୧୮ ଦିନରେ ୩ ଗୁଣରୁ ଅଧିକ ସଂକ୍ରମିତ, ଚିହ୍ନଟଙ୍କ ମଧ୍ୟରୁ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସଂଖ୍ୟା ୧୨%

ଭୁବନେଶ୍ବର : ରାଜ୍ୟରେ ଗତ ୧୮ ଦିନରେ ୬୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚଳିତ ମାସ ୫ତାରିଖଠାରୁ ଗତକାଲି ପର୍ଯ୍ୟନ୍ତ ୯ଦିନ ବ୍ୟବଧାନରେ ସଂକ୍ରମିତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଅପରପକ୍ଷରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ବ୍ୟକ୍ତିଙ୍କ ମଧ୍ୟରେ ୧୨ ପ୍ରତିଶତ ବ୍ୟକ୍ତି ୬୦ବର୍ଷରୁ ଅଧିକ ରହିଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ମାସ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ପ୍ରଥମ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଏହି ସଂଖ୍ୟା ୩୦ରେ ପହଞ୍ଚିବା ଲାଗି ୨୧ଦିନ ଲାଗିଥିଲା। ଚଳିତ ମାସ ୫ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୩୦ ଥିବା ବେଳେ ଏହା ୬୦ରେ ପହଞ୍ଚିବା ଲାଗି ୧୪ ଏପ୍ରିଲ ବା ୯ଦିନ ସମୟ ଲାଗିଥିଲା। ୧୪ଏପ୍ରିଲର ୯ଦିନ ପରେ ଅର୍ଥାତ୍ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ରୁ ଅଧିକରେ ପହଞ୍ଚି ସାରିଛି। ଅପରପକ୍ଷରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା କାରଣରୁ ଏଥିରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି।

ଚଳିତ ମାସ ୧୨ ତାରିଖରେ ଯେତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିଲେ, ତହିଁରେ ୯ ପ୍ରତିଶତ ବୟସ୍କ ବ୍ୟକ୍ତି ରହିଥିଲେ। ୦-୧୪ବର୍ଷର ୧୫ ପ୍ରତିଶତ, ୧୫-୪୦ ବର୍ଷର ୫୨ପ୍ରତିଶତ ଓ ୪୧-୬୦ବର୍ଷର ୨୪ପ୍ରତିଶତ ବ୍ୟକ୍ତି ରହିଥିଲେ। ମାତ୍ର ୨୪ ତାରିଖ ଦିନରେ ଏଥିରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୧୨ପ୍ରତିଶତରେ ପହଞ୍ଚି ସାରିଛି। ୦-୧୪ବର୍ଷର ୧୧ ପ୍ରତିଶତ, ୧୫-୪୦ ବର୍ଷର ୪୭ ପ୍ରତିଶତ, ୪୧-୬୦ ବର୍ଷର ୩୦ ପ୍ରତିଶତ ଲୋକ ଚିହ୍ନଟ ହୋଇଛନ୍ତି। ତେଣୁ ବୟସ୍କ ଓ ଶିଶୁଙ୍କ ପ୍ରତି ଅଧିକରୁ ଅଧିକ ସଚେତନ ରହିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର