ଆହୁରି ଦେଢ଼ ଲକ୍ଷ ଫେରିବେ, ଆଗ୍ନେୟଗିରି ମୁହଁରେ ଗଞ୍ଜାମ, ଦିନକରେ ୫୨

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳୁ ସର୍ବାଧିକ ୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଛି। ମାତ୍ର ୧୨ ଦିନରେ କରୋନା ପଜିଟିଭ୍‌ ୨୦୦ ପାର୍‌ କରିଯାଇଛି। ଆଜି ସକାଳୁ ସଂଖ୍ୟା ୨୧୦ରେ ପହଞ୍ଚିଛି। ଉଦ୍‌ବେଗର ବିଷୟ ହେଲା, ଜିଲ୍ଳାର ଏକମାତ୍ର ଟାଟା କୋଭିଡ଼୍‌-୧୯ ହସ୍‌ପିଟାଲ ଶଯ୍ୟା ସଂଖ୍ୟା ଠାରୁ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଯାଇଛି। ଟାଟା କୋଭିଡ୍‌ ହସ୍ପିଟାଲରେ ସମୁଦାୟ ୨୦୦ ଶଯ୍ୟା ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଗଲାଣି। ପ୍ରଶାସନ ପକ୍ଷରୁ ତୁରନ୍ତ ଛତ୍ରପୁର, ବ୍ରହ୍ମପୁର, ହିଞ୍ଜିଳି ଓ ଭଞ୍ଜନଗରରେ ୪ଟି କୋଭିଡ୍‌ କେୟାର୍‌ ସେଣ୍ଟର୍‌ ପାଇଁ କୋଠା ଚିହ୍ନଟ ହୋଇ କାମ ହେଲେ ମଧ୍ୟ ଆଜି ସୁଦ୍ଧା କୋଭିଡ୍‌ କେୟାର୍‌ ସେଣ୍ଟର୍‌ ପ୍ରସ୍ତୁତ ହୋଇ ପାରିନାହିଁ କି ଡାକ୍ତର, କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। ଗଞ୍ଜାମ ଜିଲ୍ଲାକୁ ଏକ ପ୍ରକାର ଆଗ୍ନେୟଗିରି ମୁହଁରେ ଛାଡ଼ିଦେଲା ଭଳି ସ୍ଥିତି ଉପୁଜିଛି। ଏଣେ ପ୍ରବାସୀ ଓଡ଼ିଆଙ୍କ ଏଭିଳି ଆଗମନ ଜାରି ରହିଲେ, ମେ’ ଶେଷ ସୁଦ୍ଧା ଜିଲ୍ଳାକୁ ଆହୁରି ଦେଢ଼ ଲକ୍ଷ ଓଡ଼ିଆ ଶ୍ରମିକ ଫେରିବେ। ସେମାନଙ୍କୁ କେଉଁଠି ରଖିବେ, ସେ ଚିନ୍ତା ଅନ୍ୟ ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୨ତାରିଖରେ ଜିଲ୍ଲାରେ ପ୍ରଥମେ ୨ଟି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରଠୁ ଏହି ସଂଖ୍ୟା କ୍ରମାଗତ ଭାବେ ଦ୍ରୁତ ଗତ‌ିରେ ବଢ଼ି ଚାଲିଛି। ୧୦ ତାରିଖ ସକାଳୁ ଏକକାଳୀନ ୨୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଦିନ ସନ୍ଧ୍ୟାରେ ପୁଣି ୭ ଜଣ କରୋନା ପଜିଟିଭ୍‌ ରିପୋର୍ଟ ମିଳିଥିଲା। ଗୋଟିଏ ଦିନରେ ସମୁଦାୟ ୩୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ରେକର୍ଡ଼ ୫୨ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୫୨ଜଣ ଯାକ ପଜିଟିଭ୍‌ ସଙ୍ଗରୋଧ କେନ୍ଦ୍ରର ବୋଲି ସରକାର କହିଛନ୍ତି। ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ କେରଳ, ‌‌ଚେନ୍ନାଇ, ମୁମ୍ବାଇ, ସୁରତ ଆଦି ଅଞ୍ଚଳରୁ ଫେରିଥିବା ପ୍ରବାସୀ ଓଡ଼ିଆ ରହୁଛନ୍ତି। ଆଜି ଚିହ୍ନଟ ୫୨ ପଜିଟିଭ୍‌ କିଏ କେଉଁ ରାଜ୍ୟ ଫେରନ୍ତା ତାହା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ୍‌ ତାଲିକାର ପ୍ରଥମରେ ଗଞ୍ଜାମ ରହିଥିବା ବେଳେ ବାଲେଶ୍ବର ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଆଜି ଏକମାତ୍ର ଆଶ୍ବସ୍ତିର ବିଷୟ ହେଲା, ଶୀତଳାପଲ୍ଲୀ ଟାଟା କୋଭିଡ଼୍‌-୧୯ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ୨ଜଣ ‌‌କରୋନା ପଜିଟିଭ୍‌ ଆଜି ସନ୍ଧ୍ୟାରେ ଘରକୁ ଫେରିଛନ୍ତି। ସମୁଦାୟ ୨୧୦ ପଜିଟିଭ୍‌ଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ୨୦୭ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର