ପୁରୀ : ଦର୍ଶକଙ୍କ ମନୋରଂଜନ ପାଇଁ ସେ ମୁହଁରେ ରଙ୍ଗ ମାଖୁଥିଲେ। ଦାସକାଠିଆର ତାଳେତାଳେ ଗୀତ ଗାଇ, କୌତୁକିଆ ଅଭିନୟ କରି ବିଭୋର କରୁଥିଲେ। ସେ ମୁହଁ କିନ୍ତୁ ମଳିନ ପଡ଼ିଯାଇଛି। ମୁହଁ ବଦଳରେ ଏବେ ତାଙ୍କ କାନ୍ଧ ବୋହୁଛି ରଙ୍ଗ ଡବା। କରୋନା ବଦଳାଇ ଦେଇଛି ବେଉସା, ଠିକଣା। ମଞ୍ଚରେ ଗୀତ ଗାଉଥିବା କଣ୍ଠରୁ ଭୋକ ବିକଳରେ ଏବେ ଉତୁରି ଆସୁଛି, ମା ସିନ୍ଦୂର ନିଅ…, ଜଗା ସିନ୍ଦୂର…, ବଡ଼ଦାଣ୍ଡ ସିନ୍ଦୂର..। ଫରକ ଏତିକି, ସେଠି ମଞ୍ଚରେ ପେଟପାଟଣା ପାଇଁ ମିଛିମିଛିକା ଅଭିନୟ କରୁଥିଲେ, ଆଉ ଏଠି ସତସତିକା ଅଭିନୟ କରୁଛନ୍ତି। ନାଁ ତାଙ୍କର ସୁନନ୍ଦ ତରାଇ। ଘର ଯାଜପୁର ଜିଲ୍ଲାର ମର୍ଯ୍ୟାଦାପୁର ଗ୍ରାମ। ସୁନନ୍ଦ ଜାତିରେ କୈବର୍ତ୍ତ ହେଲେ ହେଁ କଳା ପ୍ରତି ପିଲାବେଳୁ ଥିଲା ଅଦ୍ଭୁତ ଆକର୍ଷଣ। ଏହି ଅନୁରାଗ ହିଁ ତାଙ୍କୁ ଦେଇଥିଲା କଳାକାରର ପ୍ରସିଦ୍ଧି। ମଞ୍ଚଠୁ ନେଇ ଆକାଶବାଣୀ ଓ ଦୂରଦର୍ଶନରେ ତାଙ୍କ ଦାସକାଠିଆ ଅଭିନୟ ବେଶ୍ ପ୍ରଶଂସା ପାଇଛି। ମାତ୍ର କରୋନାର ବିଭୀଷିକା ଯୋଗୁ ରଙ୍ଗିନ ଦୁନିଆରୁ ଆସି ସେ ବଡ଼ଦାଣ୍ଡକୁ ଆଶ୍ରା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ୧୨ ବର୍ଷ ବୟସରୁ ସୁନନ୍ଦ ଦାସକାଠିଆ ମୋହରେ ପଡ଼ିଥିଲେ। କାଳକ୍ରମେ ସମ୍ବଲପୁରୀ ନୃତ୍ୟ ଓ ଧୁଡ଼ୁକି ମଧ୍ୟ ଶିଖିଲେ। କଳା ପ୍ରତି ଝୁଙ୍କ୍ ଯୋଗୁ ଏହା ତାଙ୍କ ବେଉସାରେ ପରିଣତ ହେଲା। ମାତ୍ର ପାରମ୍ପରିକ କଳା ପ୍ରତି ଲୋକଙ୍କ ଆଦର କମିଯିବା ପରେ ଧୀରେଧୀରେ ସେ କୁଳ ବେଉସା ମାଛ ଧରାକୁ ଫେରିଥିଲେ। ତେବେ ସରକାରୀ ସ୍ତରରେ ବିଭିନ୍ନ ଯୋଜନାକୁ ପାରମ୍ପରିକ କଳା ମାଧ୍ୟମରେ ଗାଁ’ଗାଁ’ରେ ପହଞ୍ଚାଇବା ଯୋଜନା ଆରମ୍ଭ ହେବା ପରେ ପୁଣି ତାଙ୍କର ଆଶା ଜାଗିଥିଲା। ଏହା ବ୍ୟତୀତ ଦାସକାଠିଆରେ କିଛି ଆଧ୍ୟାତ୍ମିକ କାହାଣୀ ଆକାଶବାଣୀରେ ପରିବେଷଣ କରି ସେ ସମ୍ମାନିତ ହେଲେ। ସାବିତ୍ରୀ ସତ୍ୟବାନ, ତ୍ରିପୁର ମୋହିନୀ, ସ୍ବୟମ୍ବର, ଗୋସିଂହ ବଧ ଭଳି କଥାବସ୍ତୁ ଆକାଶବାଣୀ ମାଧ୍ୟମରେ ପରିବେଷଣ କରିଥିଲେ। ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍ ଓ ଦୂରଦର୍ଶନରେ ମଧ୍ୟ ତାଙ୍କର ପାରମ୍ପରିକ ଦାସକାଠିଆ ପରିବେଷଣ ହୋଇ ପ୍ରଶଂସିତ ହେଲା। ବହୁ ଭଜନ, ପହଳ, ଢଗ ଢମାଳିକୁ ସେ ଦୀର୍ଘ ସମୟ ଧରି ଅନର୍ଗଳ କହିବାର କ୍ଷମତା ରଖୁଥିବାରୁ ଗାୟକଙ୍କ ସାଙ୍ଗେ ସେ ଥିଲେ ମୁଖ୍ୟ ପାଳିଆ। ଏମିତି ବି ସମୟ ଆସିଛି, ଯେତେବେଳେ ଗାୟକଙ୍କ ଅନୁପସ୍ଥିତିରେ ସେ ଗାୟକର ଭୂମିକା ତୁଲାଇଛନ୍ତି।
ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପଠାରୁ ନେଇ, ଯାଜପୁର, ଢେଙ୍କାନାଳ ଓ ବିଭିନ୍ନ ଜିଲ୍ଲାରେ ସେ ଦାସକାଠିଆ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ବେଶି ପାଠ ପଢ଼ିନଥିଲେ ବି ପୁରାଣ ଶାସ୍ତ୍ର କଥାକୁ ନିଜ ଜିଭ ଅଗରେ ଆୟତ୍ତ କରି ରଖିଥିବା ସୁନନ୍ଦ ଏବେ କିନ୍ତୁ ବଡ଼ଦାଣ୍ଡରେ ବୁଲାବିକାଳି ସାଜିଛନ୍ତି। କୋଲକାତାରୁ ସିନ୍ଦୂର ମଗାଇ ବଡ଼ଦାଣ୍ଡରେ ବିକ୍ରି କରୁଛନ୍ତି। ସୁନନ୍ଦଙ୍କ କହିବା ମୁତାବକ, ତାଙ୍କର ୩ ଝିଅ ଓ ଦୁଇ ପୁଅ। ତେଣୁ ବାପା ହିସାବରେ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି। କରୋନା ତାଙ୍କ ଭିତରର କଳାକାରକୁ ଛଟପଟ କରୁଥିଲେ ବି ଏଣେ ପେଟ ପୋଡ଼ିଯାଉଛି। ତେଣୁ ଲାଜ ନୁହେଁ, ବରଂ ବଡ଼ଦାଣ୍ଡରେ ମା’ମାନଙ୍କ ପାଇଁ ସିନ୍ଦୂର ବିକି ସେ ଧର୍ମ କରୁଛନ୍ତି ବୋଲି କହିଛନ୍ତି। ଏକଥା କହିବା ବେଳେ କିନ୍ତୁ ତାଙ୍କ ସ୍ବର ଥମି ଯାଉଥିଲା। ଶେଷରେ କହୁଥିଲେ ସରକାର ଯଦି କରୋନା ସଚେତନତା ପାଇଁ ଆମକୁ କାମ ଦିଅନ୍ତେ, ଏଇ ଦାସକାଠିଆରେ ସଚେତନ କରାନ୍ତୁ। କଳା ବଞ୍ଚନ୍ତା, କଳାକାର ବି। ତେବେ ସୁନନ୍ଦ ଏକମାତ୍ର କଳାକର ନୁହଁନ୍ତି, ବରଂ ଏମିତି ଅନେକ କଳାକାର ଏବେ ଦିଗହରା ହୋଇ ଦୁର୍ଦ୍ଦିନରେ ଜୀବନ ଜିଉଁଛନ୍ତି।