କରୋନା ସନ୍ଦେହରେ ବାସନ୍ଦ : ବେଙ୍ଗାଲୁରୁରୁ ଫେରିଥିବା ପରିବାରକୁ ଗାଁ’ ମନା

ଗ୍ରାମବାସୀଙ୍କ ସର୍ତ୍ତ: ପରୀକ୍ଷା ରିପୋର୍ଟ ଦେଖାଅ, ଗାଁରେ ରୁହ, ୨ ପିଲାଙ୍କୁ ଧରି ମେଡିକାଲରେ ପରିବାର

ପୁରୀ, (ଗଦାଧର ପଣ୍ଡା): ବିଶ୍ବ ମହାମାରୀ କରୋନାକୁ ନେଇ ସରକାର ଗ୍ରହଣ କରୁଥିବା ସତର୍କତାମୂଳକ ବା ପ୍ରତିଷେଧକ ବ୍ୟବସ୍ଥାର ଓଲଟା ଫଳ ( ପାର୍ଶ୍ବ ପ୍ରତିକ୍ରିୟା) ଦେଖିବାକୁ ମିଳିଲାଣି। ଗାଁ’ଠୁ ସହର ପର୍ଯ୍ୟନ୍ତ ଲୋକେ ଏବେ କରୋନାକୁ ନେଇ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗାଁ, ପଲ୍ଲୀରେ ମାତ୍ରାଧିକ କରୋନା ସତର୍କତା‌ ଏବେ ଏକ ସମସ୍ୟା‌ ହୋଇ ଉଭା ‌ହୋଇଛି। ପରିବାର ଛାଡ଼ି ବାହାର ରାଜ୍ୟରେ କାମ କରୁଥିବା ଗାଁ’ ଲୋକଙ୍କୁ ଏବେ ନିଜ ଗାଁ’ ମନା ହେଲାଣି। ଗାଁ’କୁ ଫେରୁଥିବା ଲୋକକୁ ଗାଁ’ଲୋକେ ସନ୍ଦେହ କରିବା ଆରମ୍ଭ କଲେଣି। କାଳେ କରୋନା ହୋଇଥିବ ସେହି ସନ୍ଦେହରେ ଗାଁ’ ଲୋକଙ୍କୁ ଗାଁ’ରେ ରହିବାକୁ ଅନୁମତି ମିଳୁନାହିଁ। ଏଭଳି ଘଟଣା ଏକ ବିରାଟ ସାମାଜିକ ସମସ୍ୟା ହୋଇ ଉଭା ହେଲାଣି।

ପୁରୀ ଜିଲ୍ଲା ସାତପଡ଼ାଗଡ଼ ଗାଁ’ ଓ ଗମ୍ଭାରୀ ଗାଁ’ରେ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି। ସାତପଡ଼ାଗଡ଼ ଗାଁ’କୁ ଫେରିଥିବା ନକୁଳ ଦଳେଇ ଓ ଦୀପ୍ତି ଦଳେଇ ଓ ତାଙ୍କ ପରିବାରକୁ ଗାଁ’ରେ ରହିବାକୁ ଅନୁମତି ମିଳିନାହିଁ। ବାହାର ରାଜ୍ୟରୁ ଫେରିଥିବାରୁ ଗାଁ’ କମିଟି ତାଙ୍କୁ କରୋନା ପରୀକ୍ଷା ରିପୋର୍ଟ ମାଗିବା ଓ ରିପୋର୍ଟ ଦେଇ ନପାଇବାରିବାରୁ ‌ତାଙ୍କୁ ଗାଁ’ରୁ ଫେରାଇ ଦିଆଯାଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେହିଭଳି ଗମ୍ଭାରୀ ଗାଁ’ର ଜଣେ ଯୁବକଙ୍କ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଛି। ଏହି ପରିବାର ଆଜି କରୋନା ପରୀକ୍ଷା ପାଇଁ ପୁରୀରେ ଘୂରି ବୁଲିବା ଘଟଣା ସାମାଜିକ ବ୍ୟବସ୍ଥାରେ ଏକ ନୂଆ ଆହ୍ବାନ ସୃଷ୍ଟି କରିଛି।

ସୂଚନା ମୁତାବକ, ସାତପଡ଼ାଗଡ଼ ଅଞ୍ଚଳର ଦୀପ୍ତି ଦଳାଇ ଓ ତାଙ୍କ ସ୍ବାମୀ ନକୁଳ ଦଳାଇ ବେଙ୍ଗାଲୁରୁର କଲ୍ୟାଣନଗର ଅଞ୍ଚଳର ଏକ ଘରୋଇ ସଂସ୍ଥାରେ ଦୀର୍ଘ ବର୍ଷ ହେଲା କାମ କରୁଛନ୍ତି। ଏବେ କରୋନା କଟକଣା ଯୋଗୁଁ ସେଠାରେ ସଂସ୍ଥା ବନ୍ଦ ହେବାରୁ ଗତକାଲି ସେମାନେ ଟ୍ରେନ ଯୋଗେ ଓଡ଼ିଶା ଫେରିଥିଲେ। ଶ୍ରୀ ଦଳାଇ ତାଙ୍କ ଶ୍ବଶୁର ଘରେ ରହନ୍ତି। ଗତକାଲି ସନ୍ଧ୍ୟାରେ ସେମାନେ ସାତପଡ଼ାଗଡ଼ ଗ‌ାଁରେ ପହଞ୍ଚିଥିଲେ। ତେବେ ଏ ଖବର ସାତପଡ଼ାଗଡ଼ ଗାଁ କମିଟିର ସଭାପତି ଓ ସଂପାଦକଙ୍କ ନିକଟରେ ପହଞ୍ଚିବ‌ା ପରେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଡକାଯାଇଥିଲା। ବେଙ୍ଗାଲୁରୁରୁ ଫେରିଥିବା ଶ୍ରୀ ଦଳାଇ, ତାଙ୍କ ପତ୍ନୀ ଓ ତାଙ୍କର ଦୁଇ ନାବାଳକ ପୁଅ ଝିଅଙ୍କ କରୋନା ପରୀକ୍ଷା ହୋଇଛି କି ନାହିଁ ପ୍ରଶ୍ନ କରିଥି‌ଲେ।

ମାତ୍ର ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବାରୁ ସେମାନେ ପରୀକ୍ଷା କରି ନାହାନ୍ତି ବୋଲି କହିଥିଲେ। ମାତ୍ର ଗାଁ’ କମିଟି କୌଣସି ପରିସ୍ଥିତିରେ ଏହି ବେଙ୍ଗାଲୁରୁ ଫେରନ୍ତା ପରିବାରକୁ ଗାଁ’ରେ ରହିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ଡାକ୍ତରଖାନା ଯାଇ କରୋନା ନେଗେଟିଭ ରିପୋର୍ଟ ଆଣିଲେ ଗାଁରେ ପ୍ରବେଶ ଅନୁମତି ମିଳିବ ବୋଲି କହିଥିଲେ। ଏହା ପରେ ନିରାଶ ହୋଇ ଶ୍ରୀ ଦଳେଇ ତାଙ୍କର ଦୁଇ ଶିଶୁଙ୍କୁ ଧରି ଆଜି ସକାଳେ ପୁରୀ ମେଡିକ‌ାଲରେ ପହଞ୍ଚିଥିଲେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କୁ ଦେଖା କରିଥିଲେ। ଡାକ୍ତରଙ୍କୁ ତାଙ୍କ କରୋନା ପରୀକ୍ଷା କରାଇବାକୁ ନେହୁରା ହୋଇଥିଲେ। ଡାକ୍ତର କିନ୍ତୁ ଏ କଥାକୁ ଗୁରୁତ୍ବ ଦେଇନଥିଲେ। ସେଭଳି କିଛି ଲକ୍ଷଣ ନଥିବାରୁ ଏବେ କରୋନା ପରୀକ୍ଷା ଆବଶ୍ୟକ ନାହିଁ ବୋଲି ଡାକ୍ତର ମନା କରିଥିଲେ।

ମାତ୍ର ଶ୍ରୀ ଦଳେଇ କରୋନା ପରୀକ୍ଷା ରିପୋର୍ଟ ନ ଦେଖାଇଲେ ସେମାନେ ଗାଁକୁ ଫେରିପାରିବେ ନାହିଁ ବୋଲି ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଡାକ୍ତର କିନ୍ତୁ ଏ ପରୀକ୍ଷା ସମ୍ଭବ ନୁହେଁ ବୋଲି କହିବା ପରେ ଏହି ପରିବାର ନିରାଶ ହୋଇ ମେଡିକାଲର ଏ ବିଭାଗରୁ ସେ ବିଭାଗ ବୁଲିଥିଲେ। ଏପରିକି ନିରାଶ ହୋଇ କିଛି ଘରୋଇ ପାଥୋଲ୍ୟାବକୁ ମଧ୍ୟ ଯାଇଥିଲେ। କରୋନା ପରୀକ୍ଷା କରାଇବାକୁ ନିବେଦନ କରିଥିଲେ। ମାତ୍ର ଘରୋଇ ଲ୍ୟାବରେ ଏହା କରାଯାଏ ନାହିଁ ବୋଲି କହିବା ପରେ ଆହୁରି ନିରାଶ ହୋଇପଡିଥିଲେ। ଦୀପ୍ତିଙ୍କ କହିବା କଥା ସେ ତାଙ୍କର ଦୁଇ ଶିଶୁଙ୍କୁ ଧରି ଏବେ କେଉଁଠି ରହିବେ‌। ପରିବାର ଧରି କରୋନା ପରୀକ୍ଷା ପାଇଁ ଏ ବିଭାଗରୁ ସେ ବିଭାଗ ବୁଲିବାର ଦୃଶ୍ୟ ହୃଦୟବିଦାରକ ଥିଲା। ଏମାନଙ୍କ ସହିତ ଗାଁ କୁ ଫେରିଥିବା ନିକଟସ୍ଥ ଗମ୍ଭାରୀ ଗାଁର ଆଦିତ୍ୟ ଜେନା(୨୨)ଙ୍କୁ ମଧ୍ୟ ସମାନ ଦଶ‌ା ଭୋଗିବାକୁ ପଡିଛି। ସେ ବାଙ୍ଗାଲୋରରୁ ଫେରିଥିବାରୁ ତାଙ୍କୁ ମଧ୍ୟ ଗାଁରେ ରହିବାକୁ ଦିଆଯାଇନାହିଁ। କରୋନା ପରୀକ୍ଷା ରିପୋର୍ଟ ଆଣିଲେ ଗାଁରେ ରହିବାକୁ ଅନୁମତି ଦିଆଯିବ ବୋଲି କହିଥିଲେ। ସେ ମଧ୍ୟ ଆଜି ନିଜର ରକ୍ତ ପରୀକ୍ଷା ପାଇଁ ମେଡିକାଲରେ ବୁଲିବୁଲି ନିରାଶ‌ ‌ହୋଇଛନ୍ତି। କରୋନା ଯୋଗୁଁ ଗାଁ ଗାଁରେ ଦେଖିବାକୁ ମିଳୁଥିବା ଏଭଳି ସମସ୍ୟା ଆଗକୁ ଅଧିକ ଜଟିଳ ହେବାର ଆଶଙ୍କା ରହିଛି। କରୋନା ଜନିତ ଏଭଳି ସମସ୍ୟାଗୁଡିକୁ ମଧ୍ୟ ସରକାର ପ୍ରାଥମିକତା ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର