ଗାଁ ହେଉଛି ସଚେତନ : ଗାଁରେ ଲାଗିଲା ଚେକ୍‌ଗେଟ୍‌, ହାତ ଧୋଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ଦାଦନ ଶ୍ରମିକ ପଞ୍ଚାୟତରେ କରିବେ ପଞ୍ଜୀକରଣ

ବଲାଙ୍ଗୀର : ଦାଦନ ଶ୍ରମିକ ବାହାର ରାଜ୍ୟରୁ ଫେରିଛନ୍ତି। ସେମାନଙ୍କୁ ନେଇ ଚାରିଆଡ଼େ କୋକୁଆଭୟ। ଏପଟେ କେମିତି କରୋନାକୁ ଦାଦନପ୍ରବଣ ଗାଁଗୁଡ଼ିକରେ ମୁକାବିଲା କରାଯିବ ତାକୁ ନେଇ ବିଚାର ବିମର୍ଶ ଚାଲିଛି। ଏହି ସମୟରେ ଦାଦନପ୍ରବଣ ଏକ ଗାଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଜଲିଆ ଗାଁର ଲୋକଙ୍କ ଉଦ୍ୟମକୁ ସବୁଆଡ଼େ ପ୍ରଶଂସା କରାଯାଉଛି। ଲକ୍‌ଡାଉନ ନିୟମକୁ ଅଭିନବ ଢଙ୍ଗରେ ପାଳନ କରି ସେମାନେ ନିଜ ଗାଁକୁ ସୁରକ୍ଷିତ ରଖିବାକୁ ଶପଥ ନେଇଛନ୍ତି। ଗାଁର ଦୁଇପଟ ପ୍ରବେଶ ପଥରେ ଲଗାଇଛନ୍ତି ଚେକ୍‌ଗେଟ୍‌। ଜରୁରୀ କାମ ଥିଲେ ବାହାରକୁ ଯିବେ ଓ ଆସିବେ। ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ଗାଁକୁ ଆସିଲେ ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ପଞ୍ଚାୟତରେ ପଞ୍ଜୀକରଣ କରାଇବା ସହ ସଂଗରୋଧ କେନ୍ଦ୍ରରେ ରଖୁଛନ୍ତି। ଏଭଳି ଭଳି ବିଭିନ୍ନ ନିଷ୍ପତ୍ତି ଗାଁ ଲୋକେ ନେଇଛନ୍ତି।

ସୂଚନା ଅନୁଯାୟୀ‌; ଗାଁର ଲୋକମାନେ ପ୍ରବେଶପଥ ଦ୍ୱୟରେ କାଠର ଚେକ୍‌ଗେଟ୍‌ ନିର୍ମାଣ କରିଛନ୍ତି। ଗାଁର ଦୁଇ ଜଣ ଲେଖାଏଁ ଲୋକ ପାଳି କରି ତାକୁ ଜଗିବାକୁ ନିଷ୍ପତ୍ତି ନେଇଛନ୍ତି। ଗାଁ ଭିତରକୁ ଜରୁରୀ କାମ ନଥିଲେ କାହାକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ଠିକ୍‌ ସେପରି ଜରୁରୀ କାମ ନଥାଇ ଗାଁ ବାହାରକୁ ବାହାରିଲେ ଲୋକଙ୍କୁ ମନା କରାଯାଉଛି। ଯିଏ ଆସିଲେ କିମ୍ବା ଗାଁରୁ ବାହାରକୁ ଗଲେ ଚେକ୍‌ଗେଟ୍‌ରେ ସାବୁନ ଓ ପାଣିରେ ହାତ ଧୋଇବା ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ସଚେତନ ମଧ୍ୟ କରାଯାଉଛି। ଜଲିଆରୁ ପ୍ରତିବର୍ଷ ଅନେକ ଦାଦନ ପରିବାର ରାଜ୍ୟ ବାହାରକୁ ଯାଇଥାନ୍ତି। ଏଥର ବି କିଛି ପରିବାର ଯାଇଛନ୍ତି। ସେମାନେ ଯଦି ବି ଫେରିବେ ସରକାରୀ ନିୟମ ପାଳନ କରିବେ। ୧୪ ଦିନ ଯାଏ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଯାହା ନିର୍ଦେଶ ଦେବ ମାନିବେ। ସେଥିପାଇଁ ପଞ୍ଚାୟତରେ ହେଉଥିବା ପଞ୍ଜୀକରଣ ବି କରାଇବେ। ଏହାସହ ଗାଁରେ ଯାନିଯାତ୍ରା ସବୁକୁ ବନ୍ଦ ରଖାଯାଇଛି। ତାସ୍‌ ଖେଳ ବି ବନ୍ଦ କରାଯାଇଛି। ବିବାହ, ଶ୍ରାଦ୍ଧ ଘର ଆଦି ଜରୁରୀ କ୍ଷେତ୍ରରେ କମ୍‌ ସଂଖ୍ୟକ ଲୋକ କେବଳ ରହିବେ। ସେମାନେ ପ୍ରଶାସନଠାରୁ ଅନୁମତି ଆଣି ତାହା କରିପାରିବେ। ଏହାଦ୍ୱାରା ସମସ୍ତ ଗ୍ରାମବାସୀ କରୋନାକୁ ନିଶ୍ଚିତ ଭାବରେ ମୁକାବିଲା କରିପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର