ଭୁବନେଶ୍ବର: ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ କୌଣସି ନୂଆ ଗାଡ଼ି କିଣାଯାଇ ପାରିବ ନାହିଁ। ମେଡିକାଲ ସାମଗ୍ରୀ, ସଭା ସମିତି ପାଇଁ ଆବଶ୍ୟକ ଡିଜିଟାଲ ଯନ୍ତ୍ରାଂଶ ଛଡ଼ା ଆଉ କିଛି କିଣାଯାଇ ପାରିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ। ସେହିଭଳି କୌଣସି ନୂତନ ଯୋଜନା ପ୍ରଣୟନ କରାଯିବ ନାହିଁ। ଅତ୍ୟାବଶ୍ୟକସ୍ଥଳେ ଅର୍ଥ ବିଭାଗର ଅନୁମତି ପରେ ଜନକଲ୍ୟାଣ ପାଇଁ ସରକାର କୌଣସି ଯୋଜନା ସଂପର୍କରେ େଘାଷଣା କରିପାରିବେ।କୋଭି଼ଡ଼୍-୧୯ କାରଣରୁ ଓଡ଼ିଶାର ଅର୍ଥନୀତିକୁ ଦୋହଲି ଯାଇଥିବା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ବଡ଼ ଧରଣର କଟକଣା ଜାରି କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ସଂକ୍ରାନ୍ତରେ ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇ ଦେଇଛନ୍ତି। ସରକାରଙ୍କ ଏଭଳି ନିର୍ଦେଶ ପରେ ପ୍ରଶାସନିକ କରିଡର୍‌ଠାରୁ ଆରମ୍ଭକରି ରାଜନୈତିକ ମହଲ ସବୁଠାରେ କମ୍ପନ ସୃଷ୍ଟି ହେଲାଣି। ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଯେ ଆଦୌ ଭଲ ନାହିଁ କିମ୍ବା ଅର୍ଥନୀତି ଖୁବ୍‌ଶୀଘ୍ର ସଜାଡ଼ିହେବ ନାହିଁ, ଏକଥା ଏହି ନିର୍ଦେଶନାମା ପରୋକ୍ଷରେ ସୂଚାଇ ଦେଇଛି।

Advertisment

ଗାଡ଼ି କିଣି ପାରିବେନି କି ହୋଟେଲରେ ରହି ପାରିବେନି ବାବୁ
ନୂଆ ଯୋଜନା ହୋଇପାରିବନି, ଟେଣ୍ଡର ଉପରେ ରୋକ୍

ଗତ କିଛି ଦିନ ରାଜ୍ୟ ଆର୍ଥିକ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଏପ୍ରିଲ ପହିଲାରେ ‘ସମ୍ବାଦ’ ପୂର୍ବାନୁମାନ କରିଥିଲା ଯେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଯେଉଁ ବଜେଟ୍ ପ୍ରସ୍ତୁତ କରିଛନ୍ତି, ତାହା ଦିଗହରା ହୋଇଯିବ। କରୋନା ପରିପ୍ରେକ୍ଷୀରେ ରାଜସ୍ବ ଆୟର ଧାରା ଶୁଖିବା ଆରମ୍ଭ କରିଥିବା କାରଣରୁ ଏଭଳି ଦର୍ଶାଯାଇଥିଲା। ଠିକ୍ ତିନିମାସ ପରେ ରାଜ୍ୟ ସରକାର ରାଜ୍ୟ ଅର୍ଥନୀତି ସଂପର୍କରେ ସବୁଠାରୁ କଠୋର ପଦକ୍ଷେପ ନେବା ସହିତ ଆର୍ଥିକ ଅବସ୍ଥାକୁ ସମ୍ଭାଳିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ୧୯୯୯ ମସିହା ପରେ ଅର୍ଥାତ୍ ପାଖାପାଖି ୨୧ ବର୍ଷ ପରେ ରାଜ୍ୟ ସରକାର ପୁଣି ଥରେ ଏଭଳି କଟକଣାମୂଳକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଅର୍ଥ ସଚିବ ମାନିଛନ୍ତି, ବିଶ୍ବରେ ଦେଖାଦେଇଥିବା କରୋନା ମହାମାରୀ ରାଜ୍ୟର ଆର୍ଥିକ ସ୍ଥିତିକୁ ମୋଡ଼ି ଦେଇଛି। ଯଦିଓ ରାଜ୍ୟ ସରକାର କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି, ଦେଶର ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁହାର କମ୍‌ ରହିଛି, ତଥାପି ସମ୍ବଳର ଅଭାବ ଏବଂ ଆୟ ସଙ୍କୁଚିତ ହେଉଥିବା କାରଣରୁ ସରକାରଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରଶାସନିକ ବ୍ୟୟ ବହନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି।

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, କୌଣସି ଅଧିକାରୀ ସରକାରୀ ଖର୍ଚ୍ଚରେ ଗସ୍ତ କରିପାରିବେ ନାହିଁ। ବୈଠକ, ସମୀକ୍ଷା ଆଦି ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ। ରାଜ୍ୟ ବାହାର ତଥା ବିଦେଶ ଗସ୍ତ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ରେଳରେ ମଧ୍ୟ ପ୍ରଥମ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବଗିରେ କୌଣସି ସରକାରୀ କର୍ମଚାରୀ ବା ଅଧିକାରୀ ଯାଇପାରିବେ ନାହିଁ। ସେହିଭଳି କୌଣସି ନୂଆ ଗାଡ଼ି ଅର୍ଥ ବିଭାଗ ବିନା ଅନୁମୋଦନରେ ଭଡ଼ାରେ ନେଇପାରିବେ ନାହିଁ। ସରକାରୀ ବଙ୍ଗଳା ସୁବିଧା ଥାଇ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇରେ ଅଧିକାରୀମାନେ ଘରୋଇ ହୋଟେଲ ଆଦିରେ ରହିଲେ, ସେ ବାବଦ ଅର୍ଥ ଭରଣା କରାଯିବ ନାହିଁ। କୌଣସି ବି ପରିସ୍ଥିତିରେ ଅଫିସର ନବୀକରଣ, ଆସବାବପତ୍ର କିଣାଯାଇପାରିବ ନାହିଁ। ସରକାରୀ ଅର୍ଥରେ ସେମିନାର, କର୍ମଶାଳା ହେବ ନାହିଁ କିମ୍ବା ସେଠାରେ ମଧ୍ୟାହ୍ନଭୋଜନ ଅଥବା ରାତ୍ରିଭୋଜନକୁ ଅନୁମତି ଦିଆଯିବ ନାହିଁ। କାର, କମ୍ପ୍ୟୁଟରଠାରୁ ଆରମ୍ଭ କରି ଗୃହ ନିର୍ମାଣ ପର୍ଯ୍ୟନ୍ତ କୌଣସି ଆଳରେ ଅଗ୍ରୀମ ଅର୍ଥ କର୍ମଚାରୀମାନେ ନେଇପାରିବେ ନାହିଁ। ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସରକାର ଏଲଟିସି ଉପରେ ନିଷେଧାଦେଶ ଜାରି କରିଛନ୍ତି।

ଆହୁରି ମଧ୍ୟ ଅଫିସ ପାଇଁ କାଗଜପତ୍ର, କଲମ କିଣାଯାଇପାରିବ ନାହିଁ। ଅଧିକାରୀମାନେ ଓସଵାସ, ଅନଲାଇନ, ଇମେଲ୍ ଆଦିରେ ଚିଠି ଦିଆନିଆ କରିବେ। କୋଭିଡ଼୍ ପରିଚାଳନା ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ବି ବିଭାଗୀୟ ଅଧିକାରୀମାନେ ହାତପାଣ୍ଠି ଖର୍ଚ୍ଚ କରିପାରିବେ ନାହିଁ। ଟେଲିଫୋନ୍ ବିଲ୍ ବି ଏହି କଟକଣାରୁ ମୁକ୍ତ ନୁହେଁ। ଯେଉଁ ସବୁ ପଦବି ୫ବର୍ଷରୁ ଅଧିକ ସମୟ ଧରି ଖାଲି ପଡ଼ିଛି ଅଥବା ପୂରଣ ହୋଇନାହିଁ, ସେସବୁ ପଦବିଗୁଡ଼ିକ ଚଳିତମାସ ୩୧ ତାରିଖ ସୁଦ୍ଧା ଉଚ୍ଛେଦ କରି ଅର୍ଥ ବିଭାଗରୁ ବିଭାଗମାନଙ୍କୁ ଜଣାଇବାକୁ କୁହାଯାଇଛି। ସେହିଭଳି ଅବସରପ୍ରାପ୍ତ କର୍ମଚାରୀ, ଆଉଟସୋର୍ସିଂ, ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବ ନାହିଁ। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ତଥା ଜୀବନଜୀବିକା ଏବଂ କୋଭିଡ୍-୧୯ ସଂକ୍ରାନ୍ତ ଯୋଜନାକୁ ବାଦ ଦେଇ ରାଜ୍ୟରେ ଜାରି ରହିଥିବା ଅନ୍ୟ ଯୋଜନା ଉପରେ ଚଳିତବର୍ଷଠାରୁ କଟକଣା ଲାଗୁ ହେବ। ଏ ସଂକ୍ରାନ୍ତରେ ବିଭାଗମାନଙ୍କୁ ଖୁବ୍ ଶୀଘ୍ର ବିଶଦ ତଥ୍ୟ ଅର୍ଥ ବିଭାଗ ପ୍ରଦାନ କରିବେ। ରକ୍ଷଣାବେକ୍ଷଣ ଓ ପରିଚାଳନା ବାବଦରେ ବାର୍ଷିକ ଖର୍ଚ୍ଚ ଉପରେ ବି ଅର୍ଥ ବିଭାଗ ଚୋଟ ମାରିଛି। ଏ କ୍ଷେତ୍ରରେ ବଜେଟ୍ ଅନୁମୋଦିତ ଅର୍ଥର ମାତ୍ର ୬୦% ଖର୍ଚ୍ଚ କରାଯାଇପାରିବ। କୌଣସି ରାଜ୍ୟ ଯୋଜନାରେ ପ୍ରଶାସନିକ ଖର୍ଚ୍ଚ ୧ ପ୍ରତିଶତ ମଧ୍ୟରେ ସୀମିତ ରହିବ। ରାଜ୍ୟ ଯୋଜନା ତଦାରଖ ପାଇଁ ଯଦି ଅଧିକ କର୍ମଚାରୀଙ୍କର ଦରମା ବାବଦରେ ଅଧିକ ଅର୍ଥର ଆବଶ୍ୟକ ପଡ଼େ, ତେବେ ଅର୍ଥ ବିଭାଗର ଅନୁମତି ନେବାକୁ ହେବ। କୌଣସି ସରକାରୀ କାର୍ଯ୍ୟାଳୟ, ଅତିଥି ଭବନର ନବୀକରଣ ବା ପୁନରୁଦ୍ଧାର ହୋଇପାରିବ ନାହିଁ। ସରକାରୀ କ୍ବାର୍ଟର୍ସର ମରାମତି ଓ ନବୀକରଣ କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି।

ରାଜ୍ୟରେ କୌଣସି ନୂଆ ପ୍ରତିମୂର୍ତି ସ୍ଥାପନ, ପାର୍କ ଓ ସର୍ବସାଧାରଣ ସ୍ଥାନଗୁଡିକର ର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଏହି ଦୁଇ ବର୍ଷ ଭିତରେ କରାଯିବ ନାହିଁ। ୫କୋଟିରୁ ଅଧିକ ଟଙ୍କାର ନୂଆ ଟେଣ୍ଡର ଓ ସେବା କାର୍ଯ୍ୟରେ ୨୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚର ଆବଶ୍ୟକ ପଡ଼ିଲେ ଅର୍ଥ ବିଭାଗର ଅନୁମତି ନେବାକୁ େହବ। କିନ୍ତୁ ଏହି ପରିମାଣରୁ କମ୍ ଅର୍ଥ ଟେଣ୍ଡର ଓ ବିନିଯୋଗ କ୍ଷେତ୍ରରେ ମଧ୍ୟ ସଂପୃକ୍ତ ବିଭାଗ ସରକାରଙ୍କଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଟେଣ୍ଡର ଜରୁରୀ ନାହିଁ, ତେବେ ଏହାକୁ ବାତିଲ୍ କରାଯାଇପାରିବ େବାଲି ମଧ୍ୟ ଅର୍ଥ ବିଭାଗ ଜଣାଇ ଦେଇଛି। ଅନ୍ୟପକ୍ଷରେ କେନ୍ଦ୍ର ପ୍ରବର୍ତିତ ଯୋଜନା ବାବଦରେ କେନ୍ଦ୍ର ସରକାର ଦେଲା ପରେ ହିଁ ରାଜ୍ୟ ସରକାର ତାଙ୍କ ଅଂଶ ଖର୍ଚ୍ଚ କରିବେ। ଅନ୍ୟଥା ଏହି ଯୋଜନାରେ ଟଙ୍କାଟିଏ ବି ଖର୍ଚ୍ଚ ନ କରିବା ପାଇଁ କଟକଣା କରାଯାଇଛି। ଗ୍ରାମୀଣ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ଆରଆଇଡିଏଫ୍ ଓ ଇଏପି ପାଣ୍ଠି ସଂପୃକ୍ତ ପ୍ରକଳ୍ପ ବାବଦରେ ସମୟଭିତ୍ତିକ ଖର୍ଚ୍ଚ କରାଯାଇପାରିବ। ଜନସ୍ବାର୍ଥ ଦୃଷ୍ଟିରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇପାରିବ। ଏହିସବୁ କଟକଣା ରାଜ୍ୟ ସରକାରଙ୍କ ସମସ୍ତ ଅନୁଦାନପ୍ରାପ୍ତ ପ୍ରତିଷ୍ଠାନ, ସମବାୟ ସଂସ୍ଥା, ସ୍ବୟଂଚାଳିତ ସଂସ୍ଥାମାନଙ୍କ ପାଇଁ ଲାଗୁ ହେବ େବାଲି ଅର୍ଥ ବିଭାଗ ସ୍ପଷ୍ଟ କରିଦେଇଛି।