ମହାମାରୀ ଆଇନ ସଂଶୋଧନ : କରୋନାକୁ ନଜର ରଖିବେ ସରପଞ୍ଚ

ଜିଲ୍ଲା ଓ ବ୍ଲକ୍‌ସ୍ତରରେ କ୍ବା‌ରେଣ୍ଟାଇନ୍ ଯୋଜନା

ସୁବ୍ରତ ବାଗ୍‌ଚୀ ମୁଖପାତ୍ର ନିଯୁକ୍ତ
ବିଦେଶ ଫେରନ୍ତାଙ୍କ ଡାଟ‌ାବେସ୍‌
‌ପରାମର୍ଶଦାତା କମିଟି ଗଠନ ହେବ

ଭୁବନେଶ୍ବର : ତୃଣମୂଳସ୍ତରରେ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜୋରଦାର କରାଯାଇଛି। ଗତକାଲି ରାଜ୍ୟରେ ଲାଗୁ ହୋଇଥିବା ୧୮୯୭ ମସିହା ମହାମାରୀ ରୋଗ ଆଇନରେ କିଛିଟା ସଂଶୋଧନ କରାଯାଇଛି। ପଞ୍ଚାୟତସ୍ତରରେ ସରପଞ୍ଚ ଓ ସହରାଞ୍ଚଳରେ ପୌରାଞ୍ଚଳ କର୍ତୃପକ୍ଷ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେବା ଲାଗି ନିର୍ଦେଶ ଦିଆଯାଇଛି। ଆବାସିକ କଲ୍ୟାଣ ସମିତିର କର୍ମକର୍ତାମାନେ ମଧ୍ୟ ସହରାଞ୍ଚଳରେ ସହାୟତା କରିବେ। ଯାହାଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ କ୍ବାରାଣ୍ଟାଇନ୍ କିମ୍ବା ଆଇସୋଲେସନ୍‌ ପାଇଁ ଏହା ସହାୟକ ହୋଇପାରିବ।

ଅପରପକ୍ଷରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟରେ କରୋନା ପାଇଁ କିଭଳି ସଚେତନତା ସୃଷ୍ଟି କରାଯିବ ଓ ସାମ୍ବାଦିକ ସମ୍ମିଳନୀ କରୁଥିବା ଅଧିକାରୀମାନଙ୍କୁ ମଧ୍ୟ ସେ ପରାମର୍ଶ ଦେବେ। ଏହାସହ ରାଜ୍ୟ ସରକାର ଖୁବଶୀଘ୍ର ଏକ ବୈଷୟିକ ପରାମର୍ଶଦାତା କମିଟି ଗଠନ କରିବାକୁ ଯାଉଛନ୍ତି। ଏହି କମିଟିରେ ଡାକ୍ତରଙ୍କ ସମେତ ବରିଷ୍ଠ ବୈଜ୍ଞାନିକ, ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର ନିର୍ଦେଶକ, ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରମୁଖ ଏଥିରେ ସଦସ୍ୟ ରହିବା ସହିତ ନିୟମିତ ବ୍ୟବଧାନରେ ସମ୍ଭାବ୍ୟ ସଂକ୍ରମଣ ଓ ପ୍ରତିରୋଧ ସଂପର୍କରେ ସରକାରଙ୍କୁ ପରାମର୍ଶ ଦେବେ।

ଆଜି ଲୋକସଂପର୍କ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଲେ ଯେ ଗତକାଲି ଲାଗୁ ହୋଇଥିବା ୧୮୯୭ ମସିହା ମହାମାରୀ ରୋଗ ଆଇନରେ ସଂଶୋଧନ କରାଯିବା ସହିତ ସରକାର ଆଉ ୨ଟି ଧାରା ସାମିଲ କରିଛନ୍ତି। ଏଥିପାଇଁ ସରପଞ୍ଚ ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ କର୍ତବ୍ୟ ସଂପର୍କରେ ସୂଚନା ଦିଆଯାଇଛି। ଗତ ୧୪ଦିନ ଭିତରେ ସେମାନଙ୍କ ଅଞ୍ଚଳରେ କୌଣସି ବ୍ୟକ୍ତି ବିଦେଶ କିମ୍ବା ଅନ୍ୟ ସ୍ଥାନରୁ ଫେରିଥିଲେ ସେମାନଙ୍କ ସଂପର୍କରେ ସୂଚନା ପ୍ରଦାନ କରିବା ପାଇଁ କୁହାଯାଇଛି। କରୋନା ସଂକ୍ରମଣକୁ ଜାତୀୟ ବିପର୍ଯ୍ୟୟରେ ସାମିଲ କରାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ଏହାଦ୍ବାରା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ କରାଯାଇ ପାରିବ। ଏହାସହ ମାସ୍କ, ଗ୍ଲୋଭ୍‌ସ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ସାମିଲ କରାଯାଇଛି। ଯାହାଫଳରେ ଏହାର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇଛି। କୌଣସି ପରିସ୍ଥିତିରେ ସେସବୁ ନିର୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରିବ ନାହିଁ।

ଅପରପକ୍ଷରେ ରାଜ୍ୟକୁ ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ। ବିମାନ ବନ୍ଦରରେ ହିଁ ଯାତ୍ରୀମାନଙ୍କୁ ଏ ସଂପର୍କରେ ସମସ୍ତ ସୂଚନା ଦିଆଯିବ। ପୂର୍ବରୁ ବିମାନ ବନ୍ଦରରେ ଯାତ୍ରୀମାନଙ୍କର କେବଳ ସ୍କ୍ରିନିଂ ହେଉଥିବା ବେଳେ ଏବେ ଯାତ୍ରୀମାନଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ସଂଗ୍ରହ କରାଯିବ। ଯାହାଫଳରେ ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବାରେ ଏହା ସହାୟକ ହୋଇପାରିବ। ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ଆସନ୍ତାକାଲି କିମ୍ବା ସୋମବାରଠାରୁ ଏହି ଡାଟବେସ୍ ପ୍ରସ୍ତୁତି ଆରମ୍ଭ କରାଯିବ। ସେହିପରି ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତୁରନ୍ତ ସଫାସୁତରା ରଖିବା ସହିତ ଅନବରତ ବିଜୁଳି ଓ ପାଣି ଯୋଗାଇ ଦେବା ଲାଗି ନିର୍ଦେଶ ଦିଆଯାଇଛି। ତେବେ ଅଧିକ ସଂଖ୍ୟାରେ ଲୋକମାନେ ଏକତ୍ର ନ ହେବା ସଂପର୍କରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ତେବେ ରାଜ୍ୟରେ ଥିବା ସପିଂ ମଲ୍‌ଗୁଡ଼ିକ ବନ୍ଦ ହେବା ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ‌ଜନସାଧାରଣ ଭୟଭୀତ ନ ହୋଇ ହାତକୁ ସାବୁନରେ ସଫାସୁତରା ରଖିବା ପାଇଁ ଅଧିକ ଗୁରୁତ୍ବ ଦିଅନ୍ତୁ ବୋଲି ଶ୍ରୀ ଶର୍ମା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର ଓ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦେଶକ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ଓ ବ୍ଲକ୍‌ସ୍ତରରେ କ୍ବା‌ରେଣ୍ଟାଇନ୍ ଯୋଜନା
ଭୁବନେଶ୍ବର : କ‌ରୋନା ଭୂତାଣୁ(କୋଭିଡ୍‌-୧୯) ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସନ୍ଦିଗ୍ଧମାନଙ୍କୁ କ୍ବା‌ରେଣ୍ଟାଇନ୍ ବା ପୃଥକ୍ ଭାବେ ରଖିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସ୍ବତନ୍ତ୍ର ଭାବେ କ୍ବାରେଣ୍ଟାଇନ୍ ସୁବିଧା ପ୍ରସ୍ତୁତ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ମିଳିଛି।

ଏହି ଅସ୍ଥାୟୀ କ୍ବା‌ରେଣ୍ଟାଇନ୍ ସୁବିଧାରେ ସର୍ବାଧିକ ୧୦୦ଜଣ ସନ୍ଦିଗ୍ଧଙ୍କୁ ରଖିବା ଲାଗି ବ୍ୟବସ୍ଥା ରହିବ। ଏଠାରେ ଖଟ, ଗଦି, ପାଣି ଓ ଅନବରତ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ଯେଉଁ ଲୋକମାନଙ୍କର କରୋନା ସଂକ୍ରମିତ ଅଞ୍ଚଳର ଯାତ୍ରା ଇତିହାସ ରହିଥିବ, ସେହିମାନଙ୍କୁ ହିଁ ଏଠାରେ ରଖାଯିବ। ତେବେ ଏଠାରେ ରହିବା ପୂର୍ବରୁ ସେମାନଙ୍କୁ ହୋମ୍ କ୍ବା‌ରେଣ୍ଟାଇନ୍‌ରେ ରଖିବା ଲାଗି ବୁଝାଯିବ। ତେବେ ଯେଉଁମାନଙ୍କର ହୋମ୍ କ୍ବା‌ରେଣ୍ଟାଇନ୍‌ର ବିଶେଷ ସୁବିଧା ନ ଥିବ, ସେମାନେ ଏଠାରେ ରହିପାରିବେ।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି ଯେ ଏଥିପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଏହି କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଏହି କ୍ବାରେଣ୍ଟାଇନ୍‌ରେ ଯେଉଁ ଲୋକମାନେ ରହି‌ବେ, ଯଦି ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସମସ୍ୟା ଆସିବ, ‌ତେବେ ଡାକ୍ତରୀ ଦଳ ସେଠାରେ ପହଞ୍ଚି ଚିକିତ୍ସା କରିବେ। ତେବେ କ୍ବା‌ରେଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତି ମାନସିକସ୍ତରରେ ବିଶେଷ ଆହତ ହୋଇଥାନ୍ତି। ତେଣୁ ହୋମ୍‌ କ୍ବାରେଣ୍ଟାଇନ୍ ରହିବା ପାଇଁ ତାଙ୍କୁ ଆରଆରଟି ଟିମ୍ ବୁଝାଇବେ ବୋଲି ପ୍ରଫେସର୍‌ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର