ଗାଁ ଗାଁରେ ଲୁଚିଛନ୍ତି କଲିକତା ଫେରନ୍ତା, ଖୋଜୁଛି ପ୍ରଶାସନ

ଭଦ୍ରକ : ପଡ଼ୋଶୀ ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଠାବ ହେବା ପରେ ବାହାର ରାଜ୍ୟରୁ ଭଦ୍ରକ ଫେରିଥିବା ଲୋକଙ୍କୁ ଖୋଜୁଛି ଜିଲ୍ଲା ପ୍ରଶାସନ। ହଟସ୍ପଟ୍‌ ଜୋନ୍‌ରେ ଭଦ୍ରକ ଥିବାରୁ ଜିଲ୍ଲା ପ୍ରଶାସନ ଏ ନେଇ ବେଶ ସତର୍କତା ଅବଲମ୍ବନ କରୁଛି। ମାର୍ଚ୍ଚ ୨୯ ତାରିଖରେ ଯାଜପୁରର ଉକ୍ତ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଭଦ୍ରକ ଜିଲ୍ଲାର ଅନ୍ୟ ୬ ଜଣ କୋଲକତାରୁ ଫେରିଥିଲେ। ଚିହ୍ନଟ ହୋଇଥିବା ଏହି ୬ ଜଣଙ୍କୁ ନିଜ ନିଜ ପଞ୍ଚାୟତ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ଭଦ୍ରକ ଜିଲ୍ଲା ପ୍ରଶାସନ ରଖିଥିବ‌ାବେଳେ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଏହାଛଡା ସେହି ୨୯ ତାରିଖରେ କୋଲକାତାରୁ ଭଦ୍ରକ ଫେରିଥିବା ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଘରୁ ଉଠାଯାଇଛି। ଏବେ ବି ଅନେକ ଲୋକ ବିଭିନ୍ନ ସମୟରେ କୋଲକାତାରୁ ଲୁଚିଛପି ଆସି ଭଦ୍ରକରେ ପହଞ୍ଚୁଛନ୍ତି। ବାରମ୍ବାର ଅବଗତ କରାଯିବା ସତ୍ତ୍ବେ ସେମାନେ ନିଜ ନାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜୀକରଣ କରିନାହାନ୍ତି। ଏ ପରିପ୍ରେକ୍ଷୀରେ କୋଲକାତା ଫେରନ୍ତାଙ୍କୁ ଗୋଟି ଗୋଟି କରି ଖୋଜିବା ସହ ସେମାନଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ।

ସୂଚନା ମୁତାବକ ଧାମନଗର, ତିହିଡି, ଚାନ୍ଦବାଲି, ବନ୍ତ ଆଦି ବ୍ଲକ ଅଞ୍ଚଳରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ବିଭିନ୍ନ ସମୟରେ କୋଲକାତାରୁ ଆସି ନିଜ ନିଜ ଘରେ ରହିଛନ୍ତି। ଜିଲ୍ଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା, ଏରେଇ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ତିନିଦିନ ତଳେ ପୁରୁଣାବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରୁ ବାଦ୍‌ ଦିଆଯାଇଥିବାବେଳେ ଏରେଇ ଓ ଚରମ୍ପା ଅଞ୍ଚଳ ଏବେ ମଧ୍ୟ କଣ୍ଟେନମେଣ୍ଟ ଜୋନରେ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଉଭୟ ଏବେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ କଟକର ଅଶ୍ବିନୀ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି। ସେପଟେ ଭଦ୍ରକକୁ କ୍ଲଷ୍ଟର ହଟସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କରାଯିବା ପରେ ଯାଞ୍ଚ ଓ କଟକଣାକୁ ଆହୁରି କଡାକଡି କରାଯାଇଛି। ଏମିତିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର