ଚତୁର୍ଥ ଲହର ଭୟ:କରୋନା ସଂକ୍ରମଣ ଉପରେ ନଜର ରଖିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ, ସତର୍କ ହେଲେ ସରକାର

ଭୁବନେଶ୍ବର: ଦିଲ୍ଲୀ ସମେତ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ପୁଣିଥରେ ଚତୁର୍ଥ ଲହରର ଭୟ ଦେଖା ଦେଇଛି। ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ଅଙ୍କରେ ସୀମିତ ରହିଛି, ତଥାପି ଚତୁର୍ଥ ଲହରର ଭୟକୁ ଏଡ଼ାଇ ଦେଇହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ କରୋନା ସଂକ୍ରମଣ ଉପରେ ନଜର ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ କୁହାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ମାତ୍ର ୭/୮ଟି ଜିଲ୍ଲାରୁ ହାତଗଣତି କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମଣକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି। ଆଇସିଏମ୍‌ଆର ଗାଇଡଲାଇନ୍ ଅନୁଯାୟୀ କୋଭିଡ ନମୁନା ପରୀକ୍ଷାକୁ ବୃଦ୍ଧି କରାଯାଇଛି। ଯଦି କୌଣସି କ୍ଲଷ୍ଟରରେ ସଂକ୍ରମିତ ଚିହ୍ନଟ ହୁଅନ୍ତି, ତାହାଲେ ଜିଲ୍ଲା ପ୍ରଶାସନ ଏହା ଉପରେ ନଜର ରଖିବାକୁ କୁହାଯାଇଥିବା ଡା.ମିଶ୍ର କହିଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବଲପୁର, ବଲାଙ୍ଗୀର, ଖୋର୍ଧା, କେନ୍ଦ୍ରାପଡ଼ା, ବାଲେଶ୍ବର, କଟକ, ପୁରୀ ଓ ସୋନପୁର ଆକ୍ରାନ୍ତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୩୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୦୭ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ୧୩ଟି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଏହାସହ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୯୧୨୩ରେ ସ୍ଥିର ରହିଛି। ତେବେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନକୁ ପ୍ରତ୍ୟାହାର କରିବା ପରେ ରାଜ୍ୟ ସରକାର ମଧ୍ୟ ଏହାକୁ ହଟାଇ ଦେଇଛନ୍ତି। ତେଣୁ କୋଭିଡ ସଂକ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି ଏଣିକି ସ୍ବାସ୍ଥ୍ୟ ବିଭାଗ ଗ୍ରହଣ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ କରୋନାର ଚତୁର୍ଥ ଲହରର ମୁକାବିଲାରେ ରାଜ୍ୟରେ ପିଲାଙ୍କ ଟିକାକରଣ ଚିନ୍ତାର ବିଷୟ ହୋଇଛି। ୧୨-୧୫ବର୍ଗ ଓ ୧୫-୧୮ବର୍ଗର ପିଲାଙ୍କ ଟିକାକରଣ ରାଜ୍ୟରେ ଗତ କିଛିଦିନ ହେବ ଧିମେଇ ଯାଇଛି। ତୃତୀୟ ଓ ସମ୍ଭାବ୍ୟ ଚତୁର୍ଥ ଲହରରେ ପିଲାମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥିବା କୁହାଯାଉଛି। ସେହିପରି ୧୮ବର୍ଷରୁ ଅଧିକ ଲୋକଙ୍କ ବୁଷ୍ଟର ଡୋଜ୍ ମଧ୍ୟ ରାଜ୍ୟରେ ଉତ୍ସାହଜନକ ନୁହେଁ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା.ନିରଜ ମିଶ୍ର କହିଛନ୍ତି, ଆଗକୁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ। ମାତ୍ର ଲୋକମ‌ାନେ ଏଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ। ଲୋକମା‌ନେ ବୁଷ୍ଟର ଡୋଜ୍ ନେବାକୁ ଡା.ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର