ଯାତ୍ରା କଳାକାରଙ୍କ ପାଇଁ ସହାୟତା ଲୋଡ଼ିଲା ସଂଘ

ଭୁବନେଶ୍ବର : ଯାତ୍ରା ଋତୁ ବେଳେ କରୋନା ଦାଉ ସାଜିଲା। ଲକ୍‌ଡାଉନ ଯୋଗୁଁ ଦୁଇମାସ ହେଲାଣି ଯାତ୍ରା ବନ୍ଦ। ଫଳରେ ଯାତ୍ରା ଦଳ ଉପରେ ନିର୍ଭରଶୀଳ କଳାକାର ଓ କର୍ମଚାରୀଙ୍କ ଜୀବନ ଧାରଣ କଷ୍ଟକର ହୋଇପଡ଼ିଲାଣି। ଯାତ୍ରା ପାର୍ଟିର ମାଲିକମାନେ ବ୍ୟାପକ କ୍ଷତି ସହିଛନ୍ତି। କଳାକାର ଓ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଛି। ରାଜ୍ୟର ୬୫ଟି ଯାତ୍ରା ଦଳ ଉପରେ ୧୦ ହଜାର ଲୋକଙ୍କ ପରିବାରର ଗୁଜୁରାଣ ନିର୍ଭର କରୁଥିବାରୁ ଏବେ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଯାତ୍ରା ପରିବେଷଣ ପାଇଁ କେବେ ଅନୁମତି ମିଳିବ ଏବଂ କଳାକାର ଓ କର୍ମଚାରୀଙ୍କୁ କେବେ ପ୍ରାପ୍ୟ ମିଳିବ ତା’ର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ଯାତ୍ରା କଳାକାର ଓ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଅନୁରୋଧ କରିଛି।

ସଂଘର ସଭାପତି ଦୈତାରୀ ପଣ୍ଡା କହିଛନ୍ତି, ଯାତ୍ରା ଉପରେ ନିର୍ଭରଶୀଳ କଳାକାର ଓ କର୍ମଚାରୀଙ୍କ ରୋଜଗାରରେ ସେମାନଙ୍କ ପରିବାରର ପ୍ରାୟ ୫୦ ହଜାର ପେଟ ପୂରୁଥିଲା। ଏବେ କିନ୍ତୁ କାମ ନଥିବାରୁ ପ୍ରାପ୍ୟ ମିଳିବାର ଆଶା କ୍ଷୀଣ। ଯାତ୍ରା ଦଳରେ କାମ କରୁଥିବା ଟେକ୍ନିସିଆନ ଓ ଅନ୍ୟମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକୃତ ହୋଇନାହାନ୍ତି। ତେଣୁ ଏହାକୁ ସହୃଦୟ ପୂର୍ବକ ବିଚାରକୁ ନେଇ ଆମକୁ ସହାୟତା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି। ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଆଗରୁ ମାର୍ଚ ୨୮ ତାରିଖରେ ବି ଯାତ୍ରା କଳାକାର ଓ କର୍ମଚାରୀଙ୍କ ସମସ୍ୟା ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏଥର ବି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛୁ। ସରକାର ନିଶ୍ଚୟ ଆମ ସମସ୍ୟାକୁ ବିଚାରକୁ ନେବେ ବୋଲି ବିଶ୍ବାସ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର