ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀର ବମିଖାଲ ଅଞ୍ଚଳର ୩୫ବର୍ଷୀୟ ଯୁବକ କରୋନା ପଜିଟିଭ୍ ଥିବା ସ୍ପଷ୍ଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଛୁଇଁଛି। ବଡ଼ କଥା ହେଲା ଗତମାସ ୨୨ତାରିଖରୁ ଚଳିତମାସ ୧୨ତାରିଖ ପର୍ଯ୍ୟନ୍ତ ସେ ଘରେ ରହିଥିଲେ ହେଁ, ସେ କରୋନା ଅାକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୫ ଜଣ ଆଜି ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ରାଜଧାନୀର। ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ରୋଗୀମାନଙ୍କର ନମୁନା ଆଜି ନେଗେଟିଭ୍ ଆସିଛି। ତେଣୁ ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବାବେଳେ ଆଜି ଏହି ସଂଖ୍ୟା ୧୮ରେ ପହଞ୍ଚିଛି।
ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୫୫ତମ କରୋନା ସଂକ୍ରମିତଙ୍କ ୪ଜଣ ପଡ଼ୋଶୀ ଯଥା ୭, ୮, ୨୨ ଓ ୩୯ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ବମିଖାଲ ଜୟଦୁର୍ଗା ନଗରର ବେବିଲୋନ୍ ଆପାର୍ଟମେଣ୍ଟରେ ୨୨ମାର୍ଚରୁ ୧୨ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ତେବେ ଏହି ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ବୋଲି ଘୋଷଣା କରାଯାଇଥିବା ବେଳେ ନିୟମିତ ଯାଞ୍ଚ ସମୟରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଆଜି ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଏବେ ୪୧ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ଗତକାଲି ରାଜ୍ୟରେ ୩୦୮ଟି ନମୁନା ପରୀକ୍ଷା କରାଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୪୧୭୦ ନମୁନା ପରୀକ୍ଷା କରାଯାଇଛି। ଗତ ୯ ତାରିଖରେ ରାଜ୍ୟରେ ସର୍ବାଧିକ ୪୦୮ଟି ନମୁନା ପରୀକ୍ଷା ହୋଇଥିଲା। ତେବେ ଗତମାସ ୩୦ତାରିଖ ଠାରୁ ଲାଗାତାର ଭାବେ ରାଜ୍ୟରେ ୧୦୦ରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଉଛି। ସେହିପରି ରାଜ୍ୟରେ ୫୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇଛନ୍ତି। ତେବେ ଚଳିତମାସ ୯ତାରିଖରେ ରାଜ୍ୟରେ ସର୍ବାଧିକ ୪୫ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିଲେ। ୧୦ତାରିଖରେ ୩୭, ୧୧ତାରିଖରେ ୪୧, ୧୨ତାରିଖରେ ୪୦ଜଣ ଓ ଆଜି ସୁଦ୍ଧା ୪୧ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/corona-f-copy-1.jpg)