ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତିକି ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତହିଁରୁ କେବଳ ୫୦ ପ୍ରତିଶତ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ବିଦେଶ ଫେରାନ୍ତଙ୍କ ମଧ୍ୟରେ ସଂକ୍ରମଣ ୫ ପ୍ରତିଶତ ଥିବା ବେଳେ ଅନ୍ୟ ରାଜ୍ୟରୁ ଫେରାନ୍ତଙ୍କ ମଧ୍ୟରେ ସଂକ୍ରମଣ ୪୫ ପ୍ରତିଶତ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ କହିଲେ ଯେ ଦେଶର ଅନ୍ୟ ରାଜ୍ୟମାନେ ଯେତିକି ସଂଖ୍ୟକ କୋଭିଡ ନମୁନା ପରୀକ୍ଷା କରୁଛନ୍ତି, ଓଡ଼ିଶା ତା’ଠାରୁ ଅଧିକ ପରୀକ୍ଷା କରୁଛି। ଦେଶରେ ୧୦ଲକ୍ଷ ଜନସଂଖ୍ୟାରେ ୪୫୨ଜଣଙ୍କ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ୬୬୬ ଜଣଙ୍କ ନମୁନା ପରୀକ୍ଷା ହେଉଛି। ରାଜ୍ୟରେ ପୂର୍ବରୁ କେବଳ ଗୋଟିଏ ସ୍ଥାନରେ କୋଭିଡ ନମୁନା ପରୀକ୍ଷା ହେଉଥିଲା। ମାତ୍ର ଏବେ ରାଜ୍ୟର ୮ଟି ସ୍ଥାନରେ ଏହି ପରୀକ୍ଷା ହୋଇପାରୁଛି। ଆଗାମୀ ଦିନରେ କୋରାପୁଟ, ବାଲେଶ୍ବର, ବଲାଙ୍ଗୀର ଓ ବାରିପଦାରେ କୋଭିଡ ନମୁନା ପରୀକ୍ଷା ହେବ। ପ୍ରଥମ ସପ୍ତାହରେ ୧୫ଶହ ନମୁନା ପରୀକ୍ଷା ହେଉଥିବା ବେଳେ ଚତୁର୍ଥ ସପ୍ତାହ ବେଳକୁ ଏହା ୧୫ହଜାରରେ ପହଞ୍ଚି ପାରିଛି। ଅଧିକରୁ ନମୁନା ପରୀକ୍ଷା ଅର୍ଥ ହେଉଛି, ଅଧିକ ସଂଖ୍ୟାରେ ପଜିଟିଭ୍ଙ୍କୁ ଚିହ୍ନଟ କରିବା। ଠିକ୍ ଜାଗାରେ ନମୁନା ସଂଗ୍ରହ କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସଂକ୍ରମଣ ମଧ୍ୟ କମ୍ ରହିଛି। ଆଇସିଏମ୍ଆର ନିର୍ଦେଶାବଳୀ ଅନୁଯାୟୀ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ପରେ ରହିଛି ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବିଦେଶ ଓ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ଓ କୋଭିଡରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀଙ୍କ ନମୁନା ପରୀକ୍ଷା କରାଯାଉଛି। ରାଜ୍ୟରେ ଏବେ ୮୩ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ବେଳେ ମାତ୍ର ୬ଜଣଙ୍କ ନିକଟରେ କାଶ ଭଳି ସାମନ୍ୟ ଲକ୍ଷଣ ରହିଛି। ବୋଧହୁଏ ଓଡ଼ିଶାର ଲୋକମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥିବା କାରଣରୁ ଲକ୍ଷଣ ନ ଥିବା ବ୍ୟକ୍ତି ଅଧିକ ମାତ୍ରାରେ ଚିହ୍ନଟ ହେଉଛନ୍ତି। ତେବେ ଲକ୍ଡାଉନ୍ ଖୋଲିବା ପରେ ବ୍ୟକ୍ତିଗତ ସ୍ତରରେ ଲୋକମାନଙ୍କର ଦାୟିତ୍ବ ବଢ଼ିବ ଓ ଲୋକମାନେ ଅଧିକ ମାତ୍ରାରେ ଯତ୍ନବାନ ହେବାର ସମୟ ଆସିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି। ଡିଏମ୍ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଥିଲେ ଯେ ବିଗତ ଦିନର ଅଭିଜ୍ଞତାରୁ ବହୁତ କିଛି ଶିଖିବାକୁ ମିଳିଛି। କୋରାନାର ଏ ପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ। ତେଣୁ ଲୋକମାନେ ସତକର୍ତା ଅବଲମ୍ବନ କରିବା ଉଚିତ୍ ବୋଲି ପ୍ରଫେସର ମହାନ୍ତି କହିଛନ୍ତି।
ରାଜ୍ୟରେ ୫୦% ଆକ୍ରାନ୍ତ କେବଳ ସଂସ୍ପର୍ଶରୁ
/sambad/media/post_attachments/wp-content/uploads/2020/04/corona-ad-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)