ଆୟୁଷ ଡାକ୍ତର ଏଲୋପାଥିକ ଔଷଧ ପରାମର୍ଶ କରିବା ବେଆଇନ
ସ୍ୱାସ୍ଥ୍ୟ ବିଭାଗ, ବିଏମ୍‌ସିର ଅପାରଗତା ପାଇଁ ଭୋଗୁଛନ୍ତି ଲୋକ
ହସ୍ପିଟାଲରେ ଶଯ୍ୟା ନାହିଁ, ଆମ୍ବୁଲାନ୍ସ ବିଳମ୍ବରେ ଆସୁଛି
୧୯୨୯ ନମ୍ବରରେ ଫୋନ୍‌ କଲେ ବି ଠିକ୍‌ ପରାମର୍ଶ ମିଳୁନି
ଗୃହ ପୃଥକବାସରେ ରହିବାକୁ ଲୋକ ଡରିଲେଣି

Advertisment

ଭୁବନେଶ୍ୱର : ରାଜଧାନୀରେ ଏବେ ଅଜବ ପ୍ରକାରର କରୋନା ମୁକାବିଲା ଚାଲିଛି। ରାଜ୍ୟର ସବୁଠୁ ହଟସ୍ପଟ୍‌ ପାଲଟିଥିବା ଭୁବନେଶ୍ବର ପାଇଁ ରାଜ୍ୟ ସରକାର କେତେ ତତ୍ପର, ତାହା ହସ୍ପିଟାଲ ଭିତ୍ତିଭୂମି ଓ ଚିକିତ୍ସା ପଦ୍ଧତିକୁ ଦେଖିଲେ ଜଳଜଳ ଦିଶୁଛି। ଲୋକ କରୋନାରେ ମରନ୍ତୁ କି ଚିକିତ୍ସା ନପାଆନ୍ତୁ, ସେଥିପ୍ରତି ଟିକେ ବି ଦରଦ ଥିଲା ଭଳି ଅନୁଭବ ହେଉନି। ଏସବୁ ସ୍ଥିତିର କାରଣ ପୂରା ସ୍ପଷ୍ଟ। ରାଜଧାନୀରେ ଆକ୍ରାନ୍ତଙ୍କୁ ଦେଖି କୋଭିଡ୍‌ ହସ୍ପିଟାଲ ନାହିଁ। ଯେତିକି ଲୋକ ଗୁରୁତର ହେଉଛନ୍ତି, ତାଙ୍କ ପାଇଁ ଆଇସିୟୁ, ଭେଣ୍ଟିଲେଟର୍‌ ନାହିଁ। ବଡ଼ କଥା ହେଲା, କୋଭିଡ୍‌ ଆକ୍ରାନ୍ତଙ୍କୁ ପରାମର୍ଶ ଦେବାକୁ ଆୟୁର୍ବେଦିକ ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି। ଯେଉଁ ଡାକ୍ତରମାନେ ଏଲୋପାଥିକ୍‌ ଔଷଧ ଲେଖିପାରି‌‌ବେନି ବୋଲି ସ୍ବାସ୍ଥ୍ୟ ବିଭାଗର ନିୟମ ଅଛି, ସେମାନଙ୍କ ହାତରେ ହଜାର ହଜାର ଆକ୍ରାନ୍ତଙ୍କ ଜୀବନ ଛାଡ଼ି ଦେଇଛନ୍ତି। ଯେଉଁ ଡାକ୍ତରମାନେ ଆଜି ଯାଏ ଆୟୁର୍ବେଦିକ ଔଷଧ ରୋଗୀଙ୍କୁ ଦେଇ ଆସିଛନ୍ତି, ସେମାନେ ଏବେ ଏଲୋପାଥିକ୍‌ ଔଷଧ ଦେଉଛନ୍ତି। ତାହା ପୁଣି କରୋନା ଆକ୍ରାନ୍ତ ଯେତେବେଳେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି। ଭାଗ୍ୟ ଭଲ ଥିଲେ ବଞ୍ଚିବ ନଚେତ୍‌ ଯାହା ଗଞ୍ଜାମରେ ହୋଇଥିଲା, ତାହା ଏଠାରେ ଘଟି ଚାଲିବ।

ଯେଉଁମାନେ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ କୁହାଯାଇଛି ଦେହ କିଛି ଖରାପ ଲାଗିଲେ ୧୯୨୯ ନମ୍ବରରେ ‌ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ‌‌ ନେବ। ଏମିତି ଜଣେ କରୋନା ଆକ୍ରାନ୍ତ ୧୯୨୯ ନମ୍ବରରେ ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ତାଙ୍କୁ କରୋନା ହେବାର ୧୫ଦିନ ବିତିଯାଇଥି‌ଲେ ବି ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ, ଦେହରେ କିଛି କରୋନା ଲକ୍ଷଣ ଥିବାରୁ ସେ ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଔଷଧ ଖାଇବାକୁ ଫୋନ୍‌ କରିଥିଲେ। ୧୯୨୯ ନମ୍ବରରେ ଜଣେ କର୍ମଚାରୀ ଫୋନ୍‌ ଉଠାଇବା ପରେ ସେ ଡାକ୍ତରଙ୍କୁ କଥା କରାଇବାକୁ ପ୍ରାୟ ୧୫ ମିନିଟ ସମୟ ନେଇଥିଲେ। ଏହାପରେ ଡାକ୍ତରଙ୍କ ସହ କଥା ହେବାର ସୁଯୋଗ ମିଳିଥିଲା। ଭୁବନେଶ୍ବର ଅପରେସନ୍‌ ସେଣ୍ଟରରେ ବସିଥିବା ଆୟୁଷ ଡାକ୍ତରଜଣଙ୍କ ତାଙ୍କୁ କେଉଁ ଔଷଧ ଖାଇଛନ୍ତି, କେମିତି ଦେହ ଅଛି ସବୁ ପଚାରିବା ପରେ ଗୋଟିଏ ଔଷଧ ଖାଇବାକୁ କହିଲେ। ଆକ୍ରାନ୍ତଜଣଙ୍କ କହିଲେ ଯେ ମୁଁ ଆଜ୍ଞା ସେଇଟା ବି ଖାଇଛି। ଡାକ୍ତରଜଣଙ୍କ କହିଲେ ଆପଣଙ୍କର ଯଦି କିଛି କମୁନି, ଆପଣ ଆୟୁର୍ବେଦିକ ଔଷଧ ଖାଇପାରିବେ। ଏହାପରେ ଆକ୍ରାନ୍ତଜଣଙ୍କ ପଚାରିଲେ ଆଜ୍ଞା ଆଜି ପର୍ଯ୍ୟନ୍ତ ଏଲୋପାଥିକ୍‌ ଔଷଧ ଖାଇଲି, ଏବେ ହଠାତ୍‌ ଆୟୁର୍ବେଦିକ ଖାଇବି କେମିତି। ଡାକ୍ତରଙ୍କ ଉତ୍ତର ଥିଲା, ଆଜ୍ଞା ଆମେ ଯେତିକି ଜାଣିଛୁ ସେତିକି କହିଲୁ। ଆପଣ ଆୟୁର୍ବେଦିକ ଔଷଧ ଯଦି ଖାଇବେ ତେବେ କହିବି। ଏହାପ‌ରେ ଆକ୍ରାନ୍ତଜଣଙ୍କ ଡାକ୍ତରଙ୍କ କହିବାନୁଯାୟୀ ଆୟୁର୍ବେଦିକ ଔଷଧ ନାମଗୁଡ଼ିକ ଟିପି ରଖିଲେ। ସେ ସେ ଔଷଧ ଖାଇଲେ କି ନାହିଁ ଅଲଗା କଥା। ଡାକ୍ତର ବି ତାଙ୍କୁ ଆୟୁର୍ବେଦିକ ଔଷଧ ଖାଇବାକୁ ବାଧ୍ୟ କରିନଥିଲେ। ହେଲେ ଡାକ୍ତର ହିସାବରେ ତାଙ୍କ ଡ୍ୟୁଟି କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ଜଣେ ଗୃହ ପୃଥକବାସରେ ଥିବା ଆକ୍ରାନ୍ତ ଗୁରୁତର ଅବସ୍ଥାରେ ୧୯୨୯ ନମ୍ବରକୁ ଫୋନ୍‌ କରିବ ଆଉ ସେଠାରେ ଡାକ୍ତର ଆକ୍ରାନ୍ତ କିପରି ଶୀଘ୍ର ସୁସ୍ଥ ହେବେ ସେ ଔଷଧ ଦେଇପାରିବେନି ତେବେ ସେଭଳି ସେବା ଆରମ୍ଭ କରି ଲାଭ କ’ଣ? ରାଜଧାନୀରେ କ’ଣ ୩/୪ଜଣ ଏ‌ମ୍‌ବିବିଏସ୍‌ ଡାକ୍ତର ମିଳୁନାହାନ୍ତି, ଯେଉଁମାନେ ୧୯୨୯ ନମ୍ବରରେ ଆକ୍ରାନ୍ତଙ୍କୁ ପରାମର୍ଶ ଦେଇପାରିବେ। ସ୍ବାସ୍ଥ୍ୟ ବିଭାଗ କ’ଣ ଏତେ ଅପାରଗ ଯେ ସାରା ରାଜ୍ୟରୁ କେଉଁଠୁ ଡାକ୍ତର ପାଉନି। ବିଏମ୍‌ସି କ’ଣ ଏମିତି ଉପାୟଶୂନ୍ୟ ହୋଇଛି ଯେ ଏଲୋପାଥିକ୍‌ ଔଷଧ ଖାଇ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ବାରା ଔଷଧ ଖାଇବାକୁ ପରାମର୍ଶ ଦେଉଛି। ବିଏମ୍‌ସି ଅଧୀନରେ ଥିବା ବିଏମ୍‌ସି ହସ୍ପିଟାଲ, ୨୩ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ କୁଆଡ଼େ ଗଲେ? ବିଏମ୍‌ସି କାହିଁକି ସେମାନଙ୍କୁ ଏହିଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲଗାଉନି? ହସ୍ପିଟାଲରେ ଶଯ୍ୟା ନାହିଁ, ଆକ୍ରାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବାକୁ ଫୋନ୍‌ କଲେ ତିନିରୁ ୪ ଘଣ୍ଟା ପରେ ଆମ୍ବୁଲାନ୍ସ ଆସୁଛି। ଏହିଭଳି ସ୍ଥିତିରେ ଯଦି ଗୁରୁତର କି ଅନ୍ୟ କୌଣସି ଥିବା ରୋଗୀ ଘରେ ରହି ଚିକିତ୍ସିତ ହେଉଥିବେ ତେବେ ୧୯୨୯ନମ୍ବରକୁ ଫୋନ୍‌ କଲେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ କେତେ ଉପଯୋଗୀ ହେବ ତାହା ସାଧାରଣ ଲୋକଟିଏ ବି କହିପାରିବ।

ବିଏମ୍‌ସି କର୍ତ୍ତୃପକ୍ଷ ନିଜ ଦୋଷକୁ ସ୍ବୀକାର କରିବାକୁ ବି ନାରାଜ। ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆୟୁଷ ଡାକ୍ତରମାନେ ତ କଣ୍ଟାକ୍ଟ ଟ୍ରେସିଂ କଲେ, ରାପିଡ୍‌ ରେସ୍ପନ୍ସ ଟିମ୍‌ରେ ରହିଲେ। ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସମୟରୁ ଔଷଧ ଦେଲେ। ଏବେ ୧୯୨୯ ନମ୍ବରରେ ପରାମର୍ଶ ଦେଲେ ଅସୁବିଧା କ’ଣ? ସେମାନେ ଜାଣିଛନ୍ତି କ’ଣ ଔଷଧ ଦେବାକୁ ହେବ। ଉକ୍ତ ଅଧିକାରୀ ବୁଝିବାକୁ ନାରାଜ ଥିଲେ ଯେ କାଗଜରେ ଯେଉଁ ଔଷଧ ଲେଖା ହୋଇଛି, ସବୁ କରୋନା ଆକ୍ରାନ୍ତଙ୍କୁ ଯେଉଁ ଔଷଧ ଦିଆଯାଉଛି ତାହା ସେହି ଆୟୁଷ ଡାକ୍ତରମାନେ ନେଇ ଦେଉଛନ୍ତି। ଯଦି ଆୟୁଷ ଡାକ୍ତର ନଯାଇ ବିଏମ୍‌ସିର ଜଣେ କିରାଣି ଯାଇ ଦେଇଦେବ ତେବେ ବି ଅସୁବିଧା ନାହିଁ। କାରଣ ରାପିଡ୍‌ ରେସ୍ପନ୍ସ ଟିମ୍‌ ଯେଉଁ ଔଷଧ କିଟ୍‌ ଦେଉଛି ସେଥିରେ ଔଷଧ କେମିତି ଖାଇବ ଲେଖା ହୋଇଛି। କିନ୍ତୁ ୧୯୨୯ ନମ୍ବରକୁ ଯେଉଁ ଆକ୍ରାନ୍ତ ଜଣଙ୍କ ଫୋନ୍‌ କରୁଛି ସେତେବେଳେ ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି କିମ୍ବା ଅତି ଗୁରୁତର ହୋଇ ପରାମର୍ଶ ନେବାକୁ ଫୋନ୍‌ କରିଛି। ସେତେବେଳେ ସବୁ କରୋନା ଆକ୍ରାନ୍ତଙ୍କୁ ଯେଉଁ କାଗଜ ଲେଖା ଔଷଧ ଦିଆଯାଉଛି ତାହା ଦେବାକୁ ପଡ଼ୁନି କି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଲେ ସେ ରୋଗୀ ସଙ୍ଗେସଙ୍ଗେ ସୁସ୍ଥ ହୋଇଯିବେନି। ଏ ସ୍ଥିତିରୁ ଜଣାପଡ଼ୁଛି ସ୍ବାସ୍ଥ୍ୟ ବିଭାଗ, ବିଏମ୍‌ସି ରାଜଧାନୀବାସୀଙ୍କ ପାଇଁ କେତେ ତତ୍ପର ଅଛନ୍ତି। ବିଏମ୍‌ସିର ଏ ଅବସ୍ଥା ଦେଖି ଲୋକ ଗୃହ ପୃଥକବାସରେ ରହିବାକୁ ଡରିଲେଣି।