କରୋନା ସୁସ୍ଥ ପରେ ବି ୧୪ଦିନ ସଙ୍ଗରୋଧ

ଭୁବନେଶ୍ବର : ରାଜ୍ୟରେ‌ କରୋନା ସଂକ୍ରମିତ ୬୦ଜଣଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇସାରିଛନ୍ତି। ତେ‌ବେ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ହସ୍ପିଟାଲରୁ ଫେରିବା ପରେ ମଧ୍ୟ ୧୪ଦିନ ଘରେ ସଙ୍ଗ‌େରୋଧରେ ରହିବା ଲାଗି ନିର୍ଦେଶ ଦିଆଯାଇଛି। ସେମାନଙ୍କ ଉପରେ ରାଜ୍ୟ ସରକାର ନଜର ରଖୁଛନ୍ତି ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ବାଗଚୀ କହିଥିଲେ ଯେ ପରିବର୍ତିତ ପରିସ୍ଥିତି‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ରେକର୍ଡ ସମୟ ଭିତରେ ରାଜ୍ୟରେ ସ୍ବତନ୍ତ୍ର ଭାବେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଯାହାକି ରାଜ୍ୟରେ ଇତିହାସରେ କେବେ ହୋଇ ନ ଥିଲା। ତେବେ କରୋନା ବିପଦ ଟଳିବା ପରେ ଏସବୁ କୋଭିଡ ହସ୍ପିଟାଲର ମାଲିକାନା ନେଇ ବିଚାର କରାଯିବ। କରୋନା ଅତି ସନ୍ତର୍ପଣରେ ଆସୁଛି। ଧୀରେ ଧୀରେ ଏହା ବିସ୍ଫୋରକ ରୂପ ନେଇଥାଏ। ତେଣୁ ଶତ୍ରୁକୁ ହେୟ ଜ୍ଞାନ ନ କରି ସମ୍ମାନ ଦେବା ସହିତ ଆମ ଅପେକ୍ଷା ଶତ୍ରୁ ଅଧିକ ଶକ୍ତିଶାଳୀ ବୋଲି ଧରିବାକୁ ହେବ। ଏହାକୁ ନଜରରେ ରଖି ରାଜ୍ୟରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ବାଗଚୀ କହିଥିଲେ। ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧ(ବାର୍ତା) ଅରବିନ୍ଦ ଦାସ, କନକ ନ୍ୟୁଜ୍ ସଂପାଦକ ମନୋରଂଜନ ମିଶ୍ର, ଓଟିଭି ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର ଓ ଜି ଟିଭି ଓଡ଼ିଶାର ଆବାସିକ ସଂପାଦକ ଶରତ ପାଇକରାୟ ପ୍ରମୁଖ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର