ସୁସ୍ଥ ସଂଖ୍ୟାରେ ରେକର୍ଡ, ଆକ୍ରାନ୍ତ ବି ବଢ଼ିଲେ : ରାଜ୍ୟରେ ଦିନକରେ ୭୫ ଆକ୍ରାନ୍ତ, ୧୭୮ ସୁସ୍ଥ

କରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା, ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ନିକଟତର

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ପରିମାଣରେ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ବ୍ୟାପିବା ପରଠୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଆକ୍ରାନ୍ତ କେବେ ସୁସ୍ଥ ହୋଇ ନ ଥିଲେ। ଫଳରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୮୯୪ରେ ପହଞ୍ଚିଛି। ତେବେ ଆକ୍ରାନ୍ତ ସଂଖ୍ୟା ବି ଦିନକୁ ଦିନ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ୧୬ ଜିଲ୍ଲାରୁ ୭୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି। ୭୫ ଜଣଙ୍କ ମଧ୍ୟରେ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲା ବେଳେ ୩ ଜଣ ସ୍ଥାନୀୟ ଲୋକ ଅଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୭୮ ଜଣଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯, ଗଜପତିର ୨୩, ନୂଆପଡ଼ାର ୨୨, ଭଦ୍ରକର ୧୭, ନୟାଗଡ଼ର ୧୫, ଗଞ୍ଜାମର ୧୪, କେନ୍ଦ୍ରାପଡ଼ାର ୧୦, ଢେଙ୍କାନାଳ ଓ କନ୍ଧମାଳର ୯ ଲେଖାଏଁ, ସୁନ୍ଦରଗଡ଼ର ୬, ବାଲେଶ୍ବରର ୪, ବଲାଙ୍ଗୀର, କଟକ ଓ ମାଲକାନଗିରିର ୨ ଲେଖାଏଁ, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ଅଛନ୍ତି।

ସେହିପରି ଆଜି ଚିହ୍ନଟ ହୋଇଥିବା ୭୫ ନୂଆ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ୧୮ ଲେଖାଏଁ, ଯାଜପୁରର ୭, କଟକ ଓ ବଲାଙ୍ଗୀରର ୫ ଲେଖାଏଁ, ନୟାଗଡ଼ର ୪,‌ ସୋନପୁର ଓ କେନ୍ଦ୍ରାପଡ଼ାର ୩ ଲେଖାଏଁ, ଜଗତସିଂହପୁର, କୋରାପୁଟ, ଢେଙ୍କାନାଳ ଓ ଅନୁଗୁଳର ୨ ଲେଖାଏ, କେନ୍ଦୁଝର, ଗଞ୍ଜାମ, ପୁରୀ ଓ ନୂଆପଡ଼ାର ଜଣେ ଲେଖାଏଁ ଅଛନ୍ତି।

preparedfoods.com

କରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା

ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ନିକଟତର

ବ୍ରହ୍ମପୁର : ରାଜ୍ୟରେ ଆଉ ଏକ ଜୀବନ ନେଇଛି କରୋନା ମହାମାରୀ। ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷଙ୍କ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ସହ ତାଙ୍କର ଅନ୍ୟ ରୋଗ ବି ଥିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ସମୁଦାୟ ପଜିଟିଭ୍ ସଂଖ୍ୟା ୫୯୮କୁ ବୃଦ୍ଧି ପାଇ ୬ଶହ ଛୁଇଁବାକୁ ଯାଉଛି। ଆଜି ଜଣେ ମାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଶୀତଳାପଲ୍ଲୀ କୋଭିଡ଼୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନଙ୍କ ମଧ୍ୟରୁ ଆଜି ୧୪ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଫଳରେ ଏହାକୁ ମିଶାଇ ଆଜି ସୁଦ୍ଧା ୪୧୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଘରକୁ ଫେରିଥିବା ବେଳେ ୧୮୪ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ‌ଅଛନ୍ତି। ଗତ ମେ ମାସ ୮ତାରିଖରେ ଜିଲ୍ଲାରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଥିଲା। ଏହାପରେ ମେ ୧୬ ଓ ମେ ୨୦ ତାରିଖରେ ଜ‌ଣେ ଲେଖାଏଁ ଏହିପରି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର