୩ ଦିନ ଧରି ୫୦୦ ତଳେ କରୋନା

ଭୁବନେଶ୍ବର : ଗତ ୩ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଆହୁରି ତଳମୁହାଁ ହୋଇଛି। ରାଜ୍ୟବ୍ୟାପୀ ଦୈନିକ ସଂକ୍ରମଣ ୫ଶହ ତଳେ ରହିଥିବା ବେଳେ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଭୁବନେଶ୍ବର ସହରରେ ମଧ୍ୟ ସଂକ୍ରମଣ ୨ଶହ ତଳେ ରହିଛି। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ମଧ୍ୟ ୧ ତଳେ ରହିଛି। ଗତ ୨୪ଘଣ୍ଟାରେ ୪୫୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଟିପିଆର ୦.୮୮ ପ୍ରତିଶତ ରେକର୍ଡ କରାଯାଇଛି।

ଚଳିତମାସ ପହିଲାରୁ ରାଜ୍ୟରେ ଦୈନିକ ସଂକ୍ରମଣ ୭ଶହକୁ ଖସି ଆସିଥିଲା। ଗତ କିଛିଦିନ ଭିତରେ ଏହା ୫ଶହ ତଳକୁ ଖସି ଆସିଛି। ଲଗାତାର ଭାବେ ଖୋର୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ କଟକରେ ମଧ୍ୟ ସଂକ୍ରମଣ ୫୦ ପାଖପାଖି ରହିଛି। ତଥାପି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସଂକ୍ରମଣ ହଠାତ୍ ବଢ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାର୍ବଣ ଋତୁରେ ଅଯଥାରେ ଭିଡ଼ ନ କରିବାକୁ ନିବେଦନ କରାଯାଇଛି। ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ କୋଭିଡ୍‌ ନିୟମକୁ ପାଳନ ନ କଲେ ତୃତୀୟ ଲହର ଆମନ୍ତ୍ରଣ କଲା ଭଳି ସ୍ଥିତି ସୃଷ୍ଟି ହେବ। ପାର୍ବଣରେ ଦୋକାନ ବଜାର ବନ୍ଦ କରିବା ଲାଗି ଆମେ ଚାହୁଁନୁ। ନିୟମ ନ ମାନିଲେ ପାର୍ବଣରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କେରଳ ଭଳି ସ୍ଥିତି ଓଡ଼ିଶାରେ ମଧ୍ୟ ଉପୁଜିପାରେ ବୋଲି ଡା.ମହାନ୍ତି ସତର୍କ କରାଇଛନ୍ତି।

ବୁଧବାର ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ତଳକୁ କଟକ ୪୪, ବାଲେଶ୍ବର ୨୮, ମୟୂରଭଞ୍ଜ ୧୯, ଯାଜପୁର ୧୮, ଜଗତସିଂହପୁର-ସୁନ୍ଦରଗଡ଼-ଭଦ୍ରକରେ ୧୦ ଲେଖାଏଁ, ଗଞ୍ଜାମ ୮, ଅନୁଗୁଳ ୫ ଓ ଷ୍ଟେଟ୍‌ ପୁଲରୁ ୪୭ଜଣଙ୍କୁ ଚିହ୍ନଟ କରାଯାଇଛି। ୪ ଜିଲ୍ଲାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୭ହଜାର ୭୧୮କୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ବରର ସଂକ୍ରମଣ ଗ୍ରାଫ୍ ମଧ୍ୟ ଆହୁରି ତଳକୁ ଖସିବାରେ ଲାଗିଛି। ୧୨ତାରିଖ ପରଠାରୁ ରାଜଧାନୀରେ ସଂକ୍ରମଣ ୨ଶହ ତଳେ ଦେଖିବାକୁ ମିଳିଛି। ଆଜି ରାଜଧାନୀରେ ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଆସନ୍ତା କିଛିଦିନ ଭିତରେ ଏହା ଆହୁରି ଖସିପାରେ ବୋଲି ଆଶା କରାଯାଉଛି। ରାଜ୍ୟରେ ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ‌ଭାବେ ଘୋଷଣା କରାଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧା ୩, କଟକ ୨ ଓ ଯାଜପୁରରେ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୧୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୫୬୧ କରୋନା ରୋଗୀ ସୁସ୍ଥ ହେବା ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୩୮୭କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୪ହଜାର ୧୬୪ରେ ପହଞ୍ଚିଛି। ରାଜ୍ୟର ସୁସ୍ଥ ହାର ୯୮ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର