ରାଉରକେଲା: ଦୀର୍ଘଦିନ ହେଲା ଯେଉଁ ଡର ଲାଗିରହିଥିଲା, ଆଜି ତାହା ସତ ହୋଇଛି। ସଂକ୍ରମଣ ପ୍ରତିହତ କରିବାରେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ କରୋନା ଦ୍ବିତୀୟ ଲହରି ସଂକ୍ରମଣ ବ୍ୟାପକ ହେବବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ୍ୟତାରେ ପରିଣତ ହୋଇଛି। ଗତକାଲି ସୁଦ୍ଧା ଜିଲ୍ଲାର ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ୮୦/୮୫ ରହୁଥିଲା। ତେବେ ଆଜିର ସଂଖ୍ୟା ଏହାର ଦୁଇ ଗୁଣା ରହିଛି। ଆଜି ଜିଲ୍ଲାରୁ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରାୟ ୬ ମାସ ପୂର୍ବେ, ଅର୍ଥାତ୍‌ ଗତ ନଭେମ୍ବର ମାସରେ ଜିଲ୍ଲାର ଦୈନିକ ଆକ୍ରାନ୍ତ ସଂଖ୍ୟା ଶହେ ଟପିଥିଲା। ଗତ ନଭେମ୍ବର ୧୧ ତାରିଖରେ ଏହି ସଂଖ୍ୟା ୧୧୯ ରହିଥିଲା। ଏହା ପରଠାରୁ ସଂଖ୍ୟା କେବେ ବି ଶହେ ପାର୍‌ ହୋଇନଥିବାବେଳେ ଆଜି ସଂଖ୍ୟା ପାର୍‌ କରିବା, ଜିଲ୍ଲାବାସୀଙ୍କ ମନରେ କୋକୁଆ ଭୟ ଖେଳାଇଦେଇଛି। ପ୍ରକାଶଥାଉକି, ଗତ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଅନ୍ୟ ମାସ ତୁଳନାରେ ସର୍ବାଧିକ ରହିଥିଲା।

Advertisment

ଆଜି ପୁଣି ସହରରୁ ସର୍ବାଧିକ ଚିହ୍ନଟ
ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ରାଉରକେଲା ମହାନଗର ନିଗମ ଅଞ୍ଚଳର ଅଛନ୍ତି। ଏହି ଅଞ୍ଚଳରୁ ୮୨ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଟାଉନ୍‌ ଓ ବ୍ଳକ ଅଞ୍ଚଳରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ହେଉଛନ୍ତି ସିଭିଲ ଟାଉନସିପ୍‌, ବାଗାଡ଼ିଆ ନିବାସ(ବିଶ୍ରା ଡାହାର ରୋଡ୍‌), ଜଗତ୍‌ ଜନନୀ ମାର୍କେଟ୍‌, ଛେଣ୍ଡ୍‌, ଦାୟନନ୍ଦ ନଗର(ବେଦବ୍ୟାସ), ପ୍ଲାଣ୍ଟସାଇଟ୍‌, ଝୀରପାଣି, ସେକ୍ଟର-୧୪, ଜଗଦା, ଓମ୍‌ ସାଇ ‌ମେଡିଟେକ୍‌(ଶକ୍ତିନଗର), ସେକ୍ଟର-୬, ବାସନ୍ତୀ କଲୋନି, ଡେଲି ମାର୍କେଟ୍‌, ପାନପୋଷ ବସ୍ତି, ସେକ୍ଟର-୯, ସେକ୍ଟର-୮, ସେକ୍ଟର-୨, ଭିଏସ୍‌ଏସ୍‌ପଲ୍ଲୀ(ସେକ୍ଟର-୭), ଷ୍ଟେସନ ରୋଡ୍‌, ରାଧାକ୍ରିଷ୍ଣ ରେସିଡେନ୍ସି(ବେଦବ୍ୟାସ), ଉଦିତନଗର, ବନ୍ଧମୁଣ୍ଡା ସେକ୍ଟର-ଇ’, ତରକେରା, ‌ଗୋପବନ୍ଧୁପଲ୍ଲୀ, ସେକ୍ଟର-୫, ଜନତା ନିବାସ ଗଳି, ବାଲିଯୋଡ଼ି, ହମୀରପୁର, ମେନ ରୋଡ୍‌, ପିଏଚ୍‌ ରୋଡ୍‌, ବିଶ୍ରା ରୋଡ୍‌, ସେକ୍ଟର-୬, ହୋଟେଲ ଡିଲକ୍ସ ଗଳି, ରେଲୱେ କଲୋନି, ବିର୍ସା ଛକ, ବିଶ୍ରା ଡାହାର, ଇସ୍ପାତ ଜେନେରାଲ ହସପିଟାଲ, ରାମପୁର(ବାଲିଶଙ୍କରା), ଘୋଘର, ଭଣ୍ଡାରୀ ଶଙ୍କରା, ହରିଶ୍ଚନ୍ଦ୍ରପୁର, ଏନ୍‌ଟିପିସି ଟାଉନସିପ୍‌, ବଚାହଣ୍ଡା(ଜଡ଼ାକୁଦର), ଲାଠିକଟା, ରାଜଗାଙ୍ଗପୁର, ବିଶ୍ରା, ଟାଙ୍ଗରଗାଁ, ଲେମଲେମା, ବନଡେଗା, ଏନ୍‌ଟିପିସି, ସବଡେଗା, କେନ୍ଦୁପଡ଼ା, ଢ଼ିଙ୍କିବାହାଲ, କନ୍ଦା ବାହାଲ, ବେହେରାମାଲ, କୁଲୁଢ଼ିପା, ବାଲିଶଙ୍କରା, ମସନୀକାନୀ, ପଦ୍ମପୁର(ବଡ଼ଗାଁ), ଯାଇସର, କରମାବାହାଲ(ବିଶ୍ରା), ଲୁଲକିଡିହି, କାଂଶବାହାଲ, କୁଲାବିରା, ସିମଡେଗା, ଝାରସୁଗୁଡ଼ା ଆଦି ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି।

publive-image

ରାସ୍ତାକୁ ଓହ୍ଲାଇଲା ପ୍ରଶାସନ
କୋଭିହ୍‌ ସଚେତନତା ଓ ମାର୍ଗଦର୍ଶିକାର କଡ଼ା ପାଳନ ପାଇଁ ରାସ୍ତାକୁ ଓହ୍ଲାଇଛି ରାଉରକେଲା ପ୍ରଶାସନ। ରାଉରକେଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତଭାବେ ଆଜି ସହରର ବିଭିନ୍ନ ଅଞ୍ଚଳରେ କଡ଼ା ଯାଞ୍ଚ କରାଯାଇଛି। ଏହି ଯୁଗ୍ମ ଯାଞ୍ଚ ପ୍ରକ୍ରିୟାରେ ଆଇଜି କବିତା ଜଲାନ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ଏସ୍‌. ନରୱଣେ, ଏସ୍‌ପି ମୁକେଶ ଭାମୁ, ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କମିସନର ଦିବ୍ୟଜ୍ୟୋତି ପରିଡ଼ା, ଡେପୁଟି କମିସନର ସୁଧାଂଶୁ ଭୋଇ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୁଖ ସାମିଲ ଥିଲେ। ଆମ୍ବାଗାନ ଫୁଡ୍‌କୋର୍ଟ, ମୁଣ୍ଡା ମାର୍କେଟ୍‌, କୋଏଲନଗର, ଛେଣ୍ଡ୍‌ ମାଛ ବଜାର, ପରିବା ବଜାର ଆଦି ଅଞ୍ଚଳ ବୁଲିଥିଲେ। ମାସ୍କ ପରିଧାନ ମାଧ୍ୟତାମୂଳକ ଓ ସାମାଜିକ ଦୂରତା ବଜାୟ ରଖିବାକୁ ବ୍ୟବସାୟୀ, ଗ୍ରାହକ, ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବିଶେଷକରି ହୋଟେଲ, ଫୁଡ୍‌ କୋର୍ଟରେ ଅଯଥା ଭିଡ଼ ନ କରିବା ଓ ପ୍ୟାକେଜିଂ କରି ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାସ୍କ ବ୍ୟବହାର କରିନଥିବା ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି ନ କରିବାକୁ ଚେତାଇଥିଲେ।

ମାସ୍କ ନ ପିନ୍ଧିଲେ ୫ଶହ ଜରିମାନା
ବିଳମ୍ବ ହେଉ ପଛେ, କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପଦକ୍ଷେପ ଆରମ୍ଭ କରିଛି। ବିଶେଷକରି ମାସ୍କ ପରିଧାନ କରୁନଥିବା ଓ ସାମାଜିକ ଦୂରତା ବଜାୟ ରଖୁନଥିବା ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ମାସ୍କ ବ୍ୟବହାର କରିନଥିବା ଲୋକଙ୍କୁଠାରୁ ୫ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ଆଜି ରାଉରକେଲା ତହସିଲ କର୍ତୃପକ୍ଷ ୧୬ ଜଣ ଉଲ୍ଲଂଘନକାରୀଙ୍କଠାରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଆଜି ପୂର୍ବାହ୍ନରେ ତହସିଲ କର୍ତୃପକ୍ଷ ଛେଣ୍ଡ୍‌ ମାଛ ବଜାର, ଛେଣ୍ଡ୍‌ ପରିବା ବଜାର, କୋଏଲନଗର, ଉଦିତନଗର ସ୍ଥିତ ସିଟି ସେଣ୍ଟର୍‌, ବିଶାଳ ମେଗା ମାର୍ଟ୍‌ରେ ଯାଞ୍ଚ କରିଥିଲେ। ଏସବୁ ଅଞ୍ଚଳରେ ୧୬ ଜଣ ବ୍ୟକ୍ତି ମାସ୍କ ପିନ୍ଧିନଥିଲେ। ଏଣୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ସେହିଭଳି ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଛକରେ ଯାଞ୍ଚ କରି ମାସ୍କ ବ୍ୟବହାର କରିନଥିବା ବହୁସଂଖ୍ୟକ ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।

publive-image

ରାତ୍ରୀକାଳୀନ କର୍ଫ୍ୟୁ କଡ଼ାକଡ଼ି
ଗତ ୫ ତାରିଖରୁ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି। ଇସ୍ପାତ ସହରର ରିଂ ରୋଡ୍‌ ସ୍ଥିତ ବିଭିନ୍ନ ଛକ, ଯଥା- ଛେଣ୍ଡ୍‌ ଛକ, ସ୍ପେସ୍‌ ଛକ, ୭/୧୭ ଛକ, ଆମ୍ବାଗାନ ଛକ, ସେକ୍ଟର-୨ ଛକ, ଟ୍ରାଫିକ୍‌ ଗେଟ୍‌, ବୀର୍ସା ଛକ, ହନୁମାନ ବାଟିକା ଛକ ଆଦି ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ରାତି ୧୦ଟା ପରେ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଅଟକାଇ ପଚରାଉଚରା କରାଯାଉଛି। ରାତ୍ରୀକାଳୀନ କର୍ଫ୍ୟୁପରେ ରାତିରେ ଗମନାଗମନ ବହୁମାତ୍ରାରେ ହ୍ରାସ ପାଇଛି। ତେବେ ସଂଧ୍ୟାରେ ସହରର ବିଭିନ୍ନ ଫୁଡ୍‌ କୋର୍ଟ, ମାର୍କେଟ କଂପ୍ଲେକ୍ସରେ ଦେଖାବାକୁ ମିଳୁଥିବା ଅଯଥା ଭିଡ଼ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହୋଇଛି।