୪୭ ପାଉଡି ଭୂୟାଁ ଗାଁକୁ ଛୁଇଁପାରିନି କରୋନା

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ଆଦିମ ଜନଜାତି ପାଉଡି ଭୂୟାଁ ସମ୍ପ୍ରଦାୟକୁ ସେତେଟା ଆକ୍ରାନ୍ତ କରିପାରିନି କରୋନା। ପ୍ରଥମ ଲହର ପାଉଡି ଭୂୟାଁ ଗାଁକୁ ମାଡି ନଥିବାବେଳେ ଦ୍ବିତୀୟ ଲହର ୫୨ଟି ଗାଁରୁ ୫ଟିରେ ହିଁ ଅନୁପ୍ରବେଶ କରିବାରେ ସକ୍ଷମ ହୋଇଛି। କରୋନା ସେ ୫ ଗାଁର ୧୬ ଜଣଙ୍କୁ ଆକ୍ରାନ୍ତ କରିଛି। କିନ୍ତୁ ଜଣେ ହେଲେ ଡାକ୍ତରଖାନାର ଦ୍ବାର ମାଡି ନାହାନ୍ତି। ଜଣେହେଲେ ଗୁରୁତର ହୋଇ ନାହାନ୍ତି କି ଚିକିତ୍ସା ହେବାକୁ ଡାକ୍ତରଖାନାକୁ ଆସି ନାହାନ୍ତି। କେବଳ ହୋମ୍‌ ଆସୋଲେସନ୍‌ରେ ରହି କିଛି ଔଷଧ ଖାଇ ସୁସ୍ଥ ହୋଇଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟ କଥା, ପାଉଡି ଭୂୟାଁ ରହୁଥିବା ୫ଟି ପଞ୍ଚାୟତର ଅନ୍ୟ ଗାଁଗୁଡ଼ିକର ୧୦୦ରୁ ଅଧିକ ଲୋକଙ୍କୁ କରୋନା ଆକ୍ରାନ୍ତ କରିଛି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଏସବୁ ଗାଁକୁ ଲାଗିଥିବା ପାଉଡି ଭୂୟାଁ ଲୋକଙ୍କ ପାଖ ପସି ପାରିନି କରୋନା। ଗୋଟିଏ ଦୁଇଟି ନୁହେଁ, ୪୭ଟି ପାଉଡି ଭୂୟାଁ ଗାଁକୁ କରୋନା ଛୁଇଁ ପାରିନି। ଜିଲ୍ଲା ପ୍ରଶାସନ ଓ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ ଘରକୁ ଘର କରା ଯାଇଥିବା ସର୍ଭେରୁ ଏହା ଜଣାପଡିଛି। ଆଗାମୀ ଦିନରେ ଏହି ଜନଜାତିର ଲୋକଙ୍କୁ କରୋନା ଯେପରି ଛୁଇଁ ନପାରିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଲୋକଙ୍କ ଶରୀରର ତାପମାତ୍ରା ଓ ଅକ୍ସିଜେନ ସ୍ତର ରେକର୍ଡ କରୁଛନ୍ତି।

ନିକଟରେ ହୋମ୍ ଆଇସୋଲେସନରେ ଥିବା ଏହି ଜନଜାତିର ଲୋକମାନଙ୍କ ପରିବାରକୁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ ରାସନ କିଟ୍ ଯୋଗାଇ ଦିଆଯାଇଥିଲା। ଏଥିରେ ଚାଉଳ, ଡାଲି, ତେଲ ସହିତ ବିଭିନ୍ନ ଶୁଖିଲା ଖାଦ୍ୟ ଆଦି ଜିନିଷ ରହିଥିଲା। ଏହି ପରିବାରର ସଦସ୍ୟମାନେ ଯେପରି ବାହାରକୁ ନ ଆସନ୍ତି, ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପାଉଡ଼ି ଭୂୟାଁ ଜନଜାତିର ଲୋକଙ୍କୁ କୋଭିଡ୍ ସମ୍ପର୍କରେ ସଚେତନ କରିବା ଲାଗି ଏକ ସଚେତନତା ରଥ ଗାଁକୁ ଗାଁ ବୁଲୁଛି। ମାଇକ୍‌ ଜରିଆରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ଭଲଭାବେ ହାତ ଧୋଇବା ଆଦି ସମ୍ପର୍କରେ ସଚେତନ କରାଯାଉଛି।

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକର ୫ଟି ପଞ୍ଚାୟତ ଫୁଲଝର, ହଳଦିକୁଦର, ଭୁତୁଡା, ତଳବାହାଡି, ଶଶକଳାର ୫୨ ଗାଁରେ ପାଉଡି ଭୂୟାଁ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସେମାନଙ୍କର ମୋଟ୍‌ ଜନସଂଖ୍ୟା ହେଉଛି ୫, ୨୬୨। ବଣ ଜଙ୍ଗଲ ଉପରେ ନିର୍ଭରଶୀଳ ଏହି ବିରଳ ଆଦିମ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା। ସରକାରଙ୍କ ବିଭିନ୍ନ ଯୋଜନାରେ ଏମାନଙ୍କ ଗାଁ ଗଣ୍ଡାର ବିକାଶ କରାଯାଉଛି। ପାଉଡି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଧନାଇ ଚରଣ ଟୁଡୁ କହିଛନ୍ତି, ପାଉଡି ଭୂୟାଁ ଜନଜାତି ଅଞ୍ଚଳରେ କରୋନା ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗତ ପ୍ରାୟ ୧୫ ଦିନ ଧରି ଘରକୁ ଘର ବୁଲି ଆରମ୍ଭ ହୋଇଥିବା ସର୍ଭେ ଆଜି ଶେ‌ଷ ହୋଇଛି। ଆଣ୍ଟିଜେନ୍‌ ପରୀକ୍ଷାରୁ ଜଣା ଯାଇଛି ଯେ ସମସ୍ତେ କରୋନା ମୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର