ଭୁବନେଶ୍ବର : କରୋନା(କୋଭିଡ-୧୯) ସମୟରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ବ ଦିଆଯାଉଛି। କରୋନା ଏକ ସଂକ୍ରାମକ ରୋଗ ହୋଇଥିବାରୁ ପରସ୍ପରଠାରୁ ଦୂରତା ବଜାୟ ରଖିଲେ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରି ନ ଥାଏ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ମାତ୍ର ଭାରତ ଭଳି ଏକ ବିଶାଳ ଦେଶରେ ସାମାଜିକ ଦୂରତାର ଆବଶ୍ୟକତା ତ ରହିଛି। ମାତ୍ର ୧୩୦ କୋଟି ଲୋକଙ୍କ କ୍ଷେତ୍ରରେ ଏହାକୁ ପାଳନ କରିବା କଷ୍ଟକର।

Advertisment

ସମାଜରେ ଥିବା ସ୍ବଚ୍ଛଳ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସାମାଜିକ ଦୂରତା ହୁଏତ ସମ୍ଭବ ହୋଇପାରେ ହେଲେ ନିମ୍ନ ମଧ୍ୟବିତ୍ତ, ଗରିବ ଓ ବିଶେଷକରି ସହରାଞ୍ଚଳର ବସ୍ତିଗୁଡ଼ିକରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ସାମାଜିକ ଦୂରତା ଏକ ଅଭିଶାପ। ଗୋଟିଏ ଘରେ ରହୁଥିବା ଲୋକମାନଙ୍କ କ୍ଷେତ୍ରରେ ସାମାଜିକ ଦୂରତା ପାଳନ କରିବା ଏକପ୍ରକାର ଅସମ୍ଭବ। ଉତ୍କଳ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନର ପ୍ରଫେସର ନବନୀତା ରଥଙ୍କ କହିବାନୁଯାୟୀ, କ‌ରୋନା ସମୟରେ ଯେଉଁ ସାମାଜିକ ଦୂରତା କଥା କୁହାଯାଉଛି, ତାହାକୁ ପ୍ରକୃତରେ ସାମାଜିକ ଦୂରତା ଅପେକ୍ଷା ଶାରୀରିକ ଦୂରତା କହିଲେ ଠିକ୍ ହେବ। କାରଣ ଏଥିରେ କୌଣସି ସନ୍ଦିଗ୍ଧ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କ ମଧ୍ୟରେ ଦୂରତ୍ବ ବଜାୟ ରଖିବା ପାଇଁ କୁହାଯାଇଥାଏ। ତେବେ ଯେଉଁମାନଙ୍କର ଘରେ ସୁବିଧା ନାହିଁ ସେମାନେ ସରକାରଙ୍କ ସ‌ଙ୍ଗରୋଧ ବା କ୍ବାରାଣ୍ଟିନ୍‌ ବ୍ୟବସ୍ଥାରେ ରହିପାରିବେ। ସାମାଜିକ ବିଜ୍ଞାନରେ ସାମାଜିକ ଦୂରତ୍ବ କଥା ଉଠିଲେ ତାହା ଭେଦଭାବ ରୂପ ନେଇଥାଏ। କୌଣସି ବ୍ୟକ୍ତିଙ୍କୁ ଛୁଇଁବାନି କିମ୍ବା ତାଙ୍କଠାରୁ ଅଲଗା ରହିବାକୁ ଏହା ବୁଝାଇଥାଏ। ଆଜିର ଅସାଧାରଣ ସମୟରେ କମ୍ୟୁନିଟି ବା ଗୋଷ୍ଠୀର ଉତ୍ତରଦାୟିତ୍ବ ରହିଛି। ଏହି ସମୟରେ ଲୋକମାନେ ମାନସିକ ଭାବେ ପ୍ରବଳ ଚାପର ସମ୍ମୁଖୀନ ହୋଇଥାନ୍ତି। ତେଣୁ ପରସ୍ପର ସହିତ ସହାନୁଭୂତି ରହିବା ଦରକାର। କେବଳ ସଂକ୍ରମଣ ଦୃଷ୍ଟିରୁ ପରସ୍ପରଠାରୁ ଦୂରେଇ ରହୁଛେ ବୋଲି ଅନ୍ୟମାନଙ୍କୁ ଏ ସଂପର୍କରେ ବୁଝାଇବାକୁ ହେବ। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଗାଁ ଲୋକମାନେ ସେମାନଙ୍କ ଗାଁରେ ପ୍ରବେଶ କରାଇ ଦେଉନାହାନ୍ତି। ଏଭଳି ପରିସ୍ଥିତିରେ ସେହି ଅଞ୍ଚଳରେ ସଙ୍ଗରୋଧ ବ୍ୟବସ୍ଥାରେ ସେମାନଙ୍କୁ ରଖିବା ଲାଗି ସୁବିଧା ରହିବା ଦରକାର। ମାତ୍ର ସେଠାରୁ ଫେରିବା ପରେ ମଧ୍ୟ ଗାଁ ଲୋକମାନେ ସେମାନଙ୍କୁ ଗ୍ରହଣ କରିବାକୁ ଏକପ୍ରକାର ଅମଙ୍ଗ ହେଉଛନ୍ତି। ତେଣୁ ଏଭଳି ଭେଦଭାବ ନ ରଖିବା ଦରକାର। ପୂର୍ବରୁ ଗାଁ ଲୋକମାନେ ଯେପରି ମିଶୁଥିଲେ ସେଭଳି ମିଶିବା ଆବଶ୍ୟକ ବୋଲି ପ୍ରଫେସର ରଥ କହିଛନ୍ତି।