ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୨ହଜାର ତଳକୁ ଖସିଲା

ଅଗଷ୍ଟ ୧୩ରେ ୨ ହଜାର ତଳେ ଥିଲା
ଦିନକରେ ୧୯୮୨ ପଜିଟିଭ୍, ୧୭ ମୃତ
କଟକରେ କରୋନା ମୃତ୍ୟୁ ଶହେ ଟପିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୨ହଜାର ତଳକୁ ଖସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ତାରିଖରେ ଶେଷ ଥର ଲାଗି ରାଜ୍ୟରେ କରୋନା ସଂକ୍ରମଣ ୨ହଜାର ତଳେ ରହିଥିଲା। ଲଗାତାର ୬୫ ଦିନ ଧରି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ଗୋଟିଏ ଦିନରେ ୪ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଅକ୍ଟୋବର ମାସରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାକୁ ଆରମ୍ଭ କରିଛି। ରାଜ୍ୟରେ ଏବେ ସମୁଦାୟ କ‌ରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୩୪୬କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ କଟକ ଓ ଭୁବନେଶ୍ବରରୁ ସର୍ବାଧିକ ୩ଜଣ ଲେଖାଏଁ, ଝାରସୁଗୁଡ଼ା, ବଲାଙ୍ଗୀର ଓ ସୋନପୁରରୁ ୨ଜଣ ଲେଖାଏଁ, ବୌଦ୍ଧ, ବରଗଡ଼, ମୟୂରଭଞ୍ଜ, ନୂଆପଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି। କଟକରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଗଞ୍ଜାମ ୨୨୫, ଖୋର୍ଧା ୧୯୮, ପୁରୀ ୭୫, ବାଲେଶ୍ବର ୬୨, ସୁନ୍ଦରଗଡ଼ ୫୫, ମୟୂରଭଞ୍ଜ ଓ ରାୟଗଡ଼ା ୪୦ ଲେଖାଏଁ, ନୟାଗଡ଼ରେ ୩୭ ଜଣ ପ୍ରାଣ ହରାଇଛନ୍ତି। କରୋନା ମୃତ୍ୟୁକୁ କମାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କୁ ଫାଭିପିରାଭିର ବଟିକାଠାରୁ ଆରମ୍ଭ କରି ହସ୍ପିଟାଲରେ ରେମଡେସିଭିର ଓ ଡେକ୍ସା‌ମେଥିସନ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ତଥାପି ରାଜ୍ୟରେ ଏ ପର୍ଯ୍ୟନ୍ତ ମୃତ୍ୟୁରେ ରୋକ୍ ଆସିପାରି ନାହିଁ।


www.jagran.com

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮,୭୪୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୮୯୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୧୫୬ ସଙ୍ଗରୋଧରୁ ଓ ୮୨୬ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୩ଶହ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ରୋଗୀଙ୍କ ସଂଖ୍ୟା ୪୬,୨୪୪କୁ ବୃଦ୍ଧି ପାଇଛି। କଟକ ୧୪୫, ଅନୁଗୁଳ ୧୧୯, ମୟୂରଭଞ୍ଜ ୧୦୭, ସୁନ୍ଦରଗଡ଼ ୯୮, ଝାରସୁଗୁଡ଼ା ୮୮, ବାଲେଶ୍ବର ଓ ଯାଜପୁର ୮୬ ଲେଖାଏଁ, ପୁରୀ ୭୨, ଷ୍ଟେଟ୍ ପୁଲ ଓ କେନ୍ଦ୍ରାପଡ଼ା ୬୫ ଲେଖାଏଁ, ଭଦ୍ରକ ୬୩, ଜଗତସିଂହପୁର ଓ ଢେଙ୍କାନାଳ ୫୫ ଲେଖାଏଁ, ଝାରସୁଗୁଡ଼ା ୫୦, ବରଗଡ଼ ୪୬, ସୋନପୁର ୪୫, କଳାହାଣ୍ଡି ୪୩, କୋରାପୁଟ ୪୨, ସମ୍ବଲପୁର ୩୮, ନୟାଗଡ଼ ୩୩, ଗଞ୍ଜାମ ୨୪, ଦେବଗଡ଼ ୧୪, ବୌଦ୍ଧ ୧୧, ରାୟଗଡ଼ା ଓ ଗଜପତିରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଧୀରେ ଧୀ‌ରେ ଦେବଗଡ଼ରେ ମଧ୍ୟ ସଂକ୍ରମଣ ହଜାର ସଂଖ୍ୟା ଆଡ଼କୁ ମୁହାଁଇଛି।

ରାଜ୍ୟରେ ଆଜି ୨୭୩୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୪୯ହଜାର ୫୭୫କୁ ବୃଦ୍ଧି ପାଇଛି। ‌ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୯,୫୬୬କୁ ଖସି ଆସିଛି। ଆଜି ଖୋର୍ଧାରୁ ସର୍ବାଧିକ ୩୯୯ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦୦୭କୁ ଖସି ଆସିଛି। ଏହାବାଦ୍ କଟକ ୧୮୯, ଅନୁଗୁଳ ୧୭୪, ସୁନ୍ଦରଗଡ଼ ୧୫୪, ବାଲେଶ୍ବର ୧୧୪, ମୟୂରଭଞ୍ଜ ୧୧୦, ପୁରୀ ୧୦୯, ସମ୍ବଲପୁର ୧୦୭, କଳାହାଣ୍ଡି ୧୦୧, ବରଗଡ଼ ୧୦୦, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୯୫‌ ଲେଖାଏଁ, ଜଗତସିଂହପୁର ୮୯, ଝାରସୁଗୁଡ଼ା ୮୮, ବଲାଙ୍ଗୀର ୮୬, କୋରାପୁଟ ୮୫, ମାଲକାନଗିରି ୬୯, କେନ୍ଦୁଝର ୬୫, ନବରଙ୍ଗପୁର ଓ ସୋନପୁରରେ ୬୩ ଲେଖାଏଁ, ଭଦ୍ରକ ୫୯, ନୂଆପଡ଼ା ୪୬, କନ୍ଧମାଳ ୪୩, ଢେଙ୍କାନାଳ ଓ ନୟାଗଡ଼ରୁ ୪୦‌‌ ଲେଖାଏଁ, ବୌଦ୍ଧ ୨୪, ରାୟଗଡ଼ା ୨୦, ଗଞ୍ଜାମ ୧୮, ଦେବଗଡ଼ ୧୭, ଗଜପତି ୬ ଓ ଷ୍ଟେଟ୍‌ ପୁଲରୁ ୭୦ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର