ବାଲେଶ୍ୱରରେ ଦିନକରେ ପୁଣି ଆକ୍ରାନ୍ତ ହେଲେ ୧୧

ଶିକ୍ଷକ ଦମ୍ପତ୍ତିଙ୍କ ସମେତ ୨ କରୋନା ଯୋଦ୍ଧାଙ୍କ ନମୁନା ପଜିଟିଭ

ବାଲେଶ୍ବର: କରୋନା ଭୂତାଣୁ ଦ୍ବାରା ରବିବାର ବାଲେଶ୍ବର ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ସଂମ୍ପୃକ୍ତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ଶିକ୍ଷକ ଦମ୍ପତ୍ତି ଏବଂ ୨ ଜଣ କୋଭିଡ୍‌ ଯୋଦ୍ଧା ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ୨ କୋଭିଡ୍‌ ଯୋଦ୍ଧା ଜଳେଶ୍ବର ଅଞ୍ଚଳର। ଦୁହିଁଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏକ କଲେଜର ପିଅନ ଏବଂ ଅନ୍ୟଜଣେ ଅଙ୍ଗନବାଡ଼ି କର୍ମୀ। ସେହିପରି ରେମୁଣା ବ୍ଲକ ମନ୍ଦିରଛକ ନିକଟ ଅଞ୍ଚଳରୁ ଶିକ୍ଷକ ଦମ୍ପତ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସେମାନେ ଦୁହେଁ ସ୍ବାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି। ଅନ୍ୟ ୨ଜଣ ସ୍ଥାନୀୟ ସଂକ୍ରମିତଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନଥିବାବେ‌ଳେ ସମସ୍ତେ କିପରି ଓ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ତାହା ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ କ୍ବାରାଣ୍ଟିନ ସେଣ୍ଟରରୁ ବାହାରିଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର, ଜଣେ ତେଲେଙ୍ଗାନା, ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ଅନ୍ୟଜଣେ ଭୁବନେଶ୍ବର ଏମ୍ସ ହସ୍ପିଟାଲର ଇନଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନରୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ୍‌ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଆଜି ସଟ୍‌ଡାଉନରେ ବାଲେଶ୍ବର ସହର ‌ସମେତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସାନିଟାଇଜ କରାଯାଇଥିଲା। ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଯେତିକି ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି, ଚାରିଆଡ଼େ ଏବେ ଦୋକାନବଜାର ଓ ଯାନବାହାନ ଚଳାଚଳ ଫଳରେ ଗୋଷ୍ଠୀ ସଂକ୍ରମଣ ଏବଂ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଗତ ସପ୍ତାହେ ଭିତରେ ଜିଲ୍ଲାରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା କିପରି କରାଯିବ ସେନେଇ ପ୍ରଶାସନ ଅଧିକ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର