ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ମହକୁମା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପଶିଛି କରୋନା। ସ୍କୁଲର ନବମ ଶ୍ରେଣୀ ଛାତ୍ର ପଜିଟିଭ୍ ଚିହ୍ନଟ ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। ଆକ୍ରାନ୍ତ ଛାତ୍ର ଗୃହ ସଙ୍ଗରୋଧରେ ଥିବା ବେଳେ ନେଗେଟିଭ୍ ରିପୋର୍ଟ ଆସିଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଛାତ୍ର ଓ ପରିବାର ଲୋକଙ୍କ ଗସ୍ତ ବିବରଣୀ ସଂଗ୍ରହ କରି ସ୍ବାସ୍ଥ୍ୟ ବିଭାଗ ସତର୍କତାମୂଳକ ପଦକ୍ଷେପ ନେଇଛି।

Advertisment

ଡିସେମ୍ବର ୧୪ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲର ଅଷ୍ଟମ, ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା। ଆରଟିପିସିଆର ପରୀକ୍ଷା ପାଇଁ ୧୪୦ ସ୍ବାବ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଲାବ୍ରୋଟୋରୀକୁ ପଠାଯାଇଥିଲା। ଯାହାର ରିପୋର୍ଟ ୧୬ ତାରିଖରେ ଆସିଥିଲା। ୧୩୯ ସ୍ବାବ ରିପୋର୍ଟ ନେଗେଟିଭ୍ ଥିବା ବେଳେ ଗୋଟିଏ ସ୍ବାବ ରିପୋର୍ଟ ପଜିଟିଭ୍ ଥିଲା। ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏ ନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନଜରକୁ ନେଇଥିଲେ।

ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଙ୍କୁ ତୁରନ୍ତ ଗୃହ ସଙ୍ଗରୋଧରେ ରଖାଯିବା ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା ସ୍ବାସ୍ଥ୍ୟ ବିଭାଗ। ଏଥି ସହିତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଛାତ୍ରୀ ନିୟମିତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ସ୍କୁଲକୁ ଆସିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଥିଲା। ନେଗେଟିଭ୍ ରିପୋର୍ଟ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କାହାକୁ ଜ୍ବର, କାଶ କିମ୍ବା ଛିଙ୍କ ହେଲେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ କୁହାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକ ନିୟମିତ ଭା‌ବେ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା, ଯାତାୟାତ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି।

ବିନା ମାସ୍କ, ସାନିଟାଇଜରରେ ସ୍କୁଲ୍ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। କୋଭିଡ଼୍ ଗାଇଡ୍ ଲାଇନ୍ ଅନୁଯାୟୀ ସାମାଜିକ ଦୂରତାରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ବସିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ଛାତ୍ର ବର୍ତ୍ତମାନ ସୁସ୍ଥ ଥିବା ବେଳେ ରାପିଡ୍ ରେସପନସ୍ ଟିମ୍ କର୍ତ୍ତୃପକ୍ଷ ଆକ୍ରାନ୍ତ ଛାତ୍ରଙ୍କୁ ମେଡ଼ିସିନ୍ ପ୍ରଦାନ କରିବା ସହ ନିୟମିତ କାଉନସେଲିଂ କରୁଛନ୍ତି। ଆକ୍ରାନ୍ତ ଛାତ୍ର ଓ ପରିବାର ଲୋକ ବାହାର ରାଜ୍ୟ ନା ଅନ୍ୟ କୌଣସି ସ୍ଥାନକୁ ଯାଇଥିଲେ ସେ ନେଇ ରିପୋର୍ଟ ସଂଗ୍ରହ କରୁଛି ସ୍ବାସ୍ଥ୍ୟ ବିଭାଗ। ହାଇସ୍କୁଲର ଜଣେ ଛାତ୍ର ପଜିଟିଭ୍ ହେବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ଭୟଭୀତ ହୋଇ ପଡିଛନ୍ତି। ସ୍କୁଲ୍ ଖୋଲିବା ପରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ଛାତ୍ର ଆକ୍ରାନ୍ତ ହୋଇଥିବାରୁ ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି।

ସୂଚନାଯୋଗ୍ୟ, କରୋନା ଦ୍ବିତୀୟ ଲହରୀ ନିୟନ୍ତ୍ରଣକୁ ଆସିବା ପରେ ପ୍ରଥମେ ସରକାର ନବମ, ଦଶମ ପରେ ଅଷ୍ଟମ ଏବଂ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ସକାଳ ୯ଟାରୁ ମଧ୍ୟାହଣ୍ ୧ଟା ପର୍ଯ୍ୟନ୍ତ କ୍ଲାସ ପରେ ସ୍କୁଲ୍ ଛୁଟି ଘୋଷଣା କରାଯାଉଛି।