜପୁର ଜିଲ୍ଲାରୁ ୯୮ ଜଣ ଅଛନ୍ତି। ଏହାବାଦ୍ ଗଞ୍ଜାମ ୮୪, ସୁନ୍ଦରଗଡ଼ ୪୬, ଗଜପତି ୩୬, ଝାରସୁଗୁଡ଼ା ୩୦, କେନ୍ଦୁଝର, ମାଲକାନାଗିରି ଓ ଜଗତ୍‌ସିଂହପୁର ୧୭ଜଣ ଲେଖାଏଁ, ଖୋର୍ଧା ୧୨, ଅନୁଗୁଳ ୮, ସୋନପୁର ୭, ବରଗଡ଼ ୬, ସମ୍ବଲପୁର ଓ କେନ୍ଦ୍ରାପଡ଼ା ୫ଜଣ ଲେଖାଏଁ, ଢେଙ୍କାନାଳ ୪, ଭଦ୍ରକ, ବାଲେଶ୍ବରରୁ ୩ଜଣ ଲେଖାଏଁ, କଟକ ୨, ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି। ସମୁଦାୟ ୧୦୮୭୭ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ୪୫୧୫ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର