ରାଜ୍ୟରେ ଦିନକରେ କରୋନା ସଂକ୍ରମଣ ୪୬% ବଢ଼ିଲା

କରୋନା ବିପଦ ଟଳିନି: ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ହଠାତ୍ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ସଂକ୍ରମଣ ୪୬ ପ୍ରତିଶତ ବଢ଼ିଛି। କରୋନାର ଚତୁର୍ଥ ଲହରର ଦୈନିକ ସଂକ୍ରମଣରେ ଏହା ହେଉଛି ସବୁଠାରୁ ବଡ଼ ବୃଦ୍ଧି। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ୩ଶହ ଟପିଛି। ଏବେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି, ଆସନ୍ତା କିଛିଦିନ ଭିତରେ ଦୈନିକ ସଂକ୍ରମଣ ହଜାର ଟପି ଯାଇପାରେ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମାସ୍କ ପିନ୍ଧିବା ସହିତ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ କରୋନା ମହାମାରୀ ବିପଦ ଏ ଯାଏ ଟଳିନାହିଁ। ସଂକ୍ରମଣରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଗଷ୍ଟ ଦ୍ବିତୀୟ ସପ୍ତାହରେ କମିବ ସଂକ୍ରମଣ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର। ସେ କହିଛନ୍ତି ଯେ ରଥଯାତ୍ରା ଏବେ ସରିଛି, ତେଣୁ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ରଥଯାତ୍ରା ସରିଥିବାରୁ ଲୋକମାନେ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି। କମ୍ୟୁନିଟିରେ ମଧ୍ୟ ପଜିଟିଭ୍ ମାମଲା ରହିଛି। କରୋନାର ପୂର୍ବ ଲହର ଭଳି ଏଥର ସଂକ୍ରମଣ ସେହିଭଳି ବଢ଼ୁନାହିଁ। ଧୀରେ ଧୀରେ ସଂକ୍ରମଣ ବଢ଼ୁଛି। ରାଜ୍ୟର କରୋନା ଗ୍ରାଫ୍ କିଛିଦିନ ସମାନ୍ତରାଳ ହୋଇ ରହିବା ପରେ ଖସିବ। ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ ବୋଲି ଡା.ମହାପାତ୍ର ସୂଚନା ଦେଇଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ କରୋନା ଚିତ୍ର ସଂପୂର୍ଣ୍ଣ ବଦଳିଛି। ଦିନକରେ ୭୪୩ ଆକ୍ରାନ୍ତ ବାହାରିଛନ୍ତି। ଟିପିଆର ବା ସଂକ୍ରମଣ ହାର ରହିଛି ୪.୦୩ ପ୍ରତିଶତ। ଖୋର୍ଧାରେ ୧୦.୫, ପୁରୀ ୯.୫, କଟକ ୭.୯ ଓ ବୌଦ୍ଧରେ ଏହା ୩୦ ପ୍ରତିଶତ ରହିଛି। ବୌଦ୍ଧରେ ମାତ୍ର ୨୭ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧା ୩୦୩, କଟକ ୧୧୫, ସୁନ୍ଦରଗଡ଼ ୬୫, ପୁରୀ ୩୬, ସମ୍ବଲପୁର ୧୪, ମୟୂରଭଞ୍ଜ ୧୬ ଓ ଷ୍ଟେଟ୍‌ ପୁଲରୁ ୬୦ ଆକ୍ରାନ୍ତ ବାହାରିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫,୩୨୮କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୪୨୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ୩୪୫୮ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ଇତିମଧ୍ୟରେ କେନ୍ଦ୍ର ସରକାର ଚଳିତମାସ ୧୫ତାରିଖରୁ ୧୫-୫୯ବର୍ଗର ଲୋକଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଦେବାକୁ ‌ଆଜି ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି। ୧୫-୫୯ବର୍ଗର ଲୋକମାନେ ପ୍ରିକସନ୍ ଡୋଜ୍ ନେବା ପାଇଁ ମୁଖ୍ୟମନ୍ତ୍ରୀ ଟ୍ବିଟରରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର