ରାଜ୍ୟରେ ଉପରମୁହାଁ କରୋନା : ଆଉ ୨୯୦ ଚିହ୍ନଟ, ଖୋର୍ଦ୍ଧାରୁ ୭୧

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ମାସ ବ୍ୟବଧାନ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାଖାପାଖି ପହଞ୍ଚିଛି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ଏବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି। ଲଗାତାର ଭାବେ ଦୈନିକ ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲାରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୭୧ ଜଣ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ୨୦୨୧ ଅର୍ଥାତ ଚଳିତବର୍ଷରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦ରେ ପହଞ୍ଚିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୯୦ ମାମଲା ମଧ୍ୟରେ ୧୭୧ଟି କ୍ୱାରାଣ୍ଟିନ୍‌ରେ ଥିବା ବେଳେ ୧୧୯ଟି ସ୍ଥାନୀୟ ସଂକ୍ରମଣ ନଜରକୁ ଆସିଛି। ଖୋର୍ଦ୍ଧା ବ୍ୟତୀତ ନୂଆପଡ଼ା ଜିଲ୍ଲାରେ ୪୦, ଝାରସୁଗୁଡ଼ାରେ ୨୧, କଟକରେ ୧୬, ବରଗଡ଼ରେ ୧୫, ସୁନ୍ଦରଗଡ଼ରେ ୧୪, ସମ୍ବଲପୁରରେ ୧୧, ଅନୁଗୁଳ ଓ ମୟୂରଭଞ୍ଜରେ ୧୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜି ୨୯୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ପଜିଟିଭ୍‌ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ହଜାର ୪୯୬ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏବେ ରାଜ୍ୟର ଟେଷ୍ଟ ପଜିଟିଭ୍‌ ରେଟ୍‌ ୧.୧୩% ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର