ହସ୍ପିଟାଲରେ ମାଡ଼ୁଛି କରୋନା; ଆକ୍ରାନ୍ତ ହେଲେଣି ଡାକ୍ତର, ନର୍ସ, କର୍ମଚାରୀ

ଏବେ ଟେଲି ମେଡିସିନ ସେବା ଭରସା, ହସ୍ପିଟାଲରେ ଜରୁରୀକାଳୀନ ସର୍ଜରିକୁ ପ୍ରାଥମିକତା

ଭୁବନେଶ୍ବର : ହସ୍ପିଟାଲରେ ମାଡ଼ୁଛି କରୋନା। ଡାକ୍ତର, ନର୍ସ, କର୍ମଚାରୀ ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ବର, କଟକ ସମେତ ରାଜ୍ୟର ସବୁ ଜିଲ୍ଲା ଚିକିତ୍ସାଳୟରେ ଏଭଳି ସ୍ଥିତି ଉପୁଜିଛି। ଏମ୍‌ସ ଭୁବନେଶ୍ବରରେ ବି ଶତାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏସ୍‌ସିବି ମେଡିକାଲକୁ ପଶିଛି କରୋନା। କିଛି ନର୍ସିଂ ଛାତ୍ରୀଙ୍କ ସମେତ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ବରରେ ଥିବା କେତେକ ନାମକରା ଘରୋଇ ଚିକିତ୍ସାଳୟରେ ୩୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ପ୍ରଭାବ ପକାଇଥିବାରୁ ଏବେ ସବୁଠି କର୍ମଚାରୀ ଅଭାବ। କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ସେବା ଯୋଗାଇବାକୁ ନର୍ସଙ୍କ ଅଭାବ ପରିଲକ୍ଷିତ ହେଉଛି। ଆଗାମୀ ଦିନରେ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟର ପ୍ରମୁଖ ଚିକିତ୍ସାଳୟ କଟକ ଏସ୍‌ସିବି ମେଡିକାଲକୁ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାରହଜାର ରୋଗୀ ଚିକିତ୍ସା ପାଇଁ ଆସିଥା’ନ୍ତି। କାହାର ଜଟିଳ ରୋଗ ରହିଥାଏ ତ ଆଉ କାହାର ଓପିଡି ଚିକିତ୍ସାର ଆବଶ୍ୟକତା ପଡ଼େ। ମାତ୍ର ଏବେ ସେମାନଙ୍କୁ ସେବା ଯୋଗାଇଦେବା କଷ୍ଟକର ହୋଇପଡ଼ିଛି। କିଛି ଦିନ ତଳେ ୨୮ ଜଣ ନର୍ସିଂ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଅନେକ କର୍ମଚାରୀ ଏବେ ସଙ୍ଗରୋଧକୁ ଚାଲି ଯାଇଛନ୍ତି। ସମ୍ବଲପୁର ବୁର୍ଲାସ୍ଥିତ ଭିମସାରରେ ମଧ୍ୟ କିଛି ଦିନ ତଳେ ୨୦ ଡାକ୍ତର କରୋନା ପଜିଟିଭ ହୋଇଥିଲେ। ଏବେ ଅନେକ ପାରାମେଡିକାଲ ଷ୍ଟାଫ୍‌ ବି ସଂକ୍ରମିତ ହୋଇଛନ୍ତି। ଯେଉଁଥିପାଇଁ ଏମ୍‌ବିବିଏସ୍‌ ପରୀକ୍ଷାକୁ ବି ଆଜି ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଅଧିକାଂଶ ହସ୍ପିଟାଲରେ ଏବେ ଅସ୍ତ୍ରୋପଚାରକୁ ବନ୍ଦ କରାଯାଇଛି। ଓପିଡି ପଞ୍ଜୀକରଣ ବି କାଣ୍ଟଛାଣ୍ଟ ହୋଇଛି। କେତେକ ଘରୋଇ ହସ୍ପିଟାଲ ଏବେ କଟକଣା ଭିତରେ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ନଜରକୁ ଆସିଛି।

ହସ୍ପିଟାଲରେ କଟକଣା ସମ୍ପର୍କରେ ପ୍ରତିକ୍ରିୟା ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ। ଏଠାରୁ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ। ଯେଉଁମାନଙ୍କର ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲି ମେଡିସିନ୍‌ ସେବା ଆରମ୍ଭ ହୋଇଛି। ସେଠାରେ ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ। ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି। ହସ୍ପିଟାଲରେ ମାଇନର ସର୍ଜରି ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରିକୁ ପ୍ରାଥମିକତା ଦିଆଯିବ। ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି। ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି।

ସଂକ୍ରମଣ ରୋକିବା ପାଇଁ ସଟଡାଉନ୍‌ ଓ ଲକଡାଉନ୍‌ ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି ଯେ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ୧୦ ହଜାର, ୧୨ ହଜାର ରହିଥିଲା। ସେତେବେଳେର ପ୍ରଭାବ ଦେଖନ୍ତୁ, ଆଉ ଏଥରର ପ୍ରଭାବ ଉପରେ ନଜର ପକାନ୍ତୁ। ସବୁ ଦିଗକୁ ଧ୍ୟାନରେ ରଖି ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଛନ୍ତି। ସରକାର କ’ଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା। ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି। ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ। ସର୍ଭେଲାନ୍ସ ମଧ୍ୟ ଚାଲିଛି। ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଗତବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ୍‌ ଆବଶ୍ୟକ ହେଉଛି। ହସ୍ପିଟାଲ କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ସରକାର ଉଚିତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ।

ସମ୍ବନ୍ଧିତ ଖବର