କରୋନା ସ୍ଥିତି ସାଂଘାତିକ, ନ ଚେତିଲେ ଭୟଙ୍କର ହେବ: ନବୀନ

ଆଜିଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର: ‘‘କୋଭିଡ୍‌ର ନୂତନ ତରଙ୍ଗ ଅଧିକ ସଂକ୍ରାମକ ମନେହେଉଛି। ଯଦି ଆମେ ଏହାକୁ ଗମ୍ଭୀରତାର ସହ ଗ୍ରହଣ ନକରିବା ତେବେ ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତି ସମୀକ୍ଷା କରି ଏଭଳି ଢଙ୍ଗରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। କହିଛନ୍ତି, ‘ମୁଁ ଓଡ଼ିଶାର ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ସତର୍କ ରୁହନ୍ତୁ ଏବଂ ନିୟମ ମାନନ୍ତୁ। ଦୟାକରି ପ୍ରଶାସନକୁ ସହଯୋଗ କରନ୍ତୁ। ପ୍ରତିଟି ମୂଲ୍ୟବାନ ଜୀବନ ବିପଦରେ ଥିବାରୁ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ।’’

ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ଏସ୍‌ପିମାନଙ୍କ ସହିତ ଏକ ବୈଠକ କରିଥିଲେ। ନିର୍ଦେଶ ଦେଇଥିଲେ ଯେ ତୃଣମୂଳସ୍ତରରେ କୋଭିଡ୍ ପରିଚାଳନା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ହେବ। କୋଭିଡ୍‌ ନିୟମାବଳୀର କଡାକଡି ଅନୁପାଳନ ନିମନ୍ତେ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇ ୧୦ ଦିନ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ।
ଅନ୍ୟପକ୍ଷରେ ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ପଶ୍ଚିମ ଓଡିଶାର ଅଧିକ ପ୍ରଭାବିତ ଅଞ୍ଚଳ (ହଟ୍‌ସ୍ପଟ୍)କୁ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚବି ବରିଷ୍ଠ ଅଧିକାରୀଙ୍କୁ ନେଇ ଗସ୍ତ କରିବେ ଏବଂ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବେ। ପରିସ୍ଥିତି ଆକଳନ ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହାବ୍ୟତୀତ ସ୍ବାସ୍ଥ୍ୟ ବିଭାଗ ପଶ୍ଚିମ ଓଡିଶାର ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ଥିତି ଆକଳନ କରି ଦରକାର ଅନୁସାରେ ଡାକ୍ତର, ପାରାମେଡିକ୍‌ସ, ଲାବ୍‌ ଟେକ୍‌ନିସିଆନ ମାନଙ୍କୁ ନିୟୋଜିତ କରିବା ଦରକାର। ସେଠାରେ ଏବେଠାରୁ ସେଠାରେ ମାନବ ସମ୍ବଳକୁ ମଜବୁତ କରାଯିବ। ଆବଶ୍ୟକସ୍ଥଳେ ହସ୍‌ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯିବ। ଅକ୍‌ସିଜେନ ସୁବିଧା ସହିତ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍‌ସକୁ ମୁତୟନ କରାଯିବ। ଜରୁରୀ କଲ୍‌ ଗୁଡିକୁ ଗୁରୁତର ସହ ନେଇ ତତ୍ପରତାର ସହ ଯେପରି ପଦକ୍ଷେପ ନିଆଯିବ, ସେଥିପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବିଷୟରେ ବ୍ୟାପକ ସଚେତନତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସଚେତନତା ତଥା କୋଭିଡ୍‌ ନିୟମର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ମାନେ ସମାଜର ସବୁ ବର୍ଗର ଜନସାଧାରଣ, ବିଶେଷତଃ ପଞ୍ଚାୟତ ପ୍ରତିନିଧି, ମିସନ ଶକ୍ତି ଗ୍ରୁପ ଆଦିଙ୍କୁ ନେଇ ବ୍ୟାପକ କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରିବା ଦରକାର। ବିଭିନ୍ନ ଶିକ୍ଷା, ଅର୍ଥନୈତିକ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଯେଭଳି କୋଭିଡ଼୍ ନିୟମ ପାଳନକୁ କଡ଼ାକଡ଼ି କରନ୍ତି, ତାହାକୁ ତଦାରଖ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ। ଲୋକଙ୍କ ମନରେ ଯେପରି ଭରସା ସୃଷ୍ଟି ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ କହିଥିଲେ, କୋଭିଡର ପ୍ରଥମ ଲହର ଆମେ ସମସ୍ତେ ଅନୁଭବ କରିଛୁ। ଯେହେତୁ ଏହା ଲୋକଙ୍କ ଜୀବନମରଣ ସହ ଜଡିତ, ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜନସାଧାରଣ ସତର୍କ ରହିବା ଉଚିତ୍ ଏବଂ କୋଭିଡ ନିୟମାବଳୀ ପାଳନ କରିବା ଜରୁରୀ।

କୋଭିଡ୍ ପରିଚାଳନା ବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ ହେବ
ପଶ୍ଚିମ ଓଡ଼ିଶାର ହଟ୍‌ସ୍ପଟ୍‌କୁ ଗସ୍ତ କରିବେ ମୁଖ୍ୟ ସଚିବ
ହସ୍‌ପିଟାଲ, ଡାକ୍ତର, ଆମ୍ବୁଲାନସ୍‌ ପ୍ରସ୍ତୁତି ପାଇଁ ନିର୍ଦେଶ
ଶିକ୍ଷା, ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ରହିବ ନଜର

ନବରଙ୍ଗପୁରର ଖ୍ରୀଷ୍ଟିଆନ ହସ୍‌ପିଟାଲରେ ଖୋଲା ଯାଇଥିବା କୋଭିଡ ହସ୍‌ପିଟାଲର ପ୍ରାପ୍ୟ ୪୫ ଲକ୍ଷ ୬୦ ହଜାର ଟଙ୍କା ଏପର୍ଯ୍ୟନ୍ତ ନାଲ୍‌କୋ ପକ୍ଷରୁ ପଇଠ କରାଯାଇ ନଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ମଞ୍ଜୁର କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯିବା ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ ବର୍ତ୍ତମାନ କୋଭିଡର ସ୍ଥିତି ଏବଂ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ବର-କଟକର ମ୍ୟୁନିସପାଲ କମିସନର ମାନଙ୍କ ସହିତ ସେମାନଙ୍କର ସ୍ବାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ତଥା କୋଭିଡ ନିୟମର ଅନୁପାଳନ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ବୈଠକରେ ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ଅଭୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର