୨ଦିନରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ; ବଢ଼ୁଛି ମୃତ୍ୟୁ ସଂଖ୍ୟା, ୨୫ ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ କରୋନା ଭୟଙ୍କର ସ୍ଥିତି ସୃଷ୍ଟି କଲାଣି। ଲଗାତାର ଭାବେ ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି। ଗତ ଦୁଇ ଦିନରେ ରାଜ୍ୟରେ ୧୮,୪୨୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପ୍ରିଲ ଶେଷ ଦିନରେ ୧୦ ହଜାର ୪୧୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା, ଯାହାକି ଏ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ପୂର୍ବ ଦିନ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ୨୩ ପ୍ରତିଶତ କମ୍ ନଜରକୁ ଆସିଛି, ହେଲେ ଦୈନିକ ସଂକ୍ରମଣର ଗ୍ରାଫ୍‌ ଏବେ ଉଚ୍ଚ‌ ସମତଳ ହୋଇ ରହିଥିବାରୁ ବିପଦ ଟଳିନାହିଁ।

ଅପରପକ୍ଷେ ଗତ ଦୁଇ ଦିନରେ ୨୫ଜଣଙ୍କ ମୁଣ୍ଡ ନେଇଛି କରୋନା। ଗତକାଲି ୧୧ ଓ ଆଜି ୧୪ଜଣ କ‌ରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ୧୪ମୃତକଙ୍କ ମଧ୍ୟରେ ରାୟଗଡ଼ା ୪, କେନ୍ଦୁଝର ୨, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର ଓ ଖୋର୍ଧାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି।

ଖୋର୍ଧା ପୂର୍ବଭଳି ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲା ସ୍ଥାନ ବଜାୟ ରଖିଛି। ଗତ ମାସଠାରୁ ଏହି ଧାରା ଆରମ୍ଭ ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଶେଷକରି ଭୁବନେଶ୍ବର କ‌ରୋନାର ହଟସ୍ପଟ୍‌ ପାଲଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ସିଂହଭାଗ ରୋଗୀ ବାହାରିଛନ୍ତି ଖୋର୍ଧା ଜିଲ୍ଲାରୁ। ନୂତନ ୧୨୭୫ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୩, ୪୭୪କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ରେ ୭୩୫, ଅନୁଗୁଳ ୫୨୫, କଟକ ୪୮୨, ସମ୍ବଲପୁର ୪୪୧, ବରଗଡ଼ ୩୯୦, ଝାରସୁଗୁଡ଼ା ୩୮୬, ନବରଙ୍ଗପୁର ୩୨୦, ପୁରୀ ୩୦୬, ନୂଆପଡ଼ା ୨୬୪, ସୋନପୁର ୨୦୭ ଓ ଷ୍ଟେଟ୍‌ ପୁଲରୁ ୨୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ କମୁ ନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୬,୫୬୦ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆର୍‌ ୧୭.୨ ପ୍ରତିଶତ ରହିଛି। ଗତ ଏପ୍ରିଲ ୩୦ ତାରିଖରେ ଏହା ୨୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ରାଜ୍ୟର ୧୭ଟି ଜିଲ୍ଲା ଏବେ ରେଡ୍‌-ଜୋନ୍‌ରେ ରହିଛି। ରାଜ୍ୟରେ ଆଜି ୬୫୨୭ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତ ସୁସ୍ଥ ହେବାରେ ରେକର୍ଡ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୯୭ ହଜାର ୫୭୫ ରୋଗୀ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ସୁସ୍ଥହାର ୮୬ପ୍ରତିଶତ ରହିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୨,୯୨୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର