ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଦୁଇ ହଜାର ଟପି ଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୬୭ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୧୩ ତାରିଖ ତୁଳନାରେ ୨୭ପ୍ରତିଶତ ଅଧିକ। ଏହାସହ ଗୋଟିଏ ପରେ ଗୋଟିଏ ଜିଲ୍ଲା ୟେଲୋ-ଜୋନ୍ ଆଡ଼କୁ ମୁହାଁଇଛି। ଏଥିରେ କଟକ, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ରହିଛି। ୫ଶହରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଥିଲେ ସଂପୃକ୍ତ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୟେଲୋ ଜୋନ୍ରେ ସାମିଲ କରାଯାଇଥାଏ। ତେଣୁ ଏସବୁ ଜିଲ୍ଲାଗୁଡ଼ିକରେ କରୋନା ସ୍ଥିତି ଉଦ୍ବେଗଜନକ ରହିଥିବା ଆଶଙ୍କା କରାଯାଉଛି। ସେହିପରି ଖୋର୍ଧା ଓ ସୁନ୍ଦରଗଡ଼ ରେଡ୍-ଜୋନ୍ରେ ଅଛନ୍ତି। ଏଠାରୁ ୧ହଜାରରୁ ଅଧିକ ରୋଗୀ ଚିକିତ୍ସାଧୀନ ରହିଛନ୍ତି।
ରାଜ୍ୟରେ କରୋନାର ବୃଦ୍ଧିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର, ଡିଏମ୍ଇଟି ଡା. ସିବିକେ ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ରାଉରକେଲା ଓ ସୁନ୍ଦରଗଡ଼ର କୋଭିଡ୍ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଆଗକୁ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ କେନ୍ଦୁଝରରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।
ସୁନ୍ଦରଗଡ଼ରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାକୁ ବସିଲାଣି। ଗୋଟିଏ ଦିନରେ ଜିଲ୍ଲାରେ ୪୫୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ଏବେ ୨୨୨୫ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ଏହାବାଦ୍ ଖୋର୍ଧାରୁ ୩୪୮, ସମ୍ବଲପୁର ୧୨୦, କଟକ ୧୧୭, ନୂଆପଡ଼ା ୧୦୪, ବଲାଙ୍ଗୀର ୯୩, ପୁରୀ ଓ ଗଞ୍ଜାମରୁ ୭୦ ଲେଖାଏଁ, ବାଲେଶ୍ବର ୬୭ ଓ ମୟୂରଭଞ୍ଜରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ପଜିଟିଭ୍ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୫୫ହଜାର ୩୫୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩,୨୫୧ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ୬.୮୧ ପ୍ରତିଶତ ରେକର୍ଡ କରାଯାଇଛି। ଗତ କିଛି ଦିନ ହେବ ରାଜ୍ୟରେ ଟିପିଆର୍ ୬ ପ୍ରତିଶତ ଉପରେ ରହିଥିବା ନଜରକୁ ଆସିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡ୍ଲାଇନ୍ ଅନୁସାରେ ଟିପିଆର୍ ୫ ପ୍ରତିଶତରୁ ଅଧିକ ରହିଲେ ସେଠାରେ ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ୍ ନମୁନା ପରୀକ୍ଷା କରାଯିବା କଥା। ମାତ୍ର ରାଜ୍ୟରେ ଏଥିରେ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ରାଜ୍ୟ ସରକାର ଦୈନିକ ୫୦ ହଜାର କୋଭିଡ୍ ନମୁନା ପରୀକ୍ଷା କରିବା ଲାଗି ଲକ୍ଷ୍ୟ ରଖିଛନ୍ତି। ମାତ୍ର ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।
ଅପରପକ୍ଷରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଅଚାନକ ୧୧,୬୩୪ରେ ପହଞ୍ଚି ଯାଇଛି, ଯାହାକି ସମୁଦାୟ ସଂକ୍ରମଣ ୩ ପ୍ରତିଶତରୁ ଅଧିକ। ଗତ ମାର୍ଚ ମାସରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ପ୍ରତିଶତରୁ ମଧ୍ୟ କମ୍ ରହିଥିଲା। ରାଜ୍ୟରେ ୩ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁର, ଗଞ୍ଜାମ ଓ ବଲାଙ୍ଗୀରର ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୩୩କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ୬୧୦ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/corona-vv.jpg)