୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ପୁରୁଷ, ଜଣେ ମହିଳା : ସୁନ୍ଦରଗଡ଼ ସଂକ୍ରମିତଙ୍କ ନିଜାମୁଦ୍ଦିନ୍ ଲିଙ୍କ୍

ସୁନ୍ଦରଗଡ଼ରୁ ୨, ରାଜଧାନୀରୁ ଜଣେ, ଅନ୍ୟଜଣେ କେନ୍ଦ୍ରାପଡ଼ା ରାଜନଗରର

ଭୁବନେଶ୍ବର : ଶନିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି। ‌ ୪ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ସୁନ୍ଦରଗଡ଼ ଜିଲ୍ଲାରୁ ହୋଇଥିବା ବେଳେ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟ ଜଣେ ରାଜଧାନୀର। ଏଥି ସହିତ ନୂତନ ଜିଲ୍ଲା ଭାବେ କରୋନା ସଂକ୍ରମଣ ତାଲିକାରେ ସୁନ୍ଦରଗଡ଼ ସାମିଲ ହୋଇଛି। ଏହି ଜିଲ୍ଲାର ୨ ସଂକ୍ରମିତ ବ୍ୟକ୍ତିଙ୍କର ନିଜାମୁଦ୍ଦିନ୍ ଲିଙ୍କ୍ ରହିଥିବା ସ୍ପଷ୍ଟ ହୋଇଛି। ତହିଁରୁ ଜଣେ ନିଜାମୁଦ୍ଦିନ୍‌ ଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ନିଜାମୁଦ୍ଦିନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ସେମାନଙ୍କ ଯାତ୍ରା ବିବରଣୀ ସଂପର୍କରେ ମଧ୍ୟ ଆଜି ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ୬୭ ବର୍ଷୀୟ ବ୍ୟକ୍ତି ଜଣକ ଗତମାସ ୫ତାରିଖରେ ଉତ୍କଳ ଏକ୍ସପ୍ରେସ୍‌ରେ ରାଉରକେଲାରୁ ଦିଲ୍ଲୀ ଯାତ୍ରା କରିଥିଲେ। ୬ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନ୍‌ରେ ରହିଥିଲେ। ୧୦ତାରିଖରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ର ସିଟ୍ ନଂ ଏସ୍‌-୪/୪୯ରେ ବିଳାସପୁର ଆସିଥିଲେ। ବିଳାସପୁରରୁ ଅନ୍ୟ ଏକ ଟ୍ରେନ୍‌ରେ ରାଉରକେଲାରେ ପହଞ୍ଚିଥିଲେ ଏବଂ ‌ସେଠାରୁ ଏକ ଅଟୋ ଜରିଆରେ ୧୧ତାରିଖରେ ବିଶ୍ରାର ସ୍ଥିତ ଘରେ ପହଞ୍ଚିଥିଲେ। ୧୨ତାରିଖରୁ ଚଳିତମାସ ୨ତାରିଖ ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିଥିଲେ। ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ସଙ୍ଗରୋଧ ବ୍ୟବସ୍ଥାରେ ରଖାଯାଇଥିଲା। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ହେଁ, ବାହାର ରାଜ୍ୟକୁ ଯାତ୍ରା କରିଥିବା କାରଣରୁ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଗତକାଲି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ତାଙ୍କୁ ରାଉରକେଲା ସ୍ଥିତ ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ବିଶ୍ରାର ଆଉ ଜଣେ ୧୮ ବର୍ଷର ଯୁବକ ନିଜାମୁଦ୍ଦିନ୍‌ ଫେରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି। ଯୁବକ ଜଣକ ଗତମାସ ୧୦ତାରିଖରେ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଯାଜପୁରରୁ ବସ୍ ଯୋଗେ ରାଉରକେଲାକୁ ଯାଇଥିଲେ। ୧୧ତାରିଖରେ ରାଉରକେଲାରେ ପହଞ୍ଚିବା ପରେ ଅଟୋରେ ବିସ୍ରାରେ ପହଞ୍ଚିଥିଲେ। ୧୧ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଆସିୟାନା କଲୋନିର ମସଜିଦ୍‌ରେ ରହିଥିଲେ। ମସଜିଦ୍ ନିକଟରେ ଥିବା ସୁନ୍ଦରଗାଁରେ ୧୪ ମାର୍ଚ୍ଚରୁ ୫ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ। ପରେ ତାଙ୍କୁ ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ଅଣାଯାଇଥିଲା। ଯୁବକଙ୍କ କରୋନା ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ‌ହେଁ ନମୁନା ସଂଗ୍ରହ କରାଯାଇଥିଲା। ଗତକାଲି ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲାର ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି କେନ୍ଦ୍ରାପଡ଼ା ରାଜନଗର ଓସ୍ତିଆ ଗ୍ରାମ ପଞ୍ଚାୟତର ନଳଦିଆ ଗାଁର ଜଣେ ୧୭ବର୍ଷୀୟା ଯୁବତୀ ଗତକାଲି କରୋନା ସଂକ୍ରମିତ ହୋଇଛନ୍ତି। ଗତ ୨୯ତାରିଖରେ ଏକ ଘରୋଇ ଆମ୍ବୁଲାନ୍‌ସରେ ସେ କୋଲକାତାରୁ ବାଲେଶ୍ବର ଓ ଭଦ୍ରକ ଦେଇ ଗାଁରେ ପହଞ୍ଚିଥିଲେ। ଭଦ୍ରକ ପହଞ୍ଚିବାର ୪୩ କି.ମି ପୂର୍ବରୁ ଗୋଟିଏ ସ୍ଥାନରେ ଗାଡ଼ି ଅଟକାଇ ଚା’ ପିଇଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲେ ହେଁ, ନିୟମିତ ଯାଞ୍ଚରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଗତକାଲି ସେ ପିଜିଟିଭ୍ ଚିହ୍ନଟ ହେବା ପରେ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଗତ ୭ତାରିଖରେ ରାଜଧାନୀ ଝାରପଡ଼ା ଅଞ୍ଚଳର ଯେଉଁ ୭୨ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କର ଆଉ ‌ଜଣେ ସଂପର୍କୀୟ ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୪୬ବର୍ଷର ଏହି ବ୍ୟକ୍ତି ଜଣକ ବାଙ୍କୁଆଳ‌ରେ ୨୫ମାର୍ଚରୁ ୩ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ। ମୃତକ ଜଣକ ଏମ୍‌ସରେ ଚିକିତ୍ସିତ ହେବା ସମୟରେ ସେ ୪ରୁ ୬ତାରିଖ ପର୍ଯ୍ୟନ୍ତ ତାଙ୍କ ଆଟେଣ୍ଡାଣ୍ଟ ହିସାବରେ ସେଠାରେ ରହିଥିଲେ। ତଣେୁ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଗତକାଲି ତାଙ୍କର ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ମିଶାଇ ଝାରପଡ଼ାରେ ମୋଟ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷ‌ରେ ଦୁଇଦିନ ତଳେ ରାଜଧାନୀର ୟୁନିଟ୍‌-୪ ମଧୁସୂଦନ ନଗରରେ ଚିହ୍ନଟ ହୋଇଥିବା ୫୦ତମ ସଂକ୍ରମିତଙ୍କ ଯାତ୍ରା ବିବରଣୀ ମଧ୍ୟ ସାମ୍ନାକୁ ଆସିଛି। ୨୨ବର୍ଷର ଏହି ଯୁବକ ଜଣକ ଗତ ମାସ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ନିଜ ସଂପର୍କୀୟଙ୍କ ବାଣପୁରସ୍ଥିତ ଘରକୁ ଯାଇଥିଲେ। ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ ଭିତରେ ସେ ୟୁନିଟ୍‌-୩, ସତ୍ୟନଗର ଓ ଝାରପଡ଼ା ଅଞ୍ଚଳର ନିଜ ସାଙ୍ଗ ପାଖକୁ ବୁଲିବାକୁ ଆସିଥିଲେ। ପରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ୧୦ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ କିମ୍‌ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର