କରୋନା ମୁକାବିଲା: ଚିନ୍ତା ବଢ଼ାଇଲାଣି ଗ୍ରାମାଞ୍ଚଳ

ଦୁର୍ବଳ ଭିତ୍ତିଭୂମି, ବିଶେଷଜ୍ଞ ଡାକ୍ତରଙ୍କ ଅଭାବ

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ
ଆଉ ୧୧,୦୯୯ ପଜିଟିଭ୍, ୨୧ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସମ୍ବେଦନଶୀଳ ଥିବା ବେଳେ ଗ୍ରାମାଞ୍ଚଳ ଦିଗରୁ ଏକ ପ୍ରମୁଖ ଆହ୍ବାନ ସୃଷ୍ଟି ହେଲାଣି। ଏବେ ସହରାଞ୍ଚଳ ତୁଳନାରେ ‌‌ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିବା ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ। ଦ୍ବିତୀୟ ଲହରରେ ୫୬ ପ୍ରତିଶତ ସଂକ୍ରମଣ ଗ୍ରାମାଞ୍ଚଳରୁ ଆସିଥିବା ସରକାରୀ ରେକର୍ଡ କହୁଛି। ଯଦିଓ ରାଜ୍ୟ ସରକାର ଆସନ୍ତା ୩ମାସ ପାଇଁ ଘରକୁ ଘର ବୁଲି ସର୍ଭେ କରିବା ଲାଗି ଘୋଷଣା କରିଛନ୍ତି। ହେଲେ ଗ୍ରାମାଞ୍ଚଳରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ କୋଭିଡ ଟେଷ୍ଟିଂ ଓ ଗୃହ ପୃଥକବାସ ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିପାରେ।

ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବା ୮୦ ପ୍ରତିଶତ ଲୋକ ଗୃହ ପୃଥକବାସରେ ସୁସ୍ଥ ହେଉଥିବା ସରକାର କହି ଆସୁଛନ୍ତି। ଏହାସହ ୧୧୪ଟି କୋଭିଡ କେୟାର ସେଣ୍ଟର ବା ସିସିସି ଖୋଲାଯିବା ସହିତ ଏଥିରେ ୧୬,୧୨୨ରୁ ଅଧିକ ଶଯ୍ୟା ରହିଛି। ୫୬ଟି ଆଇସିୟୁ ଶଯ୍ୟା ମଧ୍ୟ ରହିଛି। ହେଲେ ପ୍ରତ୍ୟେକ ଦିନ ଶଯ୍ୟା ଅଭାବରୁ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଥିବା ଖବର ସାମ୍ନାକୁ ଆସୁଛି। ଗ୍ରାମାଞ୍ଚଳରେ ଗୃହ ପୃଥକବାସ ଏକପ୍ରକାର ଅସମ୍ଭବ। ସ୍ବତନ୍ତ୍ର ପାଇଖାନା, ଘର ସହିତ ନିଜର ଅକ୍ସିଜେନ୍‌ ମାପିବା ଲାଗି କୌଣସି ସୁବିଧା ନାହିଁ।

ଜନସ୍ବାସ୍ଥ୍ୟ ଅଭିଯାନର ଆବାହକ ଗୌରାଙ୍ଗ ମହାପାତ୍ରଙ୍କ କହିବା କଥା, ରାଜ୍ୟର ଗ୍ରାମାଞ୍ଚଳରେ ୬୦ ପ୍ରତିଶତ ଘର ଇନ୍ଦିରା ଆବାସରେ ନିର୍ମାଣ ହୋଇଥିବା ବେଳେ ସବୁ ଗୋଟିଏ ବଖରା। ସର୍ବେକ୍ଷଣ କହୁଛି, ଗ୍ରାମାଞ୍ଚଳରେ ପ୍ରତି ପରିବାରରେ ପ୍ରାୟ ୫ଜଣ ଲୋକ ରହୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ଜଣେ ସଂକ୍ରମିତ ହୁଅନ୍ତି ତାହାଲେ ଗୃହ ପୃଥକବାସରେ ରହିବା ଅସମ୍ଭବ। ରାଜ୍ୟ ସରକାର ଏବେ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ କରିବା ପାଇଁ ଘୋଷଣା କରିଛନ୍ତି। ହେଲେ ଗୋଟିଏ ପଞ୍ଚାୟତରେ ଜଣେ ଆଶାକର୍ମୀଙ୍କୁ ଅକ୍ସି‌ମିଟର ଦିଆଯାଇଛି। ଅକ୍ସିମିଟରରେ କିଭଳି ଅକ୍ସିଜେନ୍ ସ୍ତର ମପାଯିବ, ତାହାର ତାଲିମ୍ ମଧ୍ୟ ଦିଆଯାଇ ନାହିଁ। ତେଣୁ ଯେଉଁଭଳି ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ନ କରି ରାଜ୍ୟ ସରକାର କେବଳ ଘୋଷଣା କରି ଦେଇଛନ୍ତି।

ରାଜ୍ୟ‌ ସରକାର ସିସିସିରେ ଏତେ ସଂଖ୍ୟକ ଶଯ୍ୟା ଥିବା ଦାବି କରୁଛନ୍ତି। ହେଲେ ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ଶଯ୍ୟା ପାଉ ନ ଥିବା ସଂପର୍କରେ ସୂଚନା ମିଳୁଛି। କେବଳ ଶଯ୍ୟା ଦେଇଦେଲେ ହେବନାହିଁ, ଏଥିପାଇଁ ଆବଶ୍ୟକ ଡାକ୍ତର, ପାରାମେଡିକ, ଔଷଧ ଓ ଅକ୍ସିଜେନ୍ ବ୍ୟବସ୍ଥା ମଧ୍ୟ କରାଯିବା ଦରକାର। କିଛି ଜିଲ୍ଲାରେ ଏବେ ୧୦ବର୍ଷରୁ କମ୍ ବୟସର ଶିଶୁ କରୋନାରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି। ହେଲେ ରାଜ୍ୟରେ ଧାର୍ଯ୍ୟ ୩୮୨ ପଦବିରୁ ମାତ୍ର ୫୭ଜଣ ଶିଶୁରୋଗ ସିଏଚ୍‌ସି ସ୍ତରରେ ଅଛନ୍ତି। ଗତବର୍ଷ ରୋଗୀ ହସ୍ପିଟାଲରେ ପ୍ରାଣ ହରାଉଥିଲେ, ଚଳିତବର୍ଷ ଆମ୍ବୁଲାନ୍‌ସ ଓ ରାସ୍ତାଘାଟରେ ପ୍ରାଣ ହରାଉଥିବା ଶ୍ରୀ ମହାପାତ୍ର କହିଛନ୍ତି।

ପିଏଚ୍‌ଏଫଆଇର ଅତିରିକ୍ତ ପ୍ରଫେସର ଡା. ସରିତ ରାଉତଙ୍କ କହିବା କଥା, ଗ୍ରାମାଞ୍ଚଳରେ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ରହି ଆସିଛି। ଏଭଳି ଏକ ମହାମାରୀ ସମୟରେ ଜିଲ୍ଲାସ୍ତରରେ ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଅନୁଭୂତ ହେବ। ସେହିପରି ହସ୍ପିଟାଲରେ ଅକ୍ସିଜେନ୍‌ର ଯାଞ୍ଚ ପାଇଁ ତାଲିମପ୍ରାପ୍ତ ପାରାମେଡିକଙ୍କର ଆବଶ୍ୟକତା ରହିଛି। କାରଣ ଡାକ୍ତରମାନେ ସବୁ ସମୟରେ ଉପଲବ୍ଧ ରହି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଯାଞ୍ଚ କରିପାରିବେ ନାହିଁ। ଏବେଠାରୁ ପାରାମେଡିକ୍ମା‌ନଙ୍କୁ ଏଥିପାଇଁ ତାଲିମ ଦିଆଯିବା ଆବଶ୍ୟକ। ସେହିପରି ଗ୍ରାମାଞ୍ଚଳରେ ଗୃହ ପୃଥକବାସ ସମ୍ଭବ ନୁହେଁ। ତେଣୁ ପୂର୍ବବର୍ଷର ରାଜ୍ୟ ସରକାର ଯେଉଁ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ ପ୍ରସ୍ତୁତ କରିଥିଲେ ସେସବୁକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି ବୋଲି ଡା.ରାଉତ କହିଛନ୍ତି।

ଅପରପକ୍ଷରେ ଦୁଇଦିନର ବ୍ୟବଧାନ ପରେ ପୁଣିଥରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ହଜାର ଟପିଛି। ଗୋଟିଏ ଦିନରେ ରାଜ୍ୟରେ ୧୧,୦୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ସଂକ୍ରମଣର ପଞ୍ଚମ ସର୍ବାଧିକ। ତେବେ ରାଜ୍ୟରେ ନମୁନା ପରୀକ୍ଷା ୬୦,୫୧୦କୁ ବୃଦ୍ଧି ପାଇବା ସହିତ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ପୂର୍ବଭଳି ୧୮ ପ୍ରତିଶତ ରହିଛି।

ରାଜ୍ୟରେ କରୋନା ସଂକ୍ରମଣର ପେଣ୍ଠସ୍ଥଳୀ ପାଲଟିଥିବା ଖୋର୍ଧାରେ ସଂକ୍ରମଣ ହଜାର ଉପରେ ଲାଗି ରହିଛି। ପୁଣିଥରେ ଜିଲ୍ଲାରୁ ୧୪୬୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୮,୯୦୯କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ରେ ୯୮୩ ଆକ୍ରାନ୍ତ, କଟକ ୮୬୭, ଅନୁଗୁଳ ୫୫୨, ସମ୍ବଲପୁର ୫୪୭, ମୟୂରଭଞ୍ଜ ୫୦୭, ଭଦ୍ରକ ୪୩୧, ବାଲେଶ୍ବର ୪୦୮, ଯାଜପୁର ୩୭୮, ପୁରୀ ୩୫୬, ବରଗଡ଼ ୩୩୯, ନବରଙ୍ଗପୁର ୩୫୧, ଝାରସୁଗୁଡ଼ା ୩୦୭, ଜଗତସିଂହପୁର ୩୦୨, କଳାହାଣ୍ଡି ୨୯୯, ବଲାଙ୍ଗୀର ୨୮୮ ଓ ଷ୍ଟେଟ୍‌ ପୁଲରୁ ୨୪୨ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଛି।

ରାଜ୍ୟରେ ୨୧ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ କଳାହାଣ୍ଡିରେ ୩, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କୋରାପୁଟ, ଖୋର୍ଧାରେ ୨ଲେଖାଏ, ବରଗଡ଼, ବଲାଙ୍ଗୀର, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ପୁରୀରୁ ଜଣେ ଲେଖାଏ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଆଜି ୧୦,୦୩୬ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୪୬ହଜାର ୬୩୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୯୫,୩୩୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର