ମୟୂରଭଞ୍ଜ ପୁଲିସ ପକ୍ଷରୁ ଗଡ଼ିଲା କରୋନା ସଚେତନତା ରଥ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ୍ କ୍ରମଶଃ ଖସିବାରେ ଲାଗିଛି । ଚଳିତ ନଭେମ୍ବର ମାସରେ ଅଧିକାଂଶ ଦିନ ଜିଲ୍ଲାରେ ନୂଆ ପଜିଟିଭଙ୍କ ସଂଖ୍ୟା ୫୦ ତଳେ ରହି ଆସୁଛି । ଏହି ସମୟରେ ଆଗକୁ ଶୀତ ଋତୁ ରହିଥିବାରୁ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କବାଣୀ ଶୁଣାଇ ଦେଇଥିବା ସମୟରେ ଜନସାଧାରଣ ଏଥି ନିମନ୍ତେ ଅଧିକ ସଚେତନ ହେବାର ମଧ୍ୟ ଆବଶ୍ୟକତା ରହିଛି । ପରିସ୍ଥିତିକୁ ହୃଦୟଙ୍ଗମ କରିବା ସହ ମୟୂରଭଞ୍ଜବାସୀଙ୍କୁ କରୋନା ସମ୍ପର୍କରେ ଅଧିକ ସଚେତନ କରାଇବା ନିମନ୍ତେ ମୟୂରଭଞ୍ଜ ଆରକ୍ଷୀ ବାହିନୀ ଗୋଟାଏ ପାଦ ଆଗକୁ ଆଗେଇ ଆସିଛି ଏବଂ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଏକ ଜନସଚେତନା କାର୍ଯ୍ୟକ୍ରମ ଆଜିଠାରୁ ଶୁଭାରମ୍ଭ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବାରିପଦା ଟ୍ରାଫିକ୍ ଛକ ନିକଟରେ ଏକ ସଚେତନତା ରଥକୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର ପତାକା ହଲାଇ ଶୁଭାରମ୍ଭ କରିଛନ୍ତି । ରଥଟି ଜିଲ୍ଲାର ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ସବୁଠି ପରିକ୍ରମା କରି ଜନସାଧାରଣଙ୍କୁ କରୋନାକୁ ରୋକିବା ନିମନ୍ତେ ପରସ୍ପର ମଧ୍ୟରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତା ରକ୍ଷା କରିବା ସାଙ୍ଗକୁ ମୁହଁରେ ମାସ୍କ ପିନ୍ଧିବା, ବାରମ୍ବାର ହାତକୁ ସଫା କରିବା ନିମନ୍ତେ ସଚେତନ କରାଇବା ନିମନ୍ତେ ଯାତ୍ରା ଆରମ୍ଭ କରିଛି । ଏହି ଅବସରରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଏସ୍ପି ଏସ ସାହୁ, ବାରିପଦା ଏସଡିପିଓ କେ କେ ହରିପ୍ରସାଦ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର