ରାଜ୍ୟରେ ପୁଣି ବଢ଼ିଲାଣି ‌ଦୈନିକ ସଂକ୍ରମଣ; ୨୧୧୦ ପଜିଟିଭ୍, ୬୬ ମୃତ

ଭୁବନେଶ୍ବର : ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଜାରି ରହିଥିଲେ ହେଁ ରାଜ୍ୟରେ ଦୈନିକ ସଂକ୍ରମଣ କମିବା ପରିବର୍ତ୍ତେ ଏବେ ପୁଣି ଉପରମୁହାଁ ହେଲାଣି। ଲଗାତାର ଦ୍ବିତୀୟ ଦିନ ଲାଗି ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ଉପରେ ରହିଛି। ବିଶେଷକରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କରୋନା ବୋଲ ମାନୁ ନାହିଁ। ସଂକ୍ରମଣ ହାର ମଧ୍ୟ ବେଶ୍‌ ଉଚ୍ଚ ରହୁଛି।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, ‘ଆର୍‌’ ଭ୍ୟାଲୁ ଏବେ ପୁଣିଥରେ ବଢ଼ିବାକୁ ଆରମ୍ଭ କଲାଣି। ମେ’ ଶେଷ ଆଡ଼କୁ ଏହା ୦.୭୮କୁ ଖସି ଆସିଥିବା ବେଳେ ଏବେ ତାହା ୦.୯୫ରେ ପହଞ୍ଚି ଗଲାଣି। ତେଣୁ ରାଜ୍ୟରେ ଏବେ ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବ। ଏହାସହ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟିଂ ଢିଲା ହୋଇଯାଇଛି। ଲୋକମାନେ କୋଭିଡ୍‌ ନିମୟକୁ କଡ଼ାକଡ଼ି ଭାବେ ପାଳନ କରୁନାହାନ୍ତି। ଟିକାକରଣ ବି ଧିମେଇ ଯାଇଛି। ଏସବୁ କାରଣ ପାଇଁ ରାଜ୍ୟରେ ସଂକ୍ରମଣ ଖସୁନାହିଁ। ଟିକା ନେଉଥିବା ଲୋକମାନେ ନିଜକୁ ସୁରକ୍ଷିତ ଭାବି ନେଉଛନ୍ତି। ମାତ୍ର ଇସ୍ରାଏଲ ଓ ଅନ୍ୟ ଦେଶରେ ବହୁ ସଂଖ୍ୟାରେ ଲୋକ ଟିକା ନେଇଥିଲେ ‌ହେଁ ସେଠାରେ ପୁଣିଥରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ପ୍ରଥମ ଲହରରେ ଜଣେ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କୁ ଘରେ ରହିବା କିମ୍ବା ସରକାରୀ ବ୍ୟବସ୍ଥାରେ ରହିବା ଲାଗି ବାଧ୍ୟ କରାଯାଉଥିଲା। ମାତ୍ର ଏବେ ପଜିଟିଭ୍ ଥାଇ ମଧ୍ୟ ଜଣେ ବାହାରେ ବୁଲୁଛନ୍ତି। ଏହାସହ ଭୁବନେଶ୍ବର, କଟକକୁ ଅନ୍ୟ ସ୍ଥାନରୁ ବହୁ ସଂଖ୍ୟାରେ ଲୋକ ଚିକିତ୍ସା ଓ ଅନ୍ୟ କାର୍ଯ୍ୟରେ ଆସୁଛନ୍ତି। ଫଳରେ ସଂକ୍ରମଣ ବଢ଼ି ଚାଲିଛି। ଏସବୁ ଘଟଣାକୁ ନଜରକୁ ନେଲେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଆଶାତୀତ ହେଉ ନ ଥିବା ଡା. ମିଶ୍ର କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୨.୯୨ପ୍ରତିଶତ ରହିଛି। ଖୋର୍ଧାରୁ ୪୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ୩୨୩, ବାଲେଶ୍ବର ୧୬୮, କେନ୍ଦ୍ରାପଡ଼ା ୧୩୨, ପୁରୀ ୧୧୩, ମୟୂରଭଞ୍ଜ ୯୯, ଯାଜପୁର ୯୨, ଭଦ୍ରକ ୭୯, ନୟାଗଡ଼ ୭୪, ସୁନ୍ଦରଗଡ଼ ୬୨, କେନ୍ଦୁଝର ୬୬, ଜଗତସିଂହପୁର ୬୭ ଓ ଷ୍ଟେଟ୍‌ ପୁଲରୁ ୮୭ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୪୭ହଜାର ୮୫୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ କ୍ରମାଗତ ଭାବେ ୬୦ ଉପରେ ଦୈନିକ ମୃତ୍ୟୁ ସଂଖ୍ୟା ରହିଛି। ରାଜ୍ୟରେ ଆଉ ୬୬ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଖୋର୍ଧାରେ ୨୧, ବରଗଡ଼, ସୁନ୍ଦରଗଡ଼ ୧୦ ଲେଖାଏଁ, ବାଲେଶ୍ବର ୮, ସମ୍ବଲପୁର ୭, ମୟୂରଭଞ୍ଜ, ଭଦ୍ରକ ୨ ଲେଖାଏଁ, ବଲାଙ୍ଗୀର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁସଂଖ୍ୟା ୪୮୬୧ରେ ପହଞ୍ଚିଛି। ଖୋର୍ଧାରେ ସର୍ବାଧିକ ୮୨୭ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଗୁରୁବାର ୨୫୬୩ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଲକ୍ଷ ୨୩ହଜାର ୨୦୯ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧୯,୭୩୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର