ଭୁବନେଶ୍ବର : 'ଭାଙ୍ଗିବା ଲକ୍ଡାଉନ୍, ଭାଙ୍ଗିବା ସଟ୍ଡାଉନ୍..., 'କେଉଁ ବେଳାରେ ଆସିଲା ଏହି କରୋନା ଭୂତାଣୁ... 'ଆସରେ ଆସ କରିବା ପଣ... ଆଦି ଗୀତ ଗାଇ ଗାଁରୁ ଗାଁ ବୁଲିବ କରୋନା ସଚେତନତା ରଥ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଲୋକମାନଙ୍କୁ କରୋନାର ଭୟାବହତା ଓ ଏଥିରୁ କେମିତି ବର୍ତ୍ତି ହେବ, ସେ ନେଇ ସଚେତନ କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ ଆଜି ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ଆଗାମୀ ତିନି ମାସ ଧରି ଏହି ରଥ ଖୋର୍ଧା, ପୁରୀ, କଟକ ଓ ଜଗତସିଂହପୁର; ଏହି ଚାରୋଟି ଜିଲ୍ଲାର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କରିବ।
ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପ୍ରୋଜେକ୍ଟ ହୋପ୍ର ପ୍ରକଳ୍ପ ସଂଯୋଜକ ଆଲୋକ କୁମାର ମହାନ୍ତି, ମାଇଁ ହାର୍ଟର ଉପଦେଷ୍ଟା ଡ. ପ୍ରବୋଧ କୁମାର ମିଶ୍ର, ମାଇଁ ହାର୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଶକ୍ତିଧର ସାହୁ, ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ନବୀନ ନାୟକ ଓ ୟୁନିସେଫ୍ର ରାଜ୍ୟ ସଂସ୍କୃତି ସଂଯୋଜକ ବାସୁଦେବ ମାଳବିଶୋଇ ପ୍ରମୁଖ ଉପସ୍ଥିତ ରହି ୮ଟି କରୋନା ସଚେତନତା ରଥକୁ ଉଦ୍ଘାଟନ କରିଥିଲେ।
ଉତ୍ସର୍ଗୀକୃତ ତିନିଟି ସଚେତନତାଧର୍ମୀ ସଂଗୀତରୁ 'ଭାଙ୍ଗିବା ଲକ୍ଡାଉନ୍, ଭାଙ୍ଗିବା ସଟ୍ଡାଉନ୍' ଏବଂ 'କେଉଁ ବେଳାରେ ଆସିଲା ଏହି କରୋନା ଭୂତାଣୁ'କୁ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ତୃତୀୟ ଗୀତ 'ଆସରେ ଆସ କରିବା ପଣ'କୁ ବାସୁଦେବ ମାଳବିଶୋଇ ରଚନା କରିଛନ୍ତି। ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ସତ୍ୟଜିତ ଓ ରଶ୍ମି।