ବୋଲ ମାନୁନି କରୋନା : ରାଜ୍ୟରେ ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଏନ୍‌ଡିଆର୍‌ଏଫ୍‌ର ଆଉ ୪୯ ଯବାନ ଆକ୍ରାନ୍ତ
ବ୍ରହ୍ମପୁର ବଡ଼ମେଡିକାଲ୍‌ର ୪ ଡାକ୍ତର, ୮ ନର୍ସ ପଜିଟିଭ୍
ଚାନ୍ଦିପୁରର ୨ ପ୍ରତିରକ୍ଷା କର୍ମଚାରୀଙ୍କୁ କରୋନା
ନୟାଗଡ଼ ଡାକ୍ତରଖାନାରେ ଡାକ୍ତର ଓ ନର୍ସ ଆକ୍ରାନ୍ତ

କଟକ/ବ୍ରହ୍ମପୁର/ବାଲେଶ୍ବର/ନୟାଗଡ଼ : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସବୁପ୍ରକାର କଟକଣା ସତ୍ତ୍ବେ ପ୍ରତିଦିନ ଶହ ଶହ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପୂର୍ବରୁ ପଶ୍ଚିମ‌ବଂଗ, ଗୁଜରାଟ ଭଳି ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ପରିବାର ଲୋକ ଓ ସଂପର୍କୀୟମାନେ ଆକ୍ରାନ୍ତ ହେଉଥିଲେ। ଏବେ କିନ୍ତୁ କରୋନା ମୁକାବିଲାରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ, ଯବାନ, ଆ‌ଶାକର୍ମୀ ଭଳି ଯୋଦ୍ଧାମାନେ ବି ଆକ୍ରାନ୍ତ ହେ‌େଲଣି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଚିତ୍ର ପଦାକୁ ଆସିବା ଚିନ୍ତାର କାରଣ ହୋଇଛି। ‘ଅମ୍ଫାନ୍‌’‌ରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଂଗ ଯାଇଥିବା କଟକ ମୁଣ୍ଡଳୀସ୍ଥିିତ ଏନ୍‌ଡିଆର୍‌ଏଫ୍‌ର ଆଉ ୪୯ ଯବାନ ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ୪ ଡାକ୍ତର ଓ ୬ ନର୍ସ ଏବଂ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ଓ ନର୍ସ ସଂକ୍ରମିତ ହୋଇଛନ୍ତି। ସେହିପରି ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର(ପିଏକ୍ସଇ)ର ଦୁଇ ଜଣ ପ୍ରତିରକ୍ଷା କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଉଦ୍‌ବେଗଜନକ ପରିସ୍ଥିିତି ସୃଷ୍ଟି ହୋଇଛି।

The Pioneer

ଏନ୍‌ଡିଆର୍‌ଏଫ୍‌ର ୧୭୯ ଯବାନ ପଶ୍ଚିମବଙ୍ଗ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗଲା ୫ ତାରିଖ ଦିନ ଜଣେ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କୁ କ୍ବାରାଣ୍ଟିନରେ ରଖାଯାଇଥିଲା। ପରେ ଅନ୍ୟ ୧୭୩ ଯବାନଙ୍କୁ ତୁରନ୍ତ କ୍ବାରାଣ୍ଟିନ୍‌ରେ ରଖାଯିବା ସହ ୬ ତାରିଖ ଦିନ ସେମାନଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ଏମିତି ରିପୋର୍ଟ ଆସିବା ପରେ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ବିଭାଗର ୩୭୨ଜଣ କର୍ମଚାରୀଙ୍କୁ ନେଇ ଚିନ୍ତା ବଢିଛି।

ଅନ୍ୟପଟେ ଏସ୍‌ସିବିରେ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଜଣେ ମୁମ୍ବାଇ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବଡମ୍ବାରୁ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆଜି ଗୋଟିଏ ଦିନରେ ଜିଲ୍ଲାରେ ମୋଟ ୫୨ଜଣ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡିଛି।

Collegedunia

ସେହିପରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ର ଡାକ୍ତର ଓ ନର୍ସଙ୍କୁ କରୋନା। ଜଣେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତରଖାନାର ୪ଜଣ ଡାକ୍ତର ଏବଂ ୮ଜଣ ନର୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ୧୨ଜଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନାହିଁ। ସମସ୍ତଙ୍କୁ ଏକ ସ୍ବତନ୍ତ୍ର ଗେଷ୍ଟ୍‌ହାଉସ୍‌ରେ ରଖି ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ତରଫରୁ ଏଯାଏ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନଥିଲେ ହେଁ ଏହି ଖବର ପ୍ରଘଟ ହେବା କ୍ଷଣି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍‌ ସଂଖ୍ୟା ୬୦୦ ଟପିଛି। ଆଜି ୩୩ ଜଣ ନୂତନ ପଜିଟିଭ୍‌ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ ପଜିଟିଭ୍‌ ସଂଖ୍ୟା ୬୩୧ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଚାନ୍ଦିପୁରସ୍ଥିତ ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର(ପିଏକ୍ସଇ)ର ୨ ଜଣ ପ୍ରତିରକ୍ଷା କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପିଏକ୍ସଇର ସମସ୍ତ କର୍ମଚାରୀଙ୍କୁ ‘ଵାର୍କ ଫ୍ରମ୍‌ ହୋମ୍‌’ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଇଟିଆରର କର୍ମଚାରୀଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଜଣଙ୍କୁ କୋଲକାତାର କମାଣ୍ଡ ହସ୍‌ପିଟାଲ୍‌ରେ ସ୍ବାବ୍‌ ଟେଷ୍ଟ ପରେ ସେମାନଙ୍କୁ ବାରାକପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଓ ସୋମବାର ସିଡିଏମଓ, ପ୍ରଶାସନିକ ଅଧିକାରୀ ଓ ବିଶେଷଜ୍ଞ ଟିମ୍ ପ୍ରତିରକ୍ଷା କ୍ୟାମ୍ପସକୁ ଯାଇ ତଦନ୍ତ କରିଛନ୍ତି। ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଡାକ୍ତରଖାନାର ଜଣେ ଷ୍ଟାଫ୍‌ ନର୍ସ ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର