ଭିମସାର୍‌ ପିଜି ଡାକ୍ତରଙ୍କୁ କରୋନା ସଂଦେହ ଘଟଣାରେ ସଫେଇ : ‘ଇନ୍‌ଫ୍ଲୁଏନ୍‌ଜା ସଂଦେହରେ ଆଇସୋଲେସନ୍‌ରେ ରଖା ଯାଇଥିଲା

ରକ୍ତ ନମୁନା ପଠା ନଯିବାକୁ ନେଇ ସଂଶୟ

ସମ୍ବଲପୁର : କେରଳରୁ ଫେରିଥିବା ଭିମସାର୍‌ର ପିଜି ଛାତ୍ର ଜଣକ କରୋନା ସଂଦିଗ୍‌ଧ ନୁହନ୍ତି। ତାଙ୍କୁ ଇନ୍‌ଫ୍ଲୁଏନ୍‌ଜା ସଂଦେହରେ ଆଇସୋଲେଟେଡ୍‌ କ୍ୟାବିନ୍‌ରେ ରଖା ଯାଇଛି ବୋଲି ଭିମସାର୍‌ କରୋନା ଆଇସୋଲେସନ୍‌ ୱାର୍ଡ ଦାୟିତ୍ବରେ ଥିବା ଯକ୍ଷ୍ମା ଓ ଛାତି ରୋଗ ବିଭାଗର ମୁଖ୍ୟ ଡା. ସୁଦର୍ଶନ ପୋଥାଲ କହିଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡା. ପୋଥାଲ କହିଛନ୍ତି। ଯହେତୁ ତାଙ୍କର ବିଦେଶ ଗସ୍ତର ଇତିହାସ ନାହିଁ, ତେଣୁ ସରକାରୀ ନିୟମାବଳୀ ଅନୁସାରେ ସେ କରୋନା ସଂଦେହ ବଳୟକୁ ଆସୁ ନାହାନ୍ତି। ସେହି କାରଣରୁ ତାଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଯାଇ ନାହିଁ ‌ବୋଲି ଡା‌. ପୋଥାଲ କହିଛନ୍ତି। କେବଳ କରୋନା ନୁହେଁ, ଯେ କୌଣସି ସଂକ୍ରାମକ ରୋଗର ସଂଦେହ ଥିଲେ ରୋଗୀକୁ ଆମେ ପୃଥକ୍‌ (ଆଇସୋଲେଟେଡ୍‌) ୱାର୍ଡ ବା କ୍ୟାବିନ୍‌ରେ ରଖିଥାଉ ବୋଲି ଡା. ପୋଥାଲ ସ୍ପଷ୍ଟୀକରଣ ଦେଇଛନ୍ତି।

ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ମଧ୍ୟ ଡାକ୍ତରୀ ଛାତ୍ର ଜଣକ କରୋନା ସଂଦିଗ୍‌ଧ ହୋଇଥିବା ବିଷୟକୁ ଅସ୍ବୀକାର କରିଛନ୍ତି। ତେବେ କେରଳ ନିବାସୀ ପିଜି ଡାକ୍ତର ଜଣକ ନିକଟରେ ଛୁଟିରେ ଯାଇ ନିଜ ରାଜ୍ୟରୁ ଫେରିଥିବାରୁ, ତାଙ୍କୁ ଥଣ୍ଡା, ଛିଙ୍କ, କାଶ ହେଉଥିବାରୁ ତଥା ଏକ ସ୍ବତନ୍ତ୍ର ପୃଥକ୍‌ କ୍ୟାବିନ୍‌ରେ ରଖା ଯାଇଥିବାରୁ କରୋନା ସଂଦେହରେ ଭିମସାର୍‌ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିବା ଅନୁଷ୍ଠାନ ଭିତରେ ହିଁ ଚର୍ଚ୍ଚା ହେଉଛି। ସବୁ ପ୍ରକାର ଫ୍ଲୁର ଲକ୍ଷଣ ସମାନ ଥାଏ। ଲକ୍ଷଣରୁ କାହାକୁ କଣ ହୋଇଛି ତାହା ଜାଣିବା କଷ୍ଟ। ଏଥି ପାଇଁ ରକ୍ତ ପରୀକ୍ଷା ଜରୁରୀ। ପୂର୍ବରୁ ଭିମ୍‌ସାର୍‌କୁ ଆସିଥିବା ସୁନ୍ଦରଗଡ଼ ଅଞ୍ଚଳର ଜଣେ ରୋଗୀ କରୋନା ଆକ୍ରାନ୍ତ ବୋଲି ସଂଦେହ କରା ଯାଉଥିଲା। କିନ୍ତୁ ପରେ ସେ ଏଚ୍‌୧ଏନ୍‌୧ (ସ୍ବାଇନ୍‌ ଫ୍ଲୁ) ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ତେଣୁ ଇନ୍‌ଫ୍ଲୁଏନ୍‌ଜା ସଂଦେହ ଥିଲେ ବି ରକ୍ତ ନମୁନା ପରୀକ୍ଷଣରେ ସମସ୍ୟା କେଉଁଠି ବୋଲି ପ୍ରଶ୍ନ ଉଠୁଛି। ଭିମସାର୍‌ରେ ଅନେକ ଲୋକ ଥଣ୍ଡାରେ ଆକ୍ରାନ୍ତ। ତାହେଲେ ଯଦି ସଂଦେହ ନଥିଲା କେବଳ କେରଳରୁ ଫେରିଥିବା ଛାତ୍ରଙ୍କୁ କାହିଁକି ପୃଥକ୍‌ କ୍ୟାବିନ୍‌ରେ ଭର୍ତ୍ତି କରାଗଲା ବୋଲି ପ୍ରଶ୍ନ ହେଉଛି। ତେବେ ଆମେ ରକ୍ତ ନମୁନା ପଠାଇଲେ ବି ନିୟମ ଅନୁସାରେ ସରକାର ତାକୁ ଗ୍ରହଣ କରିବେ ନାହିଁ ବୋଲି ଡା. ପୋଥାଲ କହିଛନ୍ତି। ଇତିମଧ୍ୟରେ ସଂପୃକ୍ତ ଛାତ୍ରଙ୍କୁ ଡାକ୍ତରଖାନାରୁ ତାଙ୍କ ବୁର୍ଲା ସ୍ଥିତ ଘରକୁ ପଠାଇ ଦିଆଯାଇ ସେଠାରେ ଆବଦ୍ଧ ରହିବାକୁ ଓ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର