ଖୋର୍ଧାରେ ସଂକ୍ରମଣ ପୁଣି ଉପରମୁହାଁ, ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ୩ଶହ ଡେଇଁଲା

ଭୁବନେଶ୍ବର : ୪ ଦିନ ଧରି ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ଉପରମୁହାଁ ରହିଛି। ଗତ ୧୩ ତାରିଖରେ ୨ଶହ ତଳକୁ ଖସି ଆସିଥିବା ସଂକ୍ରମଣ ଏବେ ପୁଣିଥରେ ୩ଶହ ପାର୍ କରିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୩୨୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣର ପ୍ରାୟ ଅଧା। ରାଜ୍ୟର ଅନ୍ୟ ଜିଲ୍ଲାରେ ସଂକ୍ରମଣ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଖୋର୍ଧାରେ ଏବେ ବି ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସୁନାହିଁ।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ସଂକ୍ରମଣ ସ୍ଥିର ରହିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଓ ହସ୍ପିଟାଲରେ ଭର୍ତି ହେଉଥିବା ରୋଗୀଙ୍କ ସଂଖ୍ୟା କମିଛି। ରାଜ୍ୟର ଅନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ବର ଓ କଟକରେ ସଂକ୍ରମଣ ଅଧିକ ରହୁଛି। ଯେହେତୁ ରାଜ୍ୟର ସବୁ ବଡ଼ ହସ୍ପିଟାଲ ଏହି ଦୁଇ ସ୍ଥାନରେ ରହିଛି, ତେଣୁ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବା ଦେଖାଯାଉଛି। ଏବେ ସବୁ ହସ୍ପିଟାଲରେ ଆର୍‌ଟି-ପିସିଆର୍‌ ‌ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୩ ମାସ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ ବୋଲି ଡା. ମିଶ୍ର କହିଛନ୍ତି।

ରାଜ୍ୟରେ ଏବେ ବି ୫ଶହ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିରୁ ୧୫୪ଜଣ ସାଧାରଣ ଶଯ୍ୟା, ୩୪୬ଜଣ ଆଇସିୟୁ/ଏଚ୍‌ଡିୟୁ ଓ ୭୬ଜଣ ଆଇସିୟୁ ଭେଣ୍ଟିଲେଟର୍‌ରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୮ବର୍ଷରୁ କମ୍ ପିଲାଙ୍କ କ୍ଷେତ୍ରରେ ୨୬ଜଣ ହସ୍ପିଟାଲରେ ଅଛନ୍ତି। ମାତ୍ର ଚିକିତ୍ସାଧୀନ ରୋଗୀଙ୍କ ୯୦ପ୍ରତିଶତ ଅର୍ଥାତ୍ ୪୬୮୭ଜଣ ଗୃହ ପୃଥକବାସରେ ରହିଛନ୍ତି। ୨୦ଜଣ ସାଧାରଣ ଶଯ୍ୟାରେ ଥିବା ବେଳେ ୬ଜଣ ଆଇସିୟୁ/ଏଚ୍‌ଡିୟୁରେ ରହିଛନ୍ତି। ୫୧ଜଣ ଗୃହ ପୃଥକାବାସରେ ରହି ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗରୁ ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାକୁ ବାଦ୍ ଦେଲେ କଟକ ୯୦, ଯାଜପୁର ୩୯, ବାଲେଶ୍ବର ୩୦, ଜଗତସିଂହପୁର ୨୫, ମୟୂରଭଞ୍ଜ ୧୮, ଭଦ୍ରକ ୧୩ ଓ ଷ୍ଟେଟ୍‌ ପୁଲରୁ ୭୬ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୯ହଜାର ୬୨୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କଟକ, ଜଗତସିଂହପୁର, ଯାଜପୁର, ଖୋର୍ଧା, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି ପାଇଛି। ଆଉ ୭୫୬ କୋଭିଡ୍‌ ରୋଗୀ ଆଜି ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୧୨୦କୁ ଖସି ଆସିଛି।

ସମ୍ବନ୍ଧିତ ଖବର