ଦଶପଲ୍ଲା : କରୋନା ଭୂତାଣୁ ନେଇ ଆଦିବାସୀ ଅଞ୍ଚଳରେ ବଢ଼ୁଛି ସଚେତନତା, ସହରାଞ୍ଚଳରେ ଏଥିପ୍ରତି ଖାତିର ନାହିଁ

ଦଶପଲ୍ଲା : ଦିନକୁ ଦିନ କୋଭିଡ୍-୧୯ ବା କରୋନା ଭୂତାଣୁ ତା’ର କାୟା ବିସ୍ତାର କରିଚାଲିଛି। ଏହି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ଯେଉଁଭଳି ସଚେତନ କରାଯାଉଛି ସେହି ଅନୁଯାୟୀ ସହରାଞ୍ଚଳ ଅପେକ୍ଷା ଆଦିବାସୀ ବହୁଳ ଅଂଚଳଗୁଡ଼ିକ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଗାଁ’ ଗାଁ’ରେ ଯୁବଗୋଷ୍ଠୀ ଓ ମହିଳା ସଂଗଠନ ଅଣ୍ଟା ଭିଡ଼ିଛନ୍ତି। ଗାଁ ମଧ୍ୟକୁ ପ୍ରବେଶ କରିବା ପାଇଁ ମୁଖ୍ୟ ରାସ୍ତା ସବୁରେ ବାଡ଼ା ପକାଇ ଅବରୋଧ କରାଯାଇଛି। ବାହାରର ଲୋକଙ୍କୁ ଗାଁ ମଧ୍ୟକୁ ପ୍ରବେଶ କରିବାରେ କଟକଣା ଜାରି କରାଯାଇଛି। ଅତି ଜରୁରୀ ଥିବା ବ୍ୟକ୍ତି ବାହାରକୁ ଆସିଥିଲେ ପୁନର୍ବାର ଗାଁକୁ ପ୍ରବେଶ କରିବା ପୂର୍ବରୁ ସାବୁନରେ ହାତ, ଗୋଡ଼ ଧୋଇ ଗାଁ’ ମଧ୍ୟକୁ ପ୍ରବେଶ କରିବା ପାଇଁ ପରାମର୍ଶ ଦିଆଯାଉଛି। ଏପରିକି ଗୋଟିଏ ଗୋଟିଏ ଗାଁକୁ ମଧ୍ୟ ବାଉଁଶ ବାଡ଼ା ପକାଯାଇ ସ୍ଥାୟୀ ଭାବରେ ଅବରୋଧ କରି ଦିଆଯାଇଥିବା ଦେଖିବାକୁ ମିଳିଛି।

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଢି, ବାଣିଗୋଛା, କୁଲୁରୁକୁମ୍ପା, ଟାକରା, ତୁମାଣ୍ତି ଓ ଦୁଡ଼ା ଭଳି ଆଦିବାସୀ ବହୁଳ ଅନୁନ୍ନତ ଅଂଚଳବାସୀଙ୍କ ମଧ୍ୟରେ ଏଭଳି ସଚେତନତା ସହରବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଦଶନିପଡ଼ା, କୁମ୍ଭିକିଳା, ବିଜା ତଇଳା, କରଡିଗଡ, କୁରାଢ଼ିନିଶା, ବୁଗୁଡା କଲୋନୀ, ତଳବିଡା ପ୍ରଭୃତି ଗ୍ରାମଗୁଡ଼ିକ ମଧ୍ୟରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଯୁବଗୋଷ୍ଠୀ ଏବଂ ମହିଳା ସଂଗଠନ ପକ୍ଷରୁ ପାଳି କରି ଗାଁ ମୁଣ୍ତରେ ଡେରା ପକାଯାଉଛି।

ତେବେ ଏସବୁ ଅଂଚଳବାସୀଙ୍କ ମଧ୍ୟରେ ଯେଉଁଭଳି ସଚେତନତା ଦେଖିବାକୁ ମିଳୁଛି, ସହରାଞ୍ଚଳରେ ଏହି କଟକଣା ପ୍ରତି କାହାରି ଖାତିର ନଥିବା ଭଳି ମନେ ହେଉଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯଦିଓ କଟକଣାକୁ ଜୋରଦାର୍ କରାଯାଉଛି, ତଥାପି ଦଶପଲ୍ଲା ଏନ୍ଏସି ସମେତ ପଡ଼ୋଶୀ ପଞ୍ଚାୟତର ଖମାରସାହି, ମଧ୍ୟଖଣ୍ତ, ଘୋଳାହାଣ୍ତି, ଶିମିଳିସାହି, ସରିଗଣ୍ତା ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମ ମଧ୍ୟରେ ଥିବା କୋଠଘର, ଖେଳ ପଡ଼ିଆରେ ଜନଗହଳି ଲାଗି ରହୁଛି। ପୂର୍ବାହ୍ଣରେ ଜାତୀୟ ରାଜପଥ ଉପରେ ଖୋଲାଖୋଲି ଭାବେ ବାଇକ୍‌ଠାରୁ ଆରମ୍ଭ କରି ଟ୍ରାକ୍ଟର ଓ ଅଟୋ ପ୍ରଭୃତି ଯାତାୟାତ କରୁଛି। ବିଶେଷ କରି ବାହାର ରାଜ୍ୟ ତଥା ଚେନ୍ନାଇ, ତାମିଲନାଡ଼ୁ, ମୁମ୍ବାଇ, ଦିଲ୍ଲୀ ପ୍ରଭୃତି ସ୍ଥାନରୁ ଫେରିଥିବା କିଛି ବ୍ୟକ୍ତି ନିଜ ନାମକୁ ପଞ୍ଜୀକୃତ ନ କରାଇ ଗ୍ରାମଗୁଡ଼ିକରେ ଲୁଚି ରହିଥିବା ବେଳେ କରୋନା ସଂକ୍ରମଣର ଆଶଙ୍କାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହେଉଛି। ତେବେ ପ୍ରଶାସନ ପକ୍ଷରୁ ଏସବୁ ଅଂଚଳରେ କଟକଣାକୁ ଜୋରଦାର୍ କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର