କୋରାପୁଟର ପୁରୁଷ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ
ଭଦ୍ରକ-କେନ୍ଦ୍ରାପଡ଼ା-ଯାଜପୁର ସୀମା ସିଲ୍
ସୁସ୍ଥ ହେଲେ ରାଜଧାନୀର ୨ ସଂକ୍ରମିତ
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ହେଲା
ଭୁବନେଶ୍ବର/ବାଲେଶ୍ବର/ଯାଜପୁର/କୋରାପୁଟ : ରାଜ୍ୟରେ ଗତ ୨୪ଘଣ୍ଟାରେ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ବାଲେଶ୍ବରର ହୋଇଥିବା ବେଳେ କୋରାପୁଟ ଓ ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି। ତେବେ ରାଜ୍ୟରେ ପ୍ରଥମଥର ଲାଗି କୋରାପୁଟର ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେବା ଘଟଣାର ଚିନ୍ତା ବଢ଼ାଇଛି। ଅପରପକ୍ଷରେ ରାଜଧାନୀର ୨ କରୋନା ସଂକ୍ରମିତ ଆଜି ସୁସ୍ଥ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ବାଲେଶ୍ବରର ୬ ଜଣଙ୍କ ଜମଧ୍ୟରୁ ନୀଳିଆବାଗ୍ର ସଂକ୍ରମଣ ଅବରୋଧ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଛନ୍ତି। ତହିଁରେ ୩ଜଣ ମହିଳା ଓ ୨ ପୁରୁଷ ରହିଛନ୍ତି। ସେମାନଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ଏସବୁ ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହିଥିଲେ। ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୫୫, ୨୨, ୨୩, ୨୯ ଓ ୨୭ବର୍ଷ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନୀଳିଆବାଗରେ ଅବରୋଧକୁ ଆଉ ୭ ଦିନ ପର୍ଯ୍ୟନ୍ତ (ମେ ୩) ଯାଏ ବଢ଼ାଇ ଦିଆଯାଇଛି। ସେହିପରି ଆଜି ଅପରାହ୍ଣରେ ବାଲେଶ୍ବର ବାହାନଗା ଅଞ୍ଚଳର ଆଉ ଜଣେ ୩୨ବର୍ଷ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି। ସେ କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗରୁ ଫେରିଥିଲେ। ଆଜିକୁ ମିଶାଇ ଗତ ୧୦ ଦିନ ଭିତରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।
ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ଅଞ୍ଚଳର ଜଣେ ୨୨ବର୍ଷର ପୁରୁଷ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଗତ ୧୪ତାରିଖରେ କାର୍ଯ୍ୟରେ ଯୋଗ ଦେବା ପାଇଁ କୋଲକାତାରୁ ଫେରିଥିଲେ। ମାତ୍ର କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ହଟସ୍ପଟ ଅଞ୍ଚଳରୁ ଆସିଥିବାରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ବାବ୍ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ଆଜି ରିପୋର୍ଟ ଆସିଥିବା ବେଳେ ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ରାଜ୍ୟର ୧୧ତମ ଜିଲ୍ଲା ଭାବେ କୋରାପୁଟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୋଡ଼ାଗଡ଼ ଅଞ୍ଚଳର ସଂପୃକ୍ତ ଯୁବକ ଜଣକ କୋଲକତାର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ। ଚଳିତ ମାସ ସେ କୋରାପୁଟରେ ସ୍ବାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଗାଁରୁ ଯାଇଥିବା ଗୋଟିଏ ଘରୋଇ ଗାଡ଼ିରେ ସେ କୋଲକତାରୁ ଘରକୁ ଫେରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସଙ୍ଗରୋଧ ଗୃହରେ ରଖିବା ସହ ସ୍ବାବ୍ ସଂଗ୍ରହ କରିଥିଲା। ଯାହାର ରିପୋର୍ଟ ଆଜି ସରକାରଙ୍କୁ ମିଳିଛି ଏବଂ ପଜିଟିଭ୍ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଏଠାରୁ ଗାଡ଼ି ନେଇ ଯାଇଥିବା ଡ୍ରାଇଭର ଏବଂ ଅନ୍ୟ କିଛି ଜଣ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଜୟପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। ପ୍ରଥମ ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନର ତତ୍ପରତା ବଢ଼ି ଯାଇଛି। ଆଜି ସଂଧ୍ୟାରେ ପ୍ରଶାସନର ଜରୁରୀ ବୈଠକ ହୋଇ ପରବର୍ତ୍ତୀ ପଦକ୍ଷେପ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପୋଡାଗଡ଼ ଅଂଚଳକୁ ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ପୋଡାଗଡ଼ରୁ ୩କିମି ପରିଧି ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ସେହିପରି ୭ କିମି ପରିଧି ପର୍ଯ୍ୟନ୍ତ ବଫର ଜୋନ ଭାବେ ପ୍ରଶାସନ ଘୋଷଣା କରିଛି।
ଏହାସହ ଯାଜପୁର ବାସୁଦେବପୁରର ୩୪ବର୍ଷର ଜଣେ ପୁରୁଷ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟ କୋଲକାତାରୁ ଫେରିଥିଲେ। ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ପରେ ପହଞ୍ଚିଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ-ଯାଜପୁର ଜିଲ୍ଲା ସୀମାକୁ ସିଲ୍ କରି ଦିଆଯାଇଛି। ବୈତରଣୀ ନଦୀ ପଟେ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ସେଣ୍ଢପୁର-କଟିକଟା ସେତୁକୁ ବାଉଁଶ ବାଡରେ ବୁଜି ଦେଇଛି ପୁଲିସ।
ଆଜି ରାଜଧାନୀର ଦୁଇ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜଧାନୀରେ ସମୁଦାୟ ୨୪ ସୁସ୍ଥ ହୋଇସାରିଲେଣି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୩୬ଜଣ ସଂକ୍ରମିତ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଗତକାଲି ମଧ୍ୟରାତ୍ର ସୁଦ୍ଧା ୨୫୧୦୩ କୋଭିଡ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ହାର ୦.୪୩ ପ୍ରତିଶତ ରହିଛି। ଏବେ ରାଜ୍ୟରେ ୭୩ଜଣ ସକ୍ରିୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।