ରାଜ୍ୟରେ ୮୦%ଙ୍କ ମଧ୍ୟରେ କରୋନା ଲକ୍ଷଣ ନାହିଁ

ଏବେ ୩୫ ଆକ୍ରାନ୍ତଙ୍କ ନିକଟରେ ସାଧାରଣ ଲକ୍ଷଣ
୨ଜଣଙ୍କୁ ହସ୍ପିଟାଲରେ ସ୍ବାସ୍ଥ୍ୟସେବାର ଆବଶ୍ୟକତା
ଆକ୍ରାନ୍ତଙ୍କ ମଧ୍ୟରେ ୮% ଲୋକ ୬୦ବର୍ଷରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ମାତ୍ର ୮ ପ୍ରତିଶତ ବ୍ୟକ୍ତି ୬୦ ବର୍ଷରୁ ଅଧିକ ରହିଛନ୍ତି। ବିଶ୍ବବ୍ୟାପୀ ୬୦ ବର୍ଷରୁ ଅଧିକ ‌ଲୋକମାନେ କରୋନା ପାଇଁ ଅଧିକ ସ‌ମ୍ବେଦନଶୀଳ। ଏହି ବୟସର ବ୍ୟକ୍ତିମାନଙ୍କୁ ଯତ୍ନ ସହିତ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଆଜି ସାମ୍ବାଦିକ ସମ୍ମିଳନୀ‌ରେ ଶ୍ରୀମତୀ ପଣ୍ଡିତ ଚାର୍ଟ ମାଧ୍ୟମ‌ରେ ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ବୟସ ସଂପର୍କରେ ସୂଚନା ଦେଇଥିଲେ। ଏହି ସୂଚନାରେ ୦-୧୪ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ପ୍ରତିଶତ ବ୍ୟକ୍ତି ରହିଥିବା ବେଳେ ୧୫-୪୦ବର୍ଷ ଭିତରେ ୫୨ ପ୍ରତିଶତ, ୪୧-୬୦ ବର୍ଷ ଭିତରେ ୨୪ ପ୍ରତିଶତ ବ୍ୟକ୍ତି ରହିଥିବା ଜଣାପଡ଼ିଛି। ସେ କହିଥି‌ଲେ ଯେ ରାଜ୍ୟରେ ଏବେ ୧୨ଜଣ କ‌ରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଆସନ୍ତା କିଛି ଦିନ ମଧ୍ୟରେ ଆହୁରି ଅଧିକ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏବେ ସକ୍ରିୟ ଥିବା ୩୭ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୨ଜଣଙ୍କୁ ହସ୍ପିଟାଲରେ ସ୍ବାସ୍ଥ୍ୟସେବାର ଆବଶ୍ୟକତା ରହିଛି। ଅନ୍ୟ ୩୫ ଜଣଙ୍କ ନିକଟରେ ସାଧାରଣ ଲକ୍ଷଣ ଦେଖିବାକୁ ମିଳିଛି। ରାଜ୍ୟରେ ଚିହ୍ନଟଙ୍କ ମଧ୍ୟରେ ୮୦ ପ୍ରତିଶତ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ମାତ୍ର ପରୀକ୍ଷା ହେବା ପରେ ତାଙ୍କଠାରେ କରୋନା ଚିହ୍ନଟ ହୋଇଥିଲା।

ଶ୍ରୀମତୀ ପଣ୍ଡିତ କହିଲେ ଯେ ଆଗାମୀ ଦିନରେ ମଧ୍ୟ କୋଭିଡ୍‌ ପରୀକ୍ଷାକୁ ବଢ଼ାଯିବ। ଯେତେଶୀଘ୍ର କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ, ସେହି ଅନୁପାତରେ ଏହାକୁ କାବୁ କରିବା ସମ୍ଭବ ହୋଇପାରିବ। ରାଜ୍ୟର ସବୁ ଜିଲ୍ଲାରେ ପରୀକ୍ଷା କରାଯାଉଛି। ଏଥିପାଇଁ ଗାଁରେ କ୍ୟାମ୍ପ ଜରିଆରେ ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟ ଆଦିରେ ନମୁନା ସଂଗ୍ରହ କରାଯାଉଛି। କରୋନା ପାଇଁ ସମ୍ବେଦନଶୀଳ ଥିବା ବ୍ୟକ୍ତିଙ୍କ ସମେତ ଯେଉଁମାନଙ୍କର ଫ୍ଲୁ’ ଲକ୍ଷଣ ରହିଛି କିମ୍ବା ଲକ୍ଷଣ ନାହିଁ, ସେମାନଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଇଥିଲା। ରାଜ୍ୟରେ କାର୍ଯ୍ୟରତ ଡାକ୍ତର, ଷ୍ଟାଫ୍ ନର୍ସ, ପାରାମେଡିକ୍ସ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ କରୋନାକୁ ପ୍ରତିହତ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ।

ସମ୍ବନ୍ଧିତ ଖବର