ଭୁବନେଶ୍ବର : ରାଜ୍ୟର ୨୮ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଅନେକ ଜିଲ୍ଲାରେ ସଂକ୍ରମଣ ୧୦ ତଳକୁ ଖସି ଆସିଲାଣି। ହେଲେ ଖୋର୍ଦ୍ଧା ଓ କଟକରେ ସଂକ୍ରମଣ କମୁନାହିଁ। ଏପରିକି ଖୋର୍ଧାରେ ଦୈନିକ ସଂକ୍ରମଣ ୨ଶହକୁ ଖସି ଆସିଥିବା ବେଳେ ଏବେ ପୁଣି ୩ଶହ ଉପରକୁ ଉଠିଲାଣି। ସେହିପରି କଟକରେ ସଂକ୍ରମଣ ପୁଣିଥିରେ ଶହେ ଉପରକୁ ଗଲାଣି। ରାଜ୍ୟ ସରକାର ଏବେ ନାମକୁମାତ୍ର କଟକଣା ରଖିଥିବାବେଳେ ଏହି ଦୁଇ ଜିଲ୍ଲାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ତଥାପି ସଂକ୍ରମଣ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି।
ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ପ୍ରତିଶତ ହାରରେ ୧୨୦ଜଣ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଏବେଠାରୁ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଡିଏମ୍ଇଟି ପ୍ରଫେସର୍ ଡା. ସିବିକେ ମହାନ୍ତି କହିଛନ୍ତି, ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ଚାଲିଛି ଓ ସଂକ୍ରମିତ ମଧ୍ୟ ହେଉଛନ୍ତି। ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ। ତୃତୀୟ ଲହର ଏବେ ବି ଆକଳନସ୍ତରରେ ରହିଛି। ହେଲେ ଏଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ପ୍ରଫେସର୍ ଡା. ମହାନ୍ତି କହିଛନ୍ତି। ଖୋର୍ଧାରେ ୩୪୧, କଟକ ୧୧୭କୁ ବାଦ୍ ଦେଲେ ବାଲେଶ୍ବର ୫୧, ଯାଜପୁର ୩୨, ପୁରୀ ୩୧, ଢେଙ୍କାନାଳ ୨୬, ଅନଗୁଳ ୨୦ ଓ ଷ୍ଟେଟ୍ ପୁଲରୁ ୭୮ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୦ହଜାର ୭୨ରେ ପହଞ୍ଚିଛି।
ରାଜ୍ୟରେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ ୨, ବାଲେଶ୍ବର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୮୩୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୫ହଜାର ୪୭୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୬୫୧୦ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୫୨୮ ଚିକିତ୍ସାଧୀନ ରୋଗୀ ଅଛନ୍ତି।