ଭୁବନେଶ୍ବର : କରୋନା ଧୀରେ ଧୀରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କଲାଣି। ଲାଗାତାର ଦ୍ବିତୀୟ ଦିନ ଲାଗି ରାଜ୍ୟରେ ୩ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପୂର୍ବରୁ କେବଳ ଖୋର୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିବା ବେଳେ ଏଥିରେ ଆହୁରି ୨ଟି ଜିଲ୍ଲା ସାମିଲ୍ ହୋଇଛନ୍ତି। ନୂଆପଡ଼ା ଓ ସମ୍ବଲପୁରରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହଜାରେ ପାର୍ କରିଛି। ଏହାସହ ଆହୁରି ୭ଟି ଜିଲ୍ଲା ୟେଲୋ ଜୋନ୍‌ରେ ରହିଛନ୍ତି।

Advertisment

ଚଳିତମାସ ଆରମ୍ଭରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଏବେ ସଂକ୍ରମଣ ଅନ୍ୟ ଜିଲ୍ଲାକୁ ବ୍ୟାପିବାକୁ ଆରମ୍ଭ କରିଛି। ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବାକୁ ଆରମ୍ଭ କରିଥିବାରୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ସୁନ୍ଦରଗଡ଼ରେ ଲାଗାତାର ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ୫ଶହ ଉପରେ ରହିଛି। ଜିଲ୍ଲାରୁ ୫୨୩ ଆକ୍ରାନ୍ତ ବାହାରିଛନ୍ତି। ସେହିଭଳି ଖୋର୍ଧାରେ ୪୯୭, ନୂଆପଡ଼ା ୩୯୫, ବରଗଡ଼ ୧୫୬, ସମ୍ବଲପୁର ୧୪୯, କଟକ ୧୪୦, ପୁରୀ ୧୨୯, କେନ୍ଦୁଝର ୧୨୮, ଝାରସୁଗୁଡ଼ା ୧୧୯, ନବରଙ୍ଗପୁର ୯୬ ଓ ବଲାଙ୍ଗୀରରେ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଗୋଟିଏ ଦିନରେ ୩୭,୨୪୫ ନମୁନା ପରୀକ୍ଷା ହୋଇଛି। ଅପରପକ୍ଷରେ କିଛିଦିନର ବ୍ୟବଧାନ ପରେ ରାଜ୍ୟରେ କୋଭିଡ୍‌ ମୃତ୍ୟୁରେ ମଧ୍ୟ ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯୪୨ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି। ରୋଗୀଙ୍କ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିଛି। ଆଜି ୧୩୦୩ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୭,୭୭୪ ରହିଛି। ଯାହାକି ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ ପ୍ରତିଶତରୁ ଅଧିକ।