ରାଜଧାନୀରେ ସାଂଘାତିକ ସ୍ଥିତି : ୨୪ ଘଣ୍ଟାରେ ୧୮ ପଜିଟିଭ୍‌

ବମିଖାଲ କରୋନା ହଟସ୍ପଟ୍; ଦିନକରେ ୧୫ ଚିହ୍ନଟ

ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଲକ୍‌ଡାଉନ୍‌ ନ ମାନିଲେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜଧାନୀରେ କରୋନାର ହଟସ୍ପଟ୍ ପାଲଟିଛି ବମିଖାଲ। ଲଗାତାର ସେହି ଅଞ୍ଚଳରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଆଜି ଗୋଟିଏ ଦିନରେ ରାଜଧାନୀର ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ବମିଖାଲ ଅଞ୍ଚଳରୁ ୧୫ଜଣ ପଜିଟିଭ୍‌ ସାମ୍ନାକୁ ଆସିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଏହା ଦ୍ରୁତି ଗତିରେ ବୃଦ୍ଧି ପାଇ ୩୯ ଛୁଇଁଛି। ତେବେ ଆଜିର ସଂକ୍ରମିତ ସଂଖ୍ୟାକୁ ନେଇ ରାଜଧାନୀରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ରାଜଧାନୀରେ ସମୁଦାୟ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଦ୍ବିପ୍ରହରରେ ୨ଜଣ ଓ ସଂଧ୍ୟାରେ ରାଜଧାନୀରୁ ୧୬ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ସଂଧ୍ୟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୫ଜଣ କେବଳ ବମିଖାଲ ଅଞ୍ଚଳର। ଅନ୍ୟ ଦୁଇ ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ସୂର୍ଯ୍ୟନଗର ଅଞ୍ଚଳର ପ୍ରଦୀପ୍ତ ଦଳବେହେରାଙ୍କ ଘରେ କାମ କରୁଥିଲେ। ଆଜି ସକାଳେ ଦୁଇ ଜଣ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବମିଖାଲ ଓ ଅନ୍ୟ ଜଣେ କପିଳପ୍ରସାଦ ହାଉସିଂ ବୋର୍ଡ କଲୋନି(ଫେଜ୍-୨)ରେ ୭୦ବର୍ଷର ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଗତମାସ ୨୨ତାରିଖରେ ସେ ଅଷ୍ଟ୍ରେଲିଆରେ ଫେରିଥିଲେ। ‌ତେବେ ସେହିଦିନଠାରୁ ସେ ଘରେ ସଙ୍ଗେରୋଧରେ ରହିଥିଲେ। ଆଜି ତାଙ୍କ ନମୁନା ପଜିଟିଭ୍ ରହିଥିବା ଜଣାପଡ଼ିଥିଲା। ସମସ୍ତଙ୍କୁ କିମ୍‌ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ବମିଖାଲ ଅଞ୍ଚଳରେ ୨୯ବର୍ଷୀୟ ଜଣେ ଯୁବକ ମଧ୍ୟ ଆଜି କରୋନା ସଂକ୍ରମିତ ହୋଇଛନ୍ତି। ଗତ ଦୁଇଦିନ ତଳେ ସେଠାରେ ଗୋଟିଏ ପରିବାରର ୩ ଭାଇ କରୋନା ସଂକ୍ରମିତ ହୋଇଥିବା ନଜରକୁ ଆସିଥିଲା। ସେହିଦିନଠାରୁ ବମିଖାଲକୁ ସିଲ୍‌ କରାଯିବା ସହିତ ତଦାରଖ ଜାରି ରହିଥିଲା। ଯାହାର ଫଳସ୍ବରୂପ ଆଜି ସେହି ଅଞ୍ଚଳରେ ଆଉ ଜଣେ ଯୁବକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ କେଉଁ ବ୍ୟକ୍ତି ଆସିଛନ୍ତି ତାହାର ଅନୁସନ୍ଧାନ ଜାରି ରହିଛି।

ଆଜି କପିଳପ୍ରସାଦ ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ‌କପିଳପ୍ରସାଦ ଓ ସୁନ୍ଦରପଦା ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ପୂର୍ବରୁ ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏହାସହ ରାଜ୍ୟରେ ବିଦେଶ ଫେରାନ୍ତଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ
ଲାଗିଛି।

ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଆକ୍ରାନ୍ତ ଯଥାକ୍ରମେ ଇଟାଲି ଓ ଇଂଲଣ୍ଡରୁ ଆସିଥିବା ବେଳେ ଚତୁର୍ଥ ପଜିଟିଭ୍ ଦୁବାଇ ଓ ଗତକାଲି ଜଣେ ବାହାରିନ୍‌ରୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବମିଖାଲକୁ ସିଲ୍ କରି ଦିଆଯାଇଛି। ଘରକୁ ଘର ବୁଲି ସର୍ବେକ୍ଷଣ ଜାରି କରାଯାଉଛି। ସେହି ଅଞ୍ଚଳରେ ଯେଉଁ କରୋନା ସନ୍ଦିଗ୍ଧ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ପୃଥକବାସରେ ରଖାଯାଇଥିବା ବେ‌ଳେ ସମସ୍ତଙ୍କ ପରୀକ୍ଷା କରାଯାଇଛି। ତେଣୁ ଲୋକମାନେ ଭୟଭୀତ ନ ହୋଇ ଘରେ ରହିବା ଲାଗି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ଆଜିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ଭୟଭୀତ ନ ହେବା ଲାଗି ଅନୁରୋଧ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିଲ୍ ହୋଇଥିବା ଅଞ୍ଚଳରୁ ଏହି ‌ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ତେଣୁ ଲୋକମାନେ ଲକ୍‌ଡାଉନ୍‌କୁ ସମ୍ମାନ ଜଣାଇ ଘରେ ରୁହନ୍ତୁ। ନଚେତ୍ ପୁଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହାସହ ଦୋକାନୀମାନେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ। ଏହାସହ ସଂପୃକ୍ତ ଦୋକାନ ଓ ମାର୍କେଟ୍‌କୁ ମଧ୍ୟ ସିଲ୍‌ କରି ଦିଆଯିବ। କରୋନା ବିରୋଧରେ ଲଢ଼େଇକୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର