ଭୁବନେଶ୍ୱରରେ ହେବ କରୋନା ବ୍ୟାଙ୍କ, ସଂରକ୍ଷିତ ରଖାଯିବ ସଂକ୍ରମିତଙ୍କ ଲାଳ, ରକ୍ତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ତଥା ଗବେଷଣା ଓ ପରୀକ୍ଷଣକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ୍ ସାଇନ୍ସେସ ସମେତ ଦେଶର ୧୬ଟି ବିଭିିନ୍ନ ସ୍ଥାନରେ ଜୈବ ବ୍ୟାଙ୍କ (ବାୟୋ-ରିପୋଜିଟରୀ)ପ୍ରତିଷ୍ଠା କରିବା ପାଇଁ ଆଇସିଏମଆର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏସବୁ ବ୍ୟାଙ୍କ ଗୁଡ଼ିକରୁ କରୋନାର ଗବେଷଣା, ପରୀକ୍ଷଣ ଓ ସଂକ୍ରମଣ ସ୍ଥିତି ଆକଳନ କରିବା ପାଇଁ ଗବେଷଣାକରୀମାନଙ୍କୁ ସାହାଯ୍ୟ ମିଳିପାରିବ ।

ବ୍ୟାଙ୍କମାନଙ୍କରେ ସଂକ୍ରମିତମାନଙ୍କର ନମୂନାଗୁଡ଼ିକୁ ସୁରକ୍ଷିତ ରଖାଯିବ । ଏହି ୧୬ଟି ଜୈବ ବ୍ୟାଙ୍କରୁ ୯ଟି ଆଇସିଏମଆର, ୪ଟି ବାୟୋଟେକନୋଲୋଜୀ ବିଭାଗ ଓ ୩ଟି ସିଏସଆଇଆରର ରହିବ ବୋଲି ଜଣାପଡିଛି । ସଂକ୍ରମିତଙ୍କ ମୁହଁର ଲାଳ, ଛେପ, ରକ୍ତ, ମଳ, ମୂତ୍ରକୁ ସୁରକ୍ଷିତ ରଖାଯାଇପାରିବ, ଯାହାକୁ ଭବିଷ୍ୟତରେ ଚିକିତ୍ସା, ଟୀକା ଆଦି ବିକାଶ କରିବାରେ ସାହାଯ୍ୟ କରିବ |

ବିଶେଷ କରି ଭବିଷ୍ୟତରେ କରୋନା ଭାଇରସର ଭୟାବହତାକୁ ଆକଳନ ପାଇଁ ବ୍ୟାଙ୍କର ସାହାଯ୍ୟ ନିଆଯିବ । ନମୂନାଗୁଡ଼ିକର ଲାଭ ସରକାରୀ, ଘରୋଇ ଗବେଷଣା ଓ ଅନୁଧ୍ୟାନ ସଂସ୍ଥାମାନଙ୍କୁ ମିଳିପାରିବ । ଭୁବନେଶ୍ୱର ବ୍ୟତୀତ ଫରିଦାବାଦ, ବାଙ୍ଗାଲୋର, ନୂଆଦିଲ୍ଲୀ, ଏନସିଆରରେ ଏହି ଜୈବ ବ୍ୟାଙ୍କ ପ୍ରତିଷ୍ଠା କରାଯିବ | ଏଠାରେ ସୂଚନା ଥାଉ କି ଆଜି ସୁଦ୍ଧା ଆଇସିଏମଆର ପକ୍ଷରୁ ୩୭ ଲକ୍ଷ ୩୭ ହଜାର ୦୨୭ ନମୂନା ପରୀକ୍ଷା କରାଗଲାଣି |

ସମ୍ବନ୍ଧିତ ଖବର