ଦେଶରେ ସଂକ୍ରମଣ ହାର କମିଛି : ୫ ସପ୍ତାହରେ ବୃଦ୍ଧିହାର ୨୧.୬%ରୁ ୮.୧%କୁ ହ୍ରାସ, ତଥାପି ବିପଦ ଟଳିନି; ଜର୍ମାନୀ ଓ ଆମେରିକାଠୁ ଅଧିକ

ମେ’ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨.୫ଲକ୍ଷ ଛୁଇଁପାରେ

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଏବେ ତାଣ୍ଡବ ରଚୁଥିବାବେଳେ ପାଶ୍ଚତ୍ୟ ଦେଶଗୁଡ଼ିକ‌େର ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏମିତି ଏକ ସମୟରେ ଦେଶବାସୀଙ୍କ ପାଇଁ ଆଶ୍ବସ୍ତିର ଖବର ହେଲା, ଭାରତରେ କରୋନା ସଂକ୍ରମଣର ହାରାହାରି ବୃଦ୍ଧିହାର କମିଛି। ଯଦିବା ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି କେତୋଟି ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ହୋଇଛି; ତଥାପି ସାରା ଦେଶରେ ସଂକ୍ରମଣର ହାର କ୍ରମଶଃ କମୁଥିବା ନେଇ ଏକ ଆକଳନରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ ଲକ୍‌‌ଡାଉନ୍‌ ଘୋଷଣା କରିଥିଲେ। ସେ ସମୟରେ ଭାରତରେ କରୋନା ମାମଲା ପ୍ରାୟ ୫୦୦ ଥିଲା। କିନ୍ତୁ ସେତେବେଳେ ଆଶଙ୍କା କରାଯାଉଥିଲା‌ ଯେ, ଅନ୍ୟ ଦେଶ ପରି ଭାରତରେ ମଧ୍ୟ କରୋନା ମାମଲା ଅତି ଶୀଘ୍ର ବଢ଼ିଯିବ। ସେହି ତାରିଖରେ ଭାରତରେ କରୋନାର ହାରାହାରି ବୃଦ୍ଧିହାର ୨୧.୬ ପ୍ରତିଶତ ଥିଲା। ଏବେ ଏହା ୮.୧ ପ୍ରତିଶତକୁ କମିଯାଇଛି। ମାସକ ପୂର୍ବରୁ ଯେଉଁ ବୃଦ୍ଧିହାର ଥିଲା ତାହା ଯଦି ବଜାୟ ରହିଥାନ୍ତା ତେବେ ଭାରତରେ କରୋନା ମାମଲା ଏତେବେଳକୁ ୨ ଲକ୍ଷ ଟପି ଯାଇଥାନ୍ତା। ମାତ୍ର ବିପଦ ଏବେବି ଟଳିନାହିଁ। କାରଣ ଲକ୍‌ଡାଉନ୍‌ର ପଞ୍ଚମ ସପ୍ତାହରେ ତିନିଦିନ ମଧ୍ୟରେ ୮.୧ ପ୍ରତିଶତ ବୃଦ୍ଧିହାର ସର୍ବାଧିକ ପ୍ରଭାବିତ ହୋଇଥିବା ଅନ୍ୟ କିଛି ଦେଶ ତୁଳନାରେ ଯଥେଷ୍ଟ ଅଧିକ ଥିବା ପରିଲକ୍ଷିତ ହୋଇଛି। ଜର୍ମାନୀ ଏହି ଲକ୍‌ଡାଉନ୍ ଅବଧି ମଧ୍ୟରେ କରୋନାର ବୃଦ୍ଧିହାର ୨ ପ୍ରତିଶତକୁ କମାଇଥିବାବେଳେ ଆମେରିକାରେ ମଧ୍ୟ କରୋନା ବୃଦ୍ଧିହାର ୪.୮ ପ୍ରତିଶତ ରହିଛି।

ଭାରତରେ ବର୍ତ୍ତମାନର କରୋନାର ଏହି ବୃଦ୍ଧିହାର ଯଦି ବଜାୟ ରହେ ତେବେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଏବଂ ୧୫ ଦିନ ମଧ୍ୟରେ ଏହା ୭୦ ହଜାରକୁ ବୃଦ୍ଧି ପାଇବ। ମେ’ ଶେଷ ସୁଦ୍ଧା ଭାରତରେ କରୋନା ମାମଲା ପ୍ରାୟ ୨ଲକ୍ଷ ୫୦ ହଜାରରେ ପହଞ୍ଚିଯିବ। ତେବେ ଯଦି ଭାରତ ଏହାର କରୋନା ବୃଦ୍ଧିହାରକୁ ୬ ପ୍ରତିଶତକୁ କମାଇଦେବ ତେବେ ମାସକ ପରେ ଭାରତରେ କରୋନା ମାମଲା ୧ ଲକ୍ଷ ୩୦ ହଜାର ରହିଥିବ। ୫ ପ୍ରତିଶତ ବୃଦ୍ଧି ହାରରେ ଭାରତରେ ମାମଲା ୧ ଲକ୍ଷ ଅତିକ୍ରମ କରିବନି।

ଏବେ କିଛି ରାଜ୍ୟ କରୋନାକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ମୁକାବିଲା କରୁଛନ୍ତି। କରୋନା ବୃଦ୍ଧିହାରକୁ ଏହି ରାଜ୍ୟମାନେ କମାଇବାକୁ ସକ୍ଷମ ହୋଇଛନ୍ତି। କେରଳରେ ବୃଦ୍ଧିହାର ୧.୮ ପ୍ରତିଶତ ରହିଛି, ଯାହା ଜର୍ମାନୀର ବୃଦ୍ଧିହାରଠାରୁ ମଧ୍ୟ କମ୍‌। ଲକ୍‌ଡାଉନ୍‌ ଘୋଷଣା ହେବା ଦିନ ଦେଶରେ ୨୧୦୦ରୁ ଅଧିକ ମାମଲା ଥିଲା। ସେଥିରୁ କେରଳରେ ୧୦୯ ଏବଂ ମହାରାଷ୍ଟ୍ରରେ ୧୦୭ ମାମଲା ଥିଲା। କିନ୍ତୁ ଲକ୍‌ଡାଉନ୍‌ର ଠିକ୍‌ ମାସକ ପରେ ୭ ରାଜ୍ୟରେ ୧୦୦୦ରୁ ଅଧିକ ମାମଲା ରହିଛି। ଏବେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୮୧୭ ଥିବାବେଳେ ଗୁଜରାଟରେ ୨,୮୧୫, ଦିଲ୍ଲୀରେ ୨,୫୧୪,‌ ରାଜସ୍ଥାନରେ ୨,୦୩୪, ତାମିଲନାଡ଼ୁରେ ୧,୭୫୫, ମଧ୍ୟପ୍ରଦେଶରେ ୧,୯୧୪, ଉତ୍ତରପ୍ରଦେଶରେ ୧,୬୭୪ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର