ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦ ଆକ୍ରାନ୍ତ ଚିହ୍ନଟ, ୫୭ ସୁସ୍ଥ, ଭୁବନେଶ୍ବର ହେଲା କରୋନା ମୁକ୍ତ

ଭୀମଭୋଇ ମେଡିକାଲ କଲେଜରେ କୋଭିଡ ପରୀକ୍ଷାକୁ ଅନୁମତି, ଶହେରୁ ଅଧିକ ମହିଳା ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୦ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ହାତ ଗଣତି କିଛି ସଂକ୍ରମିତଙ୍କୁ ବାଦ୍ ଦେଲେ ଅନ୍ୟମାନେ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଫଳରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ୮୯୮କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିଙ୍କ ସୁସ୍ଥ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୫୭ଜଣ ସୁସ୍ଥ ହେବା ସହିତ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସମସ୍ତ ସକ୍ରିୟ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ସର୍ବାଧିକ ସଂକ୍ରମିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୯ ଜଣ ନୂଆଗାଁ ଓ ଜଣେ କୁଜଙ୍ଗ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ‌ସଂକ୍ରମିତଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ଉଦ୍ୟମ ଜାରି ରହିଛି।

ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୫ଜଣଙ୍କ ମଧ୍ୟରୁ ୧୪ଜଣ ସୁରତ ଓ ଜଣେ ବେଙ୍ଗାଲୁରୁ ଫେରନ୍ତା ରହିଥିବା ବେଳେ ଯାଜପୁରର ୧୬ଜଣଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ, ୪ ଆନ୍ଧ୍ର ଓ ଅହମ୍ମଦାବାଦ ଓ ଜଣେ ତେଲେଙ୍ଗାନା ଫେରନ୍ତା ରହିଛନ୍ତି। ପୁରୀର ୪ ସଂକ୍ରମିତଙ୍କ ମଧ୍ୟରୁ ୨ ତାମିଲନାଡ଼ୁ ଓ ଜଣେ ଆନ୍ଧ୍ର ଓ ଜଣେ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ନୟାଗଡ଼ର ୩ଜଣ ଅହମ୍ମଦାବାଦ ଫେରନ୍ତା ହୋଇଥିବା ବେଳେ ନୂତନ ସଂକ୍ରମିତ ଜିଲ୍ଲା ଭାବେ କନ୍ଧମାଳରୁ ୨ଜଣଙ୍କୁ ଚିହ୍ନଟ କରାଯାଇଛି। ୨ ସଂକ୍ରମିତ ତାମିଲନାଡ଼ୁରୁ ଫେରିଛନ୍ତି। କେନ୍ଦ୍ରାପଡ଼ାର ୩ଜଣଙ୍କ ମଧ୍ୟରୁ ସମସ୍ତେ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଥିବା ବେଳେ ଖୋର୍ଧାର ଜଣେ ସୁରତ ଫେରନ୍ତା ଅଛନ୍ତି। ସେହିପରି ବଲାଙ୍ଗୀରର ୨ଜଣ ସୁରତରୁ ଫେରିଥିବା ବେଳେ ଜଣେ ବୌଦ୍ଧ ଓ ଜଣେ କଟକ ଜିଲ୍ଲାର ମହାରାଷ୍ଟ୍ର ଫେରନ୍ତା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଟକ ଜିଲ୍ଲାରୁ ଜଣେ ସଂକ୍ରମିତ ହୋଇଥିବା ନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ସନ୍ଧ୍ୟାରେ ଆଉ ୨ ଜଣ ସଂକ୍ରମିତ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ରାଜ୍ୟର ୨୩ ଜିଲ୍ଲା ଏବେ କରୋନା କବଳରେ ଥିବା ବେଳେ ନୂତନ ଜିଲ୍ଲା ଭାବେ କନ୍ଧମାଳ ଏଥିରେ ସାମିଲ ହୋଇଛି।

ଆଜି ରେକର୍ଡ ସଂଖ୍ୟକ ୫୭ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତହିଁରୁ ୪୦ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ବେଳେ ୫ଜଣ ଜଗତସିଂହପୁର, ୪ ମୟୂରଭଞ୍ଜ, ୩ ଭୁବନେଶ୍ବର, ୨ ବଲାଙ୍ଗୀର ଓ ଜଣେ ଲେଖାଏ ସୁନ୍ଦରଗଡ଼, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅଛନ୍ତି। ଗଞ୍ଜାମ ଜିଲ୍ଲାର ୩୦୭ ଚିହ୍ନଟଙ୍କ ମଧ୍ୟରୁ ୮୯ ସୁସ୍ଥ ହେବା ଫଳରେ ଏବେ ୨୧୬ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି। ଭୁବନେଶ୍ବରରେ ୫୦ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ପରେ ସଂକ୍ରମିତ ବ୍ୟକ୍ତିମାନେ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ଏବେ ୫୯୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୮୦୧ଜଣ ପୃଥକବାସରେ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଶହେ ଟପିଛି।

ଆଜି ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ ପରୀକ୍ଷାକୁ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଅନୁମତି ଦିଆଯାଇଛି। ଫଳରେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା କେନ୍ଦ୍ରରେ ବୃଦ୍ଧି ଘଟିଛି। ରାଜ୍ୟରେ ଏବେ ଦୈନିକ ୫ ହଜାର କୋଭିଡ ନମୁନା ପରୀକ୍ଷା ହେଉଥିବା ବେଳେ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର