ଓଡ଼ିଶାରେ ସଂକ୍ରମଣ କମ୍ : ପ୍ରତି ୧୦୦ରେ ସଂକ୍ରମଣ ହାର ୧.୦୮

ସବୁ ଜିଲ୍ଲାରେ ହେଉଛି କୋଭିଡ ପରୀକ୍ଷା, ସୁସ୍ଥ ହେଲେ ଅ‌ାଉ ଜଣେ ରୋଗୀ, ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ କରୋନାର ଲକ୍ଷଣ ନ ଥିବା ଲୋକମାନଙ୍କ କମ୍ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଥିବା ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ। ତେବେ ରାଜ୍ୟରେ ଯେତିକି ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାହାର ୮୦ ପ୍ରତିଶତଙ୍କ ଦେହରେ ଏହାର କୌଣସି ଲକ୍ଷଣ ଦେଖିବାକୁ ମିଳୁ ନ ଥିବା ସରକାର ପୂର୍ବରୁ ସୂଚନା ଦେଇଛନ୍ତି। ଏଭଳି ପରିପ୍ରେକ୍ଷୀରେ ଲକ୍ଷଣ ଦେଖିବାକୁ ମିଳୁ ନ ଥିବା ଲୋକଙ୍କ କମ୍ ସଂଖ୍ୟାରେ କୋଭିଡ ପରୀକ୍ଷା କରାଯିବା ପଛରେ କ’ଣ କାରଣ ରହିଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମତୀ ପଣ୍ଡିତ ଆଜି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ‌ଯେ ରାଜ୍ୟର ଲୋକମାନେ ଲକ୍‌ଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବା ଯୋଗୁଁ ରାଜ୍ୟରେ ଏ ପର୍ଯ୍ୟନ୍ତ ମାତ୍ର ୬୦ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ଜାତୀୟସ୍ତରରେ କରୋନା ସଂକ୍ରମଣ ହାର ୪.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟ‌ରେ ଏହା ୧.୦୮ ପ୍ରତିଶତ ରହିଛି।

କହିବାକୁ ଗଲେ ପ୍ରତି ୧୦୦ଜଣ କୋଭିଡ ପରୀକ୍ଷା ହେଲେ ତହିଁରୁ ୧.୦୮ ପ୍ରତିଶତ ସଂକ୍ରମିତ ଲୋକ ବାହାରୁଛନ୍ତି। ଦିଲ୍ଲୀରେ ଏହା ପ୍ରାୟ ୧୧ ପ୍ରତିଶତ ରହିଥିବା ବେଳେ ତାମିଲନାଡ଼ୁରେ ପ୍ରାୟ ୯ ପ୍ରତିଶତ ଓ ମଧ୍ୟପ୍ରଦେଶରେ ୭ ପ୍ରତିଶତ ରହିଛି। ରାଜ୍ୟର ସବୁ ଜିଲ୍ଲାରେ କୋଭିଡ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେଉଛି। ମାଲକାନାଗିରିରେ ୨୦୦, କଳାହାଣ୍ଡିରେ ୨୦୦ ଓ ବଲାଙ୍ଗୀର ଜିଲ୍ଲାରେ ୩ଶହ ନମୁନା ପରୀକ୍ଷା କରାଯାଇଛି। ତେବେ ସଂକ୍ରମଣକୁ ସଂପୂର୍ଣ୍ଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଲୋକମାନଙ୍କୁ ସତର୍କ ହେବାକୁ ପଡ଼ିବ। ଉଦାହରଣ ଜରିଆରେ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ, ୨୦ବର୍ଷର ଜଣେ ଯୁବକ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଲକ୍‌ଡାଉନରେ ଘରେ ରହିଥିଲେ। ମାତ୍ର ଦିନେ କ୍ରିକେଟ୍ ଖେଳିବା ଲାଗି ବାହାରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିଦେଶ ଫେରନ୍ତା ରହିଥିଲେ। ଯାହାଫଳରେ ଯୁବକ ଜଣକ ସଂକ୍ରମିତ ହୋଇଥିଲେ। ତେଣୁ ଅତ୍ୟନ୍ତ ଆବଶ୍ୟକ ନ ହେଲେ ଘରୁ ବାହାରିବା ଉଚିତ୍ ନୁହେଁ। ସଂକ୍ରମଣ ଅବରୋଧ ଅଞ୍ଚଳରେ ୩ଶହରୁ ଅଧିକ ପରୀକ୍ଷା ହୋଇଥିବା ବେଳେ କୌଣସି ଲକ୍ଷଣ ନଥିବା ୪ଜଣ ଚିହ୍ନଟ ହୋଇଥିଲେ। ରାଜ୍ୟରେ ସକ୍ରିୟ ଥିବା ୪୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨ଜଣଙ୍କୁ ହସ୍ପିଟାଲର ଆବଶ୍ୟକତା ରହିଛି। ତହିଁରୁ ଜଣେ କୋଭିଡ ନେଗେଟିଭ ଆସିଥିଲେ ହେଁ, ଅନ୍ୟ ରୋଗ ପାଇଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ନାହିଁ। ଯାହାଫଳରେ ତାଙ୍କୁ ସରକାରଙ୍କ ପକ୍ଷରୁ ସକ୍ରିୟ ମାମଲାରେ ହିସାବ କରିବାକୁ ପଡ଼ୁଛି ବାଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଛନ୍ତି।

ସୁସ୍ଥ ହେଲେ ଅ‌ାଉ ଜଣେ ରୋଗୀ, ଗୋଟିଏ ଦିନରେ ୧୧୯୭ ନମୁନା ପରୀକ୍ଷା
ଇତିମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଗୋଟିଏ ଦିନରେ ୧୧୯୭ଟି ନମୁନାର ପରୀକ୍ଷା କରାଯାଇଛି। ଯାହାକି ରେକର୍ଡ। ରାଜ୍ୟରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ଏକ ହଜାରରୁ ଅଧିକ ନମୁନାର ପରୀକ୍ଷା କରାଯାଇଛି। ତେବେ ଆଜି କୌଣସି ପଜିଟିଭ୍ ଆସିନାହିଁ। ବିଭାଗ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି ଯେ ଆଜି ଆଉ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ଏହି ରୋଗୀ ଗତ ୧୧ ତାରିଖରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିଲା। ଏହାକୁ ମିଶାଇ ୧୯ ଜଣ ସୁସ୍ଥ ହେଲେଣି। ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି କୁହାଯାଇଛି। ସୂଚନା‌େଯାଗ୍ୟ ଯେ ଗତ ୧୧ ତାରିଖ ଦିନ ବିଶ୍ରା ଅଞ୍ଚଳରେ ଦୁଇ ଜଣ ପଜିଟିଭ୍ ରୋଗୀ ବାହାରିଥିଲେ।

ସମ୍ବନ୍ଧିତ ଖବର